ବିଶ୍ବକପ୍‌ରେ ଭାରତ ଜାଣିଶୁଣି ହାରିନଥିଲା: ଷ୍ଟୋକ୍ସ

ନୂଆଦିଲ୍ଲୀ: ଇ˚ଲଣ୍ତ ଅଲ୍‌ରାଉଣ୍ତର ବେନ୍‌ ଷ୍ଟୋକ୍ସ ତାଙ୍କ ବହି ‘ଅନ୍‌ ଫାୟାର’ରେ ଗତ ବିଶ୍ବକପ୍‌ରେ ଭାରତ ଜାଣିଶୁଣି ଇ˚ଲଣ୍ତଠୁ ପରାଜିତ ହୋଇଥିବା ବିଷୟ ଉଲ୍ଲେଖ ରହିଥିବା ଖବରକୁ ଖଣ୍ତନ କରିଛନ୍ତି। ଏହି ବହିକୁ ହେଡ୍‌ଲାଇନ୍‌ ବୁକ୍ସ ପ୍ରକାଶିତ କରିଥିଲା ବେଳେ ହାଚେଟ୍‌ ଇଣ୍ତିଆ ଏହାର ବିତରଣ ଦାୟିତ୍ବ ନେଇଛି। ଏହି ବହିରେ ବିଶ୍ବକପ୍‌ରେ ଇ˚ଲଣ୍ତର ପ୍ରତ୍ୟେକ ମ୍ୟାଚ୍‌କୁ ବିଶ୍ଲେଷଣ କରାଯାଇଛି। କିନ୍ତୁ ଭାରତ ସହ ହୋଇଥିବା ମ୍ୟାଚ୍‌ର ବିଶ୍ଲେଷଣ ସାମାଜିକ ଗଣମାଧ୍ୟମରେ ଅଧିକ ଧ୍ୟାନ ଆକର୍ଷିତ କରିଛି।

ଭାରତ ବିପକ୍ଷ ମ୍ୟାଚ୍‌ ବିଷୟରେ ଷ୍ଟୋକ୍ସ ଲେଖିଛନ୍ତି ଯେ, ଏହି ମ୍ୟାଚ୍‌ରେ ଧୋନିଙ୍କର ଅଳ୍ପ କିମ୍ବା ଆଦୌ ଉଦ୍ଦେଶ୍ୟ ନଥିବା ଭଳି ଲାଗୁଥିଲା। ଏଥିସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ହୋଇଥିବା ଭାଗୀଦାରିକୁ ସେ ରହସ୍ୟମୟ ଭାବେ ବର୍ଣ୍ଣନା କରିଛନ୍ତି। କିନ୍ତୁ ପୂର୍ବତନ ପାକିସ୍ତାନ ବୋଲର ସିକନ୍ଦର ବକ୍ତ ଟ୍ବିଟରରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ପାକିସ୍ତାନକୁ ବିଶ୍ବକପ୍‌ରୁ ବିଦା କରିବା ପାଇଁ ଭାରତ ଜାଣିଶୁଣି ଇଂଲଣ୍ଡଠୁ ହାରିଥିଲା ବୋଲି ସିକନ୍ଦର ଅଭିଯୋଗ କରିଥିଲେ। କିନ୍ତୁ ଏହାକୁ ଷ୍ଟୋକ୍ସ ଖଣ୍ତନ କରିଥିଲେ। ଏହି ପ୍ରଶ୍ନର ଜବାବ ମିଳିବନି କାରଣ ସେ ବହିରେ ଏବିଷୟରେ କିଛି କହିନାହାନ୍ତି। ତେଣୁ ଏହାକୁ କେବଳ ଶବ୍ଦର ଖେଳ ବୋଲି ଷ୍ଟୋକ୍ସ ଜବାବ ଦେଇଥିଲେ। ଷ୍ଟୋକ୍ସ ତାଙ୍କ ବହିରେ ଆହୁରି ଲେଖିଛନ୍ତି ଯେ, ଧୋନିଙ୍କ ଖେଳ ଦେଖି ଇ˚ଲଣ୍ତ ଡ୍ରେସି˚ ରୁମ୍‌ରେ ଆଲୋଚନା ଆରମ୍ଭ ହୋଇଯାଇଥିଲା। ମ୍ୟାଚ୍‌କୁ ଅଧିକ ଲମ୍ବା ଟାଣିବାକୁ ଧୋନି ଚେଷ୍ଟା କରୁଥିବା ଲାଗୁଥିଲା। ସେ ୩୧ ବଲ୍‌ରୁ ୪୨* ରନ୍‌ ସ˚ଗ୍ରହ କରିଥିଲେ ସୁଦ୍ଧା ଅଧିକା˚ଶ ରନ୍‌ ଶେଷ ଓଭର ବେଳକୁ ଆସିଥିଲା ଓ ସେତେବେଳକୁ ମ୍ୟାଚ୍‌ ଭାରତ ହାତରୁ ଖସିସାରିଥିଲା।

ସମ୍ବନ୍ଧିତ ଖବର