ଜାକର୍ତା: ବିଜେତା ଭାରତୀୟ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣରେ ମଙ୍ଗଳବାର ଏକ ମ୍ୟାଚ୍ରେ ଗୋଲ୍ର ବର୍ଷା କରିଦେଇଛି। ଗତଥରର ବିଜେତା ଭାରତ ଏହି ମ୍ୟାଚ୍ରେ ଶ୍ରୀଲଙ୍କାକୁ ୨୦-୦ ଗୋଲ୍ରେ ପରାସ୍ତ କରିଦେଇଛି। ପୁଲ୍-ଏରେ ଭାରତର ଏହା ଚତୁର୍ଥ ତଥା ଶେଷ ମ୍ୟାଚ୍ ଥିଲା। ଆଉ ଏହି ମ୍ୟାଚ୍ ଜିତି ଭାରତ ମଧ୍ୟ ପୁଲ୍-ଏରେ ଅପରାଜେୟ ସହ ସେମିଫାଇନାଲ୍ ପ୍ରବେଶ କରିଛି। ଭାରତ ୪ ମ୍ୟାଚ୍ରୁ ମୋଟ ୭୬ ଗୋଲ୍ ପ୍ରତିପକ୍ଷଙ୍କ ଉପରେ ଲଦି ଦେଇଥିଲା ବେଳେ ମାତ୍ର ୩ ଗୋଲ୍ ବରଣ କରିଛି। ପୁଲ୍-ଏର ଶୀର୍ଷ ଦଳ ଭାବେ ଭାରତ ପୁଲ୍-ବିର ଦ୍ୱିତୀୟ ସ୍ଥାନ ପାଇଥିବା ମାଲେସିଆକୁ ସେମିଫାଇନାଲ୍ରେ ଭେଟିବ। ଗୁରୁବାର ସେମିଫାଇନାଲ୍ ଖେଳାଯିବ। ଅନ୍ୟପକ୍ଷରେ ଗତ ସଂସ୍କରଣର କାଂସ୍ୟ ବିଜୟିନୀ ଭାରତୀୟ ମହିଳା ଦଳ ଆସନ୍ତାକାଲି ସେମିଫାଇନାଲ୍ରେ ଗତଥରର ରୌପ୍ୟ ବିଜୟିନୀ ଚୀନ୍ ସହ ମୁହାଁମୁହିଁ ହେବ। ମହିଳାର ଅନ୍ୟ ସେମିଫାଇନାଲ୍ରେ ବିଜୟିନୀ କୋରିଆକୁ ଭେଟିବ ଜାପାନ।
ବିଶ୍ୱ ମାନ୍ୟତାର ପଞ୍ଚମ ଭାରତ ଏବଂ ୩୮ ମାନ୍ୟତା ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ମ୍ୟାଚ୍ ସଂପୂର୍ଣ୍ଣ ଏକପାଖିଆ ରହିଥିଲା। ଆରମ୍ଭରୁ ଆଧିପତ୍ୟ ଜମାଇଥିବା ଭାରତ ନବମ ମିନିଟ୍ରୁ ଗୋଲ୍ ଅଭିଯାନ ଆରମ୍ଭ କରିଥିଲା। ଏହି ମ୍ୟାଚ୍ରେ ଆକାଶଦୀପ୍ ସିଂହ ହ୍ୟାଟ୍ରିକ୍ ଅର୍ଜନ କରିବା ସାଙ୍ଗକୁ ଏକାକି ୬ ଗୋଲ୍ କରିଥିଲା ବେଳେ ରୂପୀନ୍ଦର ପାଲ୍ ସିଂହ, ହର୍ମନ୍ପ୍ରୀତ୍ ସିଂହ ଓ ମନ୍ଦୀପ୍ ସିଂହ ୩ଟି ଲେଖାଏଁ ଗୋଲ୍ ଦେଇଥିଲେ। ଆକାଶଦୀପ୍ ମ୍ୟାଚ୍ର ଦଶମ, ଏକାଦଶ, ଅଷ୍ଟାଦଶ, ୨୩ତମ, ୩୩ତମ ଓ ୪୩ତମ ମିନିଟ୍ରେ ଗୋଲ୍ କରିଥିଲା ବେଳେ ନିଜର ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ରୁପୀନ୍ଦର ଦ୍ୱିତୀୟ, ୫୨ତମ ଓ ୫୩ତମ ମିନିଟ୍ରେ, ହର୍ମନ୍ପ୍ରୀତ୍ ଷଷ୍ଠ, ୨୨ତମ ଓ ୩୩ତମ ମିନିଟ୍ ଏବଂ ମନ୍ଦୀପ୍ ୩୬, ୪୪ ଓ ୫୯ତମ ମିନିଟ୍ରେ ଗୋଲ୍ ଦେଇ ଭାରତକୁ ବଡ଼ ବ୍ୟବଧାନରେ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲଲିତ ଉପାଧ୍ୟାୟ (୫୮ ଓ ୫୯ ମିନିଟ୍) ଦୁଇଟି ଏବଂ ବିବେକ ସାଗର ପ୍ରସାଦ (୩୨ ମିନିଟ୍), ଓଡ଼ିଆ ପୁଅ ଅମିତ୍ ରୋହିଦାସ (୩୦ ମିନିଟ୍) ଏବଂ ଦିଲ୍ପ୍ରୀତ୍ ସିଂହ (୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ିଥିଲେ। ଏହି ୨୦ ଗୋଲ୍ ମଧ୍ୟରୁ ଭାରତ ୧୨ ଫିଲ୍ଡ ଗୋଲ୍ କରିଥିଲା ବେଳେ ପେନାଲ୍ଟି କର୍ନରରୁ ୭ ଏବଂ ପେନାଲ୍ଟି ଷ୍ଟ୍ରୋକ୍ରୁ ଗୋଟିଏ ଗୋଲ୍ କରିଥିଲା।
ଶ୍ରୀଲଙ୍କାକୁ ୨୦-୦ରେ ହରାଇଲେ:ହକି ସେମିରେ ଭାରତ-ମାଲେସିଆ
/sambad/media/post_attachments/wp-content/uploads/2018/08/hokey-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)