ମାଇଲଖୁଣ୍ଟ ପାଖରେ ଭାରତ

ଆଜି ଚତୁର୍ଥ ଦିନିକିଆ, ମହିଳା ଦଳ ବି ୩-୦ ଆଶାରେ

ସେଞ୍ଚୁରିଅନ୍‌: ଅନେକ ଦିନର ଅଧୁରା ସ୍ୱପ୍ନ ଏବେ ବାସ୍ତବ ରୂପ ନେବାକୁ ବସିଛି। ଦକ୍ଷିଣ ଆଫ୍ରିକା ମାଟିରେ କେବେ ବି ୩-୦ରେ ଆଗୁଆ ହୋଇ ନ ଥିବା ଭାରତୀୟ ଦଳ ଏହି ଲକ୍ଷ୍ୟରେ ପହଞ୍ଚି ସାରିଥିଲେ ମଧ୍ୟ ଅସଲ ଲକ୍ଷ୍ୟ ଶୃଙ୍ଖଳା ବିଜୟ ହାସଲ କରିପାରିନାହିଁ। ଏହି ଅଭିଯାନର ପ୍ରଥମ ଲକ୍ଷ୍ୟ ଶନିବାର ଚତୁର୍ଥ ଦିନିକିଆରେ ହେବ। ବିରାଟ କୋହଲି ବାହିନୀ ଏହି ଐତିହାସିକ ଲକ୍ଷ୍ୟରେ ରହିଛି। ଅବଶ୍ୟ ପରିବର୍ତୀ ୩ଟି ମ୍ୟାଚ୍‌ରୁ ଭାରତ ଗୋଟିଏ ବି ଜିତିଲେ ପ୍ରଥମ ଥର ପାଇଁ ଶୃଙ୍ଖଳା ଜିତି ଐତିହାସିକ ସଫଳତା ଅର୍ଜନ କରିବ। ଭାରତୀୟ ଦଳ କିନ୍ତୁ ଶନିବାର ଏହି ଲକ୍ଷ୍ୟରେ ପହଞ୍ଚିଗଲେ ଆଇସିସି ଦିନିକିଆ ମାନ୍ୟତାରେ ମଧ୍ୟ ଶୀର୍ଷସ୍ଥାନକୁ କବ୍‌ଜା କରି ଦ୍ୱିମୁକଟ ଅର୍ଜନ କରିବ। ସେହିଭଳି ଭାରତୀୟ ମହିଳା ଦଳ ମଧ୍ୟ ଶନିବାର ସେମାନଙ୍କ ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ଶୃଙ୍ଖଳା ଜିତି ସାରିଥିବା ଭାରତୀୟ ଦଳ ଏବେ ୩-୦ ମୂଳପୋଛ ବିଜୟ ଲକ୍ଷ୍ୟରେ ରହିଛି। ପୁରୁଷଙ୍କ ମୁକାବିଲାରେ ଭାରତ ସଫଳ ହେଲେ କୋହଲି ସେନା ମହେନ୍ଦ୍ର ସିଂହ ଧୋନିଙ୍କ ୮ ବର୍ଷ ତଳର ଦୁଃସ୍ୱପ୍ନକୁ ଦୂର କରିଦେବେ। ପ୍ରଥମ ଓ ଶେଷ ଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୨୦୧୦-୧୧ରେ ୨-୧ରେ ଆଗୁଆ ହୋଇଥିଲେ ମଧ୍ୟ ୨-୩ରେ ହାରିଯାଇଥିଲେ। ଫଳରେ ୧୯୯୨-୯୩ ମସିହାରୁ ଆରମ୍ଭ ହୋଇଥିବା ଭାରତର ଦକ୍ଷିଣ ଆଫ୍ରିକା ଅଭିଯାନରେ ଦିନିକିଆ ଶୃଙ୍ଖଳା ବିଜୟ ଦୁର୍ଲ୍ଲଭ ହୋଇ ରହିଛି। ଲଗାତାର ୩ ବିଜୟ ସତ୍ୱେ ଭାରତୀୟ ଦଳ ଆତ୍ମପ୍ରସନ୍ନ ହୋଇନାହିଁ ବୋଲି ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାଓ୍ଵନ ସ୍ପଷ୍ଟ କରିଛନ୍ତି। ପ୍ରଥମ ୩ ମ୍ୟାଚ୍‌ରେ କୋହଲି ୨ ଶତକ ମାରି ଜବରଦସ୍ତ ଫର୍ମରେ ଥିବାରୁ ଭାରତୀୟ ଦଳର ମନୋବଳ ଉଚ୍ଚା ରହିଛି। ସ୍ପିନ୍‌ ଯୋଡ଼ି ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ସଫଳତା ମଧ୍ୟ ଦକ୍ଷିଣ ଆଫ୍ରିକାର ଚିନ୍ତା ବଢ଼ାଇବା ସହ ଯୋଜନାକୁ ଗଡ଼ବଡ଼ କରି ଦେଇଛି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍‌ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୁଇଟି କାରଣରୁ। ସ୍ତନ କର୍କଟ ବିରୋଧରେ ସଚେତନତା ଲାଗି ପ୍ରତି ବର୍ଷ ଭଳି ଶନିବାରର ମ୍ୟାଚ୍‌ ‘ଗୋଲାପୀ ଦିନିକିଆ’ର ଆଖ୍ୟା ପାଇଛି। ଗୋଲାପୀ ପୋଷାକରେ ଖେଳିବେ ଦକ୍ଷିଣ ଆଫ୍ରିକା ଖେଳାଳି। ଘରୋଇ ଦଳ ପାଇଁ ସବୁଠାରୁ ଖୁସିର ଖବର ହୋଇଛି ଆହତ ଏବି ଡି’ଭିଲିୟର୍ସଙ୍କ ପ୍ରତ୍ୟାବର୍ତନ। ଡି’ଭିଲିୟର୍ସ ଖେଳିବା ସ୍ପଷ୍ଟ ହେବା ପରେ ଡୁମିନି ୩ ନମ୍ବରରୁ ୪କୁ ଖସିବେ। ଦକ୍ଷିଣ ଆଫ୍ରିକା ଏହା ବଦଳରେ ଡେଭିଡ୍‌ ମିଲର୍‌ କିମ୍ବା ଖୟା ଜୋଣ୍ଡୋଙ୍କୁ ବାଦ୍‌ ଦେବ। ବ୍ୟାଟ୍‌ସମ୍ୟାନ୍‌ ଫାରହାନ୍‌ ବେହାରଦିନ୍‌ ଏବଂ ମର୍ନି ମର୍କେଲଙ୍କୁ ମଧ୍ୟ ଘରୋଇ ଦଳ ପୁଣି ଚୂଡାନ୍ତ ଏକାଦଶକୁ ଆଣିବା ସମ୍ଭାବନା ରହିଛି। କିନ୍ତୁ ନ୍ୟୁଲାଣ୍ଡ୍‌ସରେ ଦକ୍ଷିଣ ଆଫ୍ରିକା ୫ ଜଣ ସ୍ଥାନୀୟ କଚଟି ସ୍ପିନର୍‌ଙ୍କୁ ନେଇ ଅଭ୍ୟାସ କରିଥିଲେ ମଧ୍ୟ କୁଲଦୀପ-ଚହଲଙ୍କୁ ମୁକାବିଲା କରିବାରେ ସକ୍ଷମ ହୋଇ ନ ଥିଲା। ଏହି ଭାରତୀୟ ଯୋଡ଼ି ଉପଲବ୍‌ଧ ୨୮ ଓ୍ଵିକେଟ୍‌ରୁ ମିଳିତ ଭାବେ ୨୧ ଦଖଲ କରି ନେଇଛନ୍ତି। ଗୋଲାପୀ ଦିନିକିଆ କିନ୍ତୁ ଘରୋଇ ଦଳ ପାଇଁ ଶୁଭଙ୍କର ରହିଛି। ୨୦୧୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଦକ୍ଷିଣ ଆଫ୍ରିକା ୬ ମ୍ୟାଚ୍‌ ଖେଳି ଆଦୌ ହାରିନାହିଁ। ବ୍ୟକ୍ତିଗତ ଭାବେ ଡି’ଭିଲିୟର୍ସଙ୍କ ପାଇଁ ମଧ୍ୟ ଗୋଲାପୀ ମ୍ୟାଚ୍‌ ଶୁଭଙ୍କର ରହିଛି। ୨୦୧୩ରେ ଭାରତ ବିପକ୍ଷରେ ସେ ୪୭ ବଲ୍‌ରୁ ୭୭ ରନ୍‌ କରିଥିଲା ବେଳେ ୨୦୧୫ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ମାତ୍ର ୪୪ ବଲ୍‌ରୁ ୧୪୯ ରନ୍‌ କରିଥିଲେ। ୨୦୧୩ରେ ଦକ୍ଷିଣ ଆଫ୍ରିକା ଏଠାରେ ୩୫୮/୪ ରନ୍‌ କରିବା ପରେ ଭାରତ ୧୪୧ ରନ୍‌ରେ ହାରିଥିଲା। ଭାରତ ପାଇଁ ରୋହିତ ଶର୍ମାଙ୍କ ଫର୍ମ ଏକମାତ୍ର ଚିନ୍ତାର କାରଣ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧ ମ୍ୟାଚ୍‌ ଖେଳି ଏହି ୩ ଥର ଦ୍ୱିଶତକଧାରୀ ମାତ୍ର ୧୨.୧୦ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ତଥାପି ସେ ଚୂଡ଼ାନ୍ତ ଏକାଦଶରେ ରହିବା ନିଶ୍ଚିତ।

ସେଞ୍ଚୁରିଅନ୍‌ରେ ଭାରତ ଅପରିବର୍ତିତ ଦଳ ନେଇ ଖେଳିବ। ଏହି ପଡ଼ିଆରେ ଭାରତ ୭ ଦିନିକିଆ ଖେଳି ୩ ଜିତି ୪ ହାରିଛି। ଏହା ମଧ୍ୟରେ ୨୦୦୩ ବିଶ୍ୱକପ୍‌ର ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ ରହିଛି। କିନ୍ତୁ ଏଠାରେ ଭାରତର ଅପରାଜିତ ଟେଷ୍ଟ୍‍ ପ୍ରଦର୍ଶନ ରହିଛି। ଶେଷ ଥର ପାଇଁ ଭାରତ ଏହି ପଡ଼ିଆରେ ମୁନାଫ ପଟେଲ୍‌ଙ୍କ ୪/୨୯ ପ୍ରଦର୍ଶନ ବଳରେ ୧ ରନରେ ରୋମାଞ୍ଚକ ଦିନିକିଆ ବିଜୟ ହାସଲ କରିଥିଲା। କିନ୍ତୁ ଡି’ଭିଲିୟର୍ସଙ୍କ ଆଗମନ ପରେ ଦକ୍ଷିଣ ଆଫ୍ରିକାର ମନୋବଳ ବଢ଼ିଥିବାରୁ ଶନିବାର ମ୍ୟାଚ୍‌ ଏକପାଖିଆ ନ ହୋଇ ନିଶ୍ଚିତ ସଂଘଷପୂର୍ଣ୍ଣ ହେବ ବୋଲି ବିଶ୍ୱାସ କରାଯାଉଛି।

ଭାରତୀୟ ଦଳ (ସମ୍ଭାବ୍ୟ): ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍‌, କୁଲ୍‌ଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା।

ଦକ୍ଷିଣ ଆଫ୍ରିକା (ସମ୍ଭାବ୍ୟ): ଏଦୈନ ମର୍କରାମ (ଅଧିନାୟକ), ହାସିମ୍‌ ଆମଲା, ଜେପି ଡୁମିନି, ଏବି ଡି’ଭଲିୟର୍ସ (ଓ୍ଵିକେଟ୍‌ ରକ୍ଷକ), ଫାରହାନ୍‌ ବେହାରଦିନ୍‌, ଡେଭିଡ୍‌ ମିଲର୍‌/ ଖାୟେଲିଲେ ଜୋଣ୍ଡୋ, କ୍ରିସ୍‌ ମୋରିସ୍‌, ଆନ୍ଦିଲ୍‌ ଫେୁଲକ୍ୱାୟୋ, କାଗିସୋ ରବାଦା, ମର୍ନି ମର୍କେଲ, ଇମ୍ରାନ୍‌ ତାହିର୍‌।

ବରଫ ଉପରେ କ୍ରିକେଟ୍‌: ଶୃଙ୍ଖଳା ହାରିଲେ ସେହବାଗ
ସେଣ୍ଟ୍‌ ମୋରିଜ୍‌ (ସ୍ୱିଜରଲାଣ୍ଡ୍‌),: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗଙ୍କ ଦଳ ସ୍ୱିଜରଲାଣ୍ଡ୍‌ର ସେଣ୍ଟ୍‌ ମୋରିଜ୍‌ଠାରେ ଚାଲିଥିବା ବରଫ କ୍ରିକେଟ୍‌ ଶୃଙ୍ଖଳା ହାରି ଯାଇଛି। ଗୁରୁବାର ସେହବାଗଙ୍କ ନେତୃତ୍ୱରେ ଖେଳୁଥିବା ଡାଇମଣ୍ଡ୍‌ ଦଳ ସାହିଦ ଆଫ୍ରିଦ୍‌ଙ୍କ ରୟାଲ୍ସ ଦଳଠୁ ହାରି ୨ ଟିକିଆ ଏହି ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ୦-୧ରେ ପଛୁଆ ରହିଥିଲା। ପୁଣି ଶୁକ୍ରବାରର ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ରୟାଲ୍ସ ଦଳ ୮ ଓ୍ଵିକେଟ୍‌ରେ ଜିତି ୨-୦ରେ ଶୃଙ୍ଖଳା କବ୍‌ଜା କରିଥିଲା।
ଶୁକ୍ରବାର ଟସ୍‌ ଜିତିଥିବା ଡାଇମଣ୍ଡ୍‌ ଦଳ ୨୦୫ ରନ୍‌ କରିଥିଲା। ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଆଣ୍ଡ୍ରି ସାଇମଣ୍ଡ୍‌ସ ୬୭* (୪୨ ବଲ୍‌) ଏବଂ ଭାରତୀୟ ତାରକା ମହମ୍ମଦ କୈଫ୍‌ ୫୭ ରନ୍‌ (୩୦ ବଲ୍‌) ଅର୍ଧଶତକ ଜମାଇଥିଲେ। ପ୍ରଥମ ମ୍ୟାଚ୍‌ରେ ୬୨ ରନ୍‌୍‌ କରିଥିବା ସେହବାଗ ଦ୍ୱିତୀୟ ମ୍ୟାଚ୍‌ରେ ୪୬ ରନ୍‌ (୨୨ ବଲ୍‌)ର ଯୋଗଦାନ ରଖିଥିଲେ। ରୟାଲ୍ସ ପକ୍ଷରୁ ଅବ୍‌ଦୁଲ ରଜାକ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ରୟାଲ୍ସ ୧୬.୨ ଓଭରରେ ୨ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଦୁଇ ଦକ୍ଷିଣ ଆଫ୍ରିକୀୟ ତାରକା ଗ୍ରେମ୍‌ ସ୍ମିଥ୍‌ (୫୮ ରନ୍‌) ଓ ଜ୍ୟାକ୍‌ କାଲିସ୍‌ (୯୦*)ଙ୍କ ସାଙ୍ଗକୁ ଇଂଲଣ୍ଡ ଅଲ୍‌ରାଉଣ୍ଡର ଓଏସିସ୍‌ ସାହା (୪୩*) ଅପରାଜିତ ରହି ରୟାଲ୍ସକୁ ଶୃଙ୍ଖଳା ଭେଟି ଦେଇଥିଲେ। ଡାଇମଣ୍ଡ୍‌ ପକ୍ଷରୁ ଜାହିର ଖାନ୍‌ ଏବଂ ରମେଶ ପାଓ୍ଵାର ଓ୍ଵିକେଟ୍‌ ଦୁଇଟିକୁ ବାଣ୍ଟି ନେଇଥିଲେ।

ସମ୍ବନ୍ଧିତ ଖବର