୪ ବର୍ଷ ପୂର୍ବରୁ ବିଫଳ ହୋଇଥିଲେ, ଇଂଲଣ୍ଡ ମାଟିରେ ଶତକ ମାରିଲେ ବିରାଟ କୋହଲି

ବର୍ମିହାମ: ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୨୨ତମ ଶତକ ଇଂଲଣ୍ଡ ବିରୋଧରେ ହାସଲ କରିଛନ୍ତି। ଇଂଲଣ୍ଡର ଏଜବେଷ୍ଟନ୍‌ ଷ୍ଟାଡିୟମରେ ଗୁରୁବାର ୨ୟ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଥିବା ବେଳେ କୋହଲି ଏହି ସ୍ମରଣୀୟ ଶତକ(୧୦୧ ରନ୍‌, ୧୭୨ ବଲ୍‌, ୧୪ ଚୌକା) ହାସଲ କରିଛନ୍ତି। ୪ ବର୍ଷ ତଳେ ଯେଉଁ ବିରାଟ କୋହଲି ଇଂଲଣ୍ଡ ମାଟିରେ ବିଫଳ ହୋଇଥିଲେ ସେ ଆଜି ସଫଳତାର ସହିତ ଶତକ ମାରିଛନ୍ତି। ବର୍ଷ ୨୦୧୪ରେ ଘଟିଥିବା ଘଟଣାକୁ ଭୁଲି କୋହଲି ଦୃଢ଼ ମନୋଭାବ ସହିତ କ୍ରିଜରେ ଥିଲେ। ଦଳର ୯ଜଣ ଖେଳାଳି ଆଉଟ୍‌ ହୋଇଥିଲେ ମଧ୍ୟ ସେ ଲକ୍ଷ୍ୟକୁ ପୂରା କରିବା ପାଇଁ ଅପେକ୍ଷା କରିଥିଲେ।

୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାର ପ୍ରଥମ ପାଳିରେ ଇଂଲଣ୍ଡ ୨୮୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇବା ପରେ ଭାରତର ବ୍ୟାଟିଂ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୯ଟିି ଓ୍ଵିକେଟ ହରାଇ ୬୬.୩ ଓଭରରେ ୨୨୭ ରନ୍‌ ସଂଗ୍ରହ କରିଛି।

ଓପନର ମୁରଲି ବିଜୟ(୨୦) ସାମ କୁରାନଙ୍କ ବଲରେ ଏଲବିଡବ୍ଲ୍ୟୁ ହେବା ପରେ ଲୋକେଶ ରାହୁଲ(୪) ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ୩ୟ ଶିକାର ହୋଇଛନ୍ତି ଶିଖର ଧାଓ୍ଵନ(୨୬)। ସେ ସାମଙ୍କ ବଲ ମଲାନଙ୍କୁ କ୍ୟାଚ ଦେଇଛନ୍ତି। ବେନଷ୍ଟୋକଙ୍କ ବଲ ଜେନିଙ୍ଗସ୍‌ଙ୍କୁ କ୍ୟାଚ ଦେଇ ଆଜିଙ୍କ୍ୟ ରାହାଣେ ପାଭଲିଅନକୁ ଫେରିଛନ୍ତି। ଦିନେଶ କାର୍ତ୍ତିକ କୌଣସି ରନ୍‌ ନକରି ବେନ୍‌ ଷ୍ଟୋକସ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୨ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ ୧୦ ରନ୍‌ ଓ ମହମ୍ମଦ ସାମି ୨ ରନ୍‌ କରି ପାଭଲିଅନ ଫେରିଥିଲେ।

ସମ୍ବନ୍ଧିତ ଖବର