ଭାରତ-ବେଲ୍‌ଜିୟମ୍ ନିର୍ଣ୍ଣାୟକ ଟକ୍କର ଆଜି

ଭୁବନେଶ୍ବର: ଚଳିତ ଓଡ଼ିଶା ହକି ବିଶ୍ବକପ୍‌ରେ ଭାରତୀୟ ଦଳ ରବିବାର ନିଜର ସବୁଠୁ କଷ୍ଟକର ତଥା ପୁଲ୍ ନିର୍ଣ୍ଣାୟକ ମ୍ୟାଚ୍ ଖେଳିବ ସଂଧ୍ୟା ୭ଟାରେ। ଆଗରେ ରହିଛି ୟୁରୋପୀୟ ଶକ୍ତି ତଥା ଆକ୍ରମଣାତ୍ମକ ହକି ଖେଳୁଥିବା ବେଲ୍‌ଜିୟମ। ପୁଲ ‘ସି’ର ଏହି ଦ୍ବିତୀୟ ରାଉଣ୍ଡ୍‌ ମୁକାବିଲା କିନ୍ତୁ ସଂଧ୍ୟା ୫ଟାରୁ ଆରମ୍ଭ ହେବ କାନାଡ଼ା ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରୁ। ଗତ ବୁଧବାର ଉଦ୍‌ଘାଟନୀ ଦିବସରେ ଭାରତ ୫-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଆତ୍ମବିଶ୍ବାସ ଭରା ବିଜୟ ପାଇଥିଲା। ଅନ୍ୟପକ୍ଷରେ ବେଲ୍‌ଜିୟମ କିନ୍ତୁ ଅଣପ୍ରଶଂସନୀୟ ପ୍ରଦର୍ଶନ ‌ସ‌ତ୍ତ୍ବେ ୨-୧ରେ କାନାଡ଼ାକୁ ହରାଇ ଦେଇଥିଲା। ପୁଲ୍ ‘ସି’ରେ ଶୀର୍ଷରେ ରହି ସିଧାସଳଖ ‌କ୍ବାର୍ଟର ଫାଇନାଲ୍ ଯିବା ଲକ୍ଷ୍ୟରେ ରହିଥିବା ଭାରତ ଏବଂ ବେଲ୍‌ଜିୟମ୍ ମ୍ୟାଚ୍ ନିଶ୍ଚିତ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ରବିବାର ମ୍ୟାଚ୍ ଏହି ସମ୍ଭାବନାକୁ ଏକ ପ୍ରକାର ନିଶ୍ଚିତ କରିଦେବ।

ଭାରତର ଅତୀତ ଗୌରବମୟ ଥିବାବେଳେ ବେଲ୍‌ଜିୟମର ବର୍ତମାନ ଭଲ। ଭାରତ କିନ୍ତୁ ବିଗତ ୨/୩ ବର୍ଷ ଭିତରେ ଭଲ ଉନ୍ନତି କରିଥିବାରୁ ହୃତ୍‌ଗୌରବ ଫେରିପାଇବା ଆଶାରେ ରହିଛି। ବିଗତ ଦୁଇ ବର୍ଷରେ ମଧ୍ୟ ଏକାଧିକ ବିଶ୍ବସ୍ତରୀୟ ପ୍ରତିଯୋଗିତା ପଦକ (ଚାମ୍ପିଅନ୍ସ ଟ୍ରଫି, ବିଶ୍ବ ହକି ଲିଗ୍) ଜିତିଛି। ଏସବୁ ସଫଳତାକୁ ପୁଞ୍ଜି କରି ଭାରତ ମଧ୍ୟ ୪୩ ବର୍ଷ ତଳର ବିଶ୍ବକପ୍‌ ସଫଳତାକୁ ଦୋହରାଇବାର ସ୍ବପ୍ନ ଦେଖାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦେଶ ଆକ୍ରମଣାତ୍ମକ ହକି ଖେଳି ଏକତରଫା ବିଜୟ ପାଇଥିଲା। ଏବେ ସେହି ଧାରାକୁ ଆଗକୁ ନେଇ ବେଲ୍‌ଜିୟମ ବିପକ୍ଷରେ ବି ଚମତ୍କାର ଖେଳିବାକୁ ମନଦୀପ୍ ସିଂହଙ୍କ ଦଳ ପ୍ରସ୍ତୁତ। ବେଲ୍‌ଜିୟମ୍ ବିପକ୍ଷରେ କିନ୍ତୁ ଘରୋଇ ଦଳକୁ ସବୁ ବିଭାଗରେ ଭଲ ଖେଳିବାକୁ ପଡ଼ିବ। ଭାରତର ଅଗ୍ରଭାଗ ମନ୍‌ଦୀପ ସିଂହ, ସିମ୍ରନଜିତ୍ ସିଂହ,‌ ଆକାଶଦୀପ ସିଂହ, ଲଳିତ ଉପାଧ୍ୟାୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ରକ୍ଷଣଭାଗରେ କିନ୍ତୁ ହରମନ୍‌ପ୍ରୀତ୍ ସିଂହ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର ଏବଂ ଗୋଲ୍‌ରକ୍ଷକ ପିଆର ଶ୍ରୀଜେଶ କିନ୍ତୁ ବେଲ୍‌ଜିୟମ୍ ବିପକ୍ଷରେ ଅପେକ୍ଷାକୃତ ଅଗ୍ନୀ ପରୀକ୍ଷାର ସମ୍ମୁଖୀନ ହେବେ। ଗୋଟିଏ ଗୋଟିଏ ଭୁଲ ଭାରତର ବିଶ୍ବକପ୍ ଆଶା ଓ ଅଭିଳାଷକୁ ପାଣିରେ ମିଳାଇ ଦେବାର ଆଶଙ୍କା ବି ରଖିଛି। ପେନାଲ୍‌ଟି କର୍ନର ଉଭୟ ଦଳ ପାଇଁ ଚିନ୍ତାର କାରଣ ରହିଛି। ଭାରତ କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ରୁ ୨ଟି ରୂପାନ୍ତର କରି ଆଗରେ ରହିଛି। ଅନ୍ୟପକ୍ଷରେ କାନଡ଼ା ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲ୍‌ଜିୟମ ଅର୍ଜନ କରିଥବା ୨ଟି ଯାକ ପିସିକୁ ବେକାର ହେବାକୁ ଦେଇଥିଲା। ଗୋଲ୍‌ ସ୍କୋରିଂ ଦକ୍ଷତାକୁ ନେଇ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଆତ୍ମବିଶ୍ବାସରେ ଅଛନ୍ତି। ଗୋଲ୍‌ ‌ପେନାଲଟି କର୍ନର ହେଉ କି ଫିଲଡ୍ ସେଥିରେ କିଛି ଯାଏ ଆସେ ନାହିଁ, ସୁନ୍ଦର ମିଶ୍ରିତ ଗୋଲ୍ ଦଳକୁ ମିଳୁଛି ବୋଲି ସେ କହିଥିଲେ। ବେଲ୍‌ଜିୟମ୍ ପ୍ରଶିକ୍ଷକ ସେନ୍ ମ୍ୟାକଲିଓଡ୍‌ କହିଛନ୍ତି ଯେ କ୍ରସ୍ ଓଭର ଏଡ଼ାଇବାକୁ ଆମେ ଏହି ମ୍ୟାଚ୍ ଜିତିବାକୁ ଚାହୁଁଛୁ। ଆମେ ଭାରତ ବିପକ୍ଷରେ ଭଲ ଖେଳିପାରିଲେ ହିଁ ଗୋଟିଏ ପାଦ ଆଗକୁ ବଢ଼ିପାରିବୁ ବୋଲି ମଧ୍ୟ ସ୍ବୀକାର କରିଥିଲେ ମ୍ୟାକଲିୟଡ।

ପ୍ଲାନ୍-ବି ପ୍ରସ୍ତୁତ ରଖିବାକୁ ହେବ: ଲାଜରୁସ
ବେଲଜିୟମ ଏକ ବହୁତ ଭଲ ଦଳ। ସେମାନେ ଫାଷ୍ଟ ହକି ଖେଳିବାରେ ଓସ୍ତାଦ। ତା’ ଛଡ଼ା ଭାରତର ପ୍ରଥମ ମ୍ୟାଚ୍ ଭିଡିଓକୁ ଏହି ଦଳ ଭଲ ଭାବରେ ତର୍ଜମା କରିଥିବ। ସେଥିପାଇଁ ଭାରତକୁ ଏକ ନିର୍ଦିଷ୍ଟ ଯୋଜନା ଉପରେ ନିଭର୍ର ନ କରି ପ୍ଲାନ୍-ଏ’ ସହ ପ୍ଲାନ୍-ବି ମଧ୍ୟ ପ୍ରସ୍ତୁତ ରଖିବାକୁ ହେବ। ଏହା ହେଲେ ଆମେ ବେଲଜିୟମକୁ ଜାଲରେ ଫସାଇ ପରିବା । ଅଲିମ୍ପିଆନ୍‌ ତଥା ଓଡ଼ିଶା ହକିର ଅନ୍ୟତମ କିମ୍ବଦନ୍ତୀ ତାରକା ଲାଜରୁସ ବାର୍ଲା ବହୁ ପ୍ରତୀକ୍ଷିତ ଭାରତ-ବେଲଜିୟମ ମ୍ୟାଚ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି। ରବିବାର କିନ୍ତୁ କଳିଙ୍ଗ ଷ୍ଟାଡିୟମରେ ପୂରା କଣ୍ଟେ କି ଟକ୍କର ଦେଖିବାକୁ ମିଳିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ଏଥିନେଇ ଲାଜରୁସ କହିଛନ୍ତି ଯେ ଅତୀତରେ ‌ବେଲଜିୟମ ବିପକ୍ଷରେ ଭାରତ ଭଲ କରିଛି। ବିଶେଷ କରି କଳିଙ୍ଗ ଷ୍ଟାଡିୟମ୍ ଟର୍ଫରେ ଭାରତ ତା’ର ଦବଦବା ଜାରି ରଖିଛି। ଏଣୁ ଆସନ୍ତାକାଲି ମଧ୍ୟ ଭାରତ ସେହି ଧାରା ବଜାୟ ରଖିବ ବୋଲି ଭାବୁଛି। ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଆସନ୍ତାକାଲି ମ୍ୟାଚ୍ ଭାରତ ପାଇଁ ପ୍ରି-କ୍ବାର୍ଟର ସଦୃଶ ବୋଲି କହିଛନ୍ତି। ମୁଁ ମଧ୍ୟ ତାଙ୍କ ସହ ପୂରା ଏକମତ। ରକ୍ଷଣଭାଗରେ ଭଲ କରିବା ସହ ଭାରତକୁ ଯେ କୌଣସି ଉପାୟରେ ଅଧିକରୁ ଅଧିକ ଗୋଲ୍ କରିବାକୁ ହେବ। କାରଣ ଗୋଲ୍‌ ହିଁ ବିଜୟ ଦେଇଥାଏ। ଚଳିତ ବିଶ୍ବକପର ଆର୍ଜେଣ୍ଟିନା-ସ୍ପେନ୍ ମ୍ୟାଚ୍‌ରେ ସ୍ପେନ୍ ପୂରା ମ୍ୟାଚ୍‌ରେ ଭଲ ଖେଳିଥିଲା। ହେଲେ ଆର୍ଜେଣ୍ଟିନା ଠିକଣା ସମୟରେ ଗୋଲ୍ କରି ବିଜୟର ସ୍ବାଦ ଚାଖିଥିଲା। ଭାରତକୁ ମଧ୍ୟ ସେହିଭଳି ରଣନୀତିରେ ପଡ଼ିଆକୁ ଓହ୍ଲାଇବାକୁ ହେବ। ବେଲଜିୟମର ପ୍ରଥମ ମ୍ୟାଚ୍ ଭଡିଓକୁ ତର୍ଜମା କରି ସେମାନଙ୍କ ଦୁର୍ବଳ ଦିଗ ଉପରେ ଅକ୍ରମଣ କଲେ ବହୁତ ଭଲ ହେବ। ଘରୋଇ ପ୍ରଶଂସକ ଏହି ମ୍ୟାଚ୍‌ରେ ଦ୍ବାଦଶ ଖେଳାଳିର କାମ କରିବେ। ଏଣୁ ଭାରତ ରବିବାର ନିଶ୍ଚିତ ଭାବେ ଭଲ କରିବ ବୋଲି ମୋର ଆଶା ଓ ବିଶ୍ବାସ। ‌ଏସବୁ ସହ କିନ୍ତୁ ଆମକୁ ଆମ କନଭର୍ଜନ ହାରରେ ଉନ୍ନତି ଆଣିବାକୁ ହେବ। ରବିବାର ମ୍ୟାଚ୍ ଜିତିଲେ ଭାରତ ଦୃଢ଼ ସ୍ଥିତିରେ ରହି କ୍ବାର୍ଟରକୁ ଯିବ। ତା’ ସହ ଦଳର ଆତ୍ମବିଶ୍ବାସ ମଧ୍ୟ ଆକାଶ ଛୁଇଁବ।

ସମ୍ବନ୍ଧିତ ଖବର