ଯୋଗ୍ୟକର୍ତା(ଇଣ୍ଡୋନେସିଆ): ଏଠାରେ ଚାଲିଥିବା ବିଶ୍ୱ କନିଷ୍ଠ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଗ୍ରୁପ୍-ଡି ଅନ୍ତର୍ଗତ ମିଶ୍ରିତ ଦଳ ବର୍ଗରେ ଭାରତ ୩-୨ରେ ସ୍ୱିଡେନ୍କୁ ପରାସ୍ତ କରିଦେଇଛି। ଗତ ଦୁଇ ଦିନ ମଧ୍ୟରେ ଆମେରିକା, ହଙ୍ଗେରି ଓ ଅଷ୍ଟ୍ରେଲିଆକୁ ସମାନ ୫-୦ ବ୍ୟବଧାନରେ ପରାସ୍ତ କରିସାରିଥିବା ଭାରତ ବୁଧବାର ସ୍ୱିଡେନ୍ ବିପକ୍ଷରେ ପୁରୁଷ ଏକକ, ମହିଳା ଏକକ ସାଙ୍ଗକୁ ମିଶ୍ରିତ ଯୁଗଳ ମୁକାବିଲା ଜିତି ନେଇଥିଲା। ହେଲେ ଉଭୟ ପୁରୁଷ ଓ ମହିଳା ଯୁଗଳରେ ପରାସ୍ତ ହୋଇଥିଲା। ପୁରୁଷ ଏକକରେ ଲକ୍ଷ୍ୟ ସେନ୍ ୨୧-୧୧, ୨୧-୯ରେ କୋଲିନ୍ ହାମରବର୍ଗଙ୍କୁ, ମହିଳା ଏକକରେ ଅସ୍ମିତା ଚାଲିହା ୨୧-୮, ୨୧-୧୪ରେ ଅଶ୍ୱତି ପିଲାଇଙ୍କୁ, ମିଶ୍ରିତ ଯୁଗଳରେ ଧ୍ରୁବ କପିଲା-ମିଥୁଲା ୟୁକେ ଯୋଡ଼ି ୨୧-୧୬, ୧୬-୨୧ ଓ ୨୧-୧୫ରେ କାର୍ଲ ହାର୍ବାକା-ତିଲ୍ଦା ସୁ ଯୋଡ଼ିକୁ ପରାସ୍ତ କରିଥିଲା ବେଳେ ପୁରୁଷ ଯୁଗଳରେ କୃଷ୍ଣ ପ୍ରସାଦ ଗାରଗା-ଧ୍ରୁବ ଏବଂ ମହିଳା ଯୁଗଳରେ ରୁତୁପର୍ଣ୍ଣା ପଣ୍ଡା-ମିଥୁଲା ପରାସ୍ତ ହୋଇଥିଲେ। ଏହି ବିଜୟ ସହ ଅପରାଜେୟ ଭାରତ କ୍ୱାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିନେଇଛି। ଆସନ୍ତାକାଲି (ଗୁରୁବାର) କ୍ୱାର୍ଟର ଫାଇନାଲ୍ରେ ଭାରତର ମୁକାବିଲା ତୃତୀୟ ମାନ୍ୟତା ମାଲେସିଆ ସହ ହେବ।