ଶ୍ରୀଲଙ୍କାକୁ ୧୩୫ ରନ୍‌ରେ ହରାଇଲା ଭାରତ

ମୋରାତୁଓ୍ଵା (ଶ୍ରୀଲଙ୍କା): ଶ୍ରୀଲଙ୍କା ଗସ୍ତରେ ଥିବା ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ୍‌ ଦଳ କ୍ରମାଗତ ଦୁଇଟି ପରାଜୟ ପରେ ପୁଣି ବିଜୟ ଧାରାକୁ ଫେରିଛି। ଟେଷ୍ଟ୍‍ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଥିବା ଭାରତୀୟ ଯୁବ ଦଳ ୫ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜିତିଥିଲା। ହେଲେ ପରବର୍ତୀ ଦୁଇଟି ମ୍ୟାଚ୍‌ ହାରି ୧-୨ରେ ପଛୁଆ ରହିଥିଲା। ତେବେ ମଙ୍ଗଳବାର ଚତୁର୍ଥ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତି ସ୍ଥିତି ସମାନ (୨-୨) କରିଦେଇଛି।
ମଙ୍ଗଳବାର ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦେବଦତ୍ତ ପାଡିକଲ୍‌ (୭୧ ରନ୍‌, ୯୧ ବଲ୍‌, ୮ ଚୌକା ଓ ୧ ଛକା), ଅଧିନାୟକ ଆର୍ଯ୍ୟନ୍‌ ଜୁୟଲ୍‌ (୬୦ ରନ୍‌, ୬୭ ବଲ୍‌, ୫ ଚୌକା) ଓ ୟାଶ୍‌ ରାଠୋଡ଼ (୫୬ ରନ୍‌, ୬୦ ବଲ୍‌, ୫ ଚୌକା)ଙ୍କ ଅର୍ଧଶତକ ସାଙ୍ଗକୁ ପଓ୍ଵନ୍‌ ଶାହା (୩୬), ଅଥରଓ୍ଵା ତାଇଡେ (୨୦) ଓ ସମୀର ଚୌଧୁରୀ (ଅପରାଜିତ ୨୪)ଙ୍କ ମୂଲ୍ୟବାନ ଯୋଗଦାନ ବଳରେ ଭାରତ ନିର୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ କରିଥିଲା ୨୭୮ ରନ୍‌। ଦ୍ୱିତୀୟ ଓ୍ଵିକେଟ୍‌ରେ ପାଡିକଲ୍‌ ଓ ଶାହାଙ୍କ ୯୪ ଓ ଚତୁର୍ଥ ଓ୍ଵିକେଟ୍‌ରେ ଜୁୟଲ୍‌ ଓ ରାଠୋଡଙ୍କ ୯୨ ରନ୍‌ ଭାଗୀଦାରି ହିଁ ଭାରତକୁ ବଡ଼ ସ୍କୋର୍‌ ଦେଇଥିଲା। ଜବାବରେ ଆୟୁଷ ବାଦୋନି (୩/୩୫) ଓ ହର୍ଷ ତ୍ୟାଗୀ (୩/୩୭)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ଘରୋଇ ଦଳ ୩୭.୨ ଓଭରରେ ୧୪୩ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା।

ସମ୍ବନ୍ଧିତ ଖବର