କ୍ରମାଗତ ଷଷ୍ଠ ଘରୋଇ ଶୃଙ୍ଖଳା ବିଜୟ

ଥିରୁବନ୍ତପୁରମ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଦଳ ପୁଣି ଏକ ଦମ୍‌ଦାର ଦିନିକଆ ବିଜୟ ହାସଲ କଲା। ମୁମ୍ବାଇରେ ଚତୁର୍ଥ ଦିନିକିଆ ମ୍ୟାଚ୍‌କୁ ୨୨୪ ରନ୍‌ରେ ଜିତି ନେଇଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ଗୁରୁବାର କେରଳର ଥିରୁବନ୍ତପୁରମ୍‌ରେ ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳକୁ ୯ ୱିକେଟ୍‌ରେ ପରାସ୍ତ କରିଦେଲା। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୧ରେ ଭାରତ ଜିତିନେଲା। ଇଣ୍ଡିଜ୍‌କୁ ମାତ୍ର ୧୦୪ ରନ୍‌ରେ ରୋକିଦେବା ପରେ ଭାରତ କେବଳ ଶିଖର ଧାୱନ୍‌ଙ୍କ ୱିକେଟ୍‌ ହରାଇ ୨୧୧ ବଲ୍‌ ପୂର୍ବରୁ ଅତି ସହଜ ବିଜୟ ହାସଲ କଲା। ଏଥି ସହିତ ଘରୋଇ ମାଟିରେ ଭାରତ କ୍ରମାଗତ ଷଷ୍ଠ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିବା ସାଙ୍ଗକୁ ୨୦୦୬ ମସିହା ପରଠୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବାର ‌େଗୗରବ ପାଇଲା। ଚଳିତ ଶୃଙ୍ଖଳାରେ ଭାରତ ପ୍ରଥମ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌ ଟାଇ ରହିଥିଲା। ତେବେ ତୃତୀୟ ମ୍ୟାଚ୍‌କୁ ଇଣ୍ଡିଜ୍‌ ଦଳ ଜିତି କେବଳ ବ୍ୟବଧାନ କମାଇବାକୁ ସମର୍ଥ ହୋଇଥିଲା। ଭାରତ ଶେଷଥର ପାଇଁ ଘରୋଇ ମାଟିରେ ୨୦୧୫ରେ ଶୃଙ୍ଖଳା ହାରିଥିଲା। ସେହି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୩ରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଯାଇଥିଲା। ଏହାପରଠୁ ଲଗାତାର ୬ ଶୃଙ୍ଖଳା ଜିତିଲା।

ଜାଦେଜାଙ୍କ ଯାଦୁ
ଥିରୁବନ୍ତପୁରମ୍‌ର ଗ୍ରିନ୍‌ଫିଲ୍‌ଡ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଗୁରୁବାର ଟସ୍‌ ଜିତି ଇଣ୍ଡିଜ୍‌ ଅଧିନାୟକ ଜାସନ୍‌ ହୋଲ୍‌ଡର ଭାରତକୁ ବୋଲିଂ ପାଇଁ ଆହ୍ବାନ କରିଥିଲେ। ହେଲେ ଘରୋଇ ଦଳର ଦୁଇ ଦ୍ରୁ୍ତ ବୋଲର ଭୁବନେଶ୍ବର କୁମାର ଓ ଯଶ୍‌ପ୍ରୀତ୍‌ ବୁମ୍‌ରା ଘାତକ ବୋଲିଂ କରି ହୋଲ୍‌ଡରଙ୍କ ନିଷ୍ପତ୍ତିକୁ ଭୁଲ୍‌ ପ୍ରମାଣିତ କରିଦେଇଥିଲେ। ଭୁବନେଶ୍ବର କୁମାର ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ କିରଣ ପାୱେଲ (୦)ଙ୍କୁ ଏବଂ ବୁମ୍‌ରା ମଧ୍ୟ ତାଙ୍କ ପ୍ରଥମ ତଥା ଦଳର ଦ୍ବିତୀୟ ଓଭରର ସେହି ଚତୁର୍ଥ ବଲ୍‌‌େର ଫର୍ମରେ ଥିବା ସାଇ ହୋପ୍‌ (୦)ଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ପଠାଇ ଦେଇଥିଲେ। ଏହି ପ୍ରାରମ୍ଭିକ ଯୁଗଳ ଝଟ୍‌କାରୁ ଇଣ୍ଡିଜ୍‌ ଆଉ ନିସ୍ତାର ପାଇନଥିଲା। ଏହାପରଠୁ ସ୍ପିନର ରବୀନ୍ଦ୍ର ଜାଦେଜାଙ୍କ ଯାଦୁରେ ଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ୍‌ମାନେ ବଶୀଭୂତ ହୋଇଯାଇଥିଲେ। କିଛି ସମୟ ଲଢ଼ିଥିବା ଅଭିଜ୍ଞ ମାର୍ଲନ୍‌ ସାମୁଏଲ୍‌ସ (୨୪)ଙ୍କୁ ଦ୍ବାଦଶ ଓଭରର ପଞ୍ଚମ ବଲ୍‌ରେ ଆଉଟ୍‌ କରି ୱି‌େକଟ୍‌ ଦଖଲ ଆରମ୍ଭ କରିଥିବା ଜାଦେଜା ପରେ ପରେ ଷୋଡ଼ଷ ଓଭରର ପଞ୍ଚମ ବଲ୍‌ରେ ଫର୍ମରେ ଥିବା ଅନ୍ୟତମ ବ୍ୟାଟ୍ସମ୍ୟାନ୍‌ ସିମ୍ରନ୍‌ ହେଟ୍‌ମେୟର (୯)ଙ୍କୁ ଆଉଟ୍‌ କରି ଇଣ୍ଡିଜ୍‌ ପାଳିର ସର୍ବବୃହତ୍‌ କ୍ଷତି ଘଟାଇଥିଲେ। ଏହାପରେ ସେଦୁଇ ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ୍‌ କେମାର ରୋଚ୍‌ ଓ ଥୋମାସ୍‌ଙ୍କୁ ୩୨ତମ ଓଭରର ତୃତୀୟ ଓ ପଞ୍ଚମ ବଲ୍‌ରେ ଆଉଟ୍‌ କରି ଇଣ୍ଡିଜ୍‌ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। ଜାଦେଜା ୩୪ ରନ୍‌ରେ ୪ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ବୁମ୍‌ରା ଓ ଖଲିଲ ଅହମ୍ମଦ ୨ ଲେଖାଏଁ ଏବଂ ଭୁବନେଶ୍ବର ଓ କୁଲ୍‌ଦୀପ୍‌ ଯାଦବ ଗୋଟିଏ ଲେଖାଏଁ ୱି‌େକଟ୍‌ ପାଇଥିଲେ। ଫଳରେ ଇଣ୍ଡିଜ୍‌ ଦଳ ୩୧.୫ ଓଭରରେ ମାତ୍ର ୧୦୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା।

କୋହଲି ଶୃଙ୍ଖଳା ଓ ଜାଦେଜା ମ୍ୟାଚ୍‌ର ‌େଶ୍ରଷ୍ଠ
ମାର୍ଲନ୍‌ ସାମୁଏଲ୍‌ସ ଓ ସିମ୍ରନ୍‌ ହେଟ୍‌ମେୟରଙ୍କ ସହିତ ୪ ୱିକେଟ୍‌ ମାତ୍ର ୩୪ ରନ୍‌ରେ ଅକ୍ତିଆର କରିଥିବା ରବୀନ୍ଦ୍ର ଜାଦେଜାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଗତ ସେପ୍ଟେମ୍ବର ମାସରେ ଏସିଆ କପ୍‌ ବେଳେ ଦଳକୁ ପ୍ରତ୍ୟାବର୍ତନ କରିବା ପରଠୁ ଖେଲିଥିବା ମୋଟ ୮ ମ୍ୟାଚ୍‌ ମଧ୍ୟରୁ ଜାଦେଜାଙ୍କର ଏହା ଥିଲା ଦ୍ବିତୀୟ ୪ ୱିକେଟ୍‌ ସଫଳତା। ଯାଜେଦା ଏହି ଶୃଙ୍ଖଳାରେ ମୋଟ ୪ ମ୍ୟାଚ୍‌ ଖେଳି ୭ ୱିକେଟ୍‌ ଦଖଲ କରିଥିଲେ। ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି କେବଳ ଦ୍ବିତୀୟ ମ୍ୟାଚ୍‌କୁ ବାଦ୍‌ ଦେଲେ ପୂରା ଶୃଙ୍ଖଳାରେ ଇଣ୍ଡିଜ୍‌ ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିଲେ। ସେ ୫ ମ୍ୟାଚ୍‌ରେ ମୋଟ ୪୫୩ ରନ୍‌ କରିଥିଲେ। ଯେଉଁଥିରେ ସାମିଲ ଥିଲା ୩ କ୍ରମାଗତ ଶତକ। ଗୌହାଟୀରେ ୧୪୦, ବିଶାଖାପାଟଣାରେ ଅପରାଜିତ ୧୫୭ ଓ ପୁନେରେ ୧୦୭ ରନ୍‌ କରିଥିବା ‌େକାହଲି ମୁମ୍ବାଇରେ ୧୬ ଓ ଗୁରୁବାର ଥିରୁବନ୍ତପୁରମ୍‌ରେ ଅପରାଜିତ ୩୩ ରନ୍‌ କରିଥିଲେ। ଆଉ ଏହି ସଫଳତା ପାଇଁ ତାଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର