ନଟିଂହାମ୍‌ ଟେଷ୍ଟ: ଇଂଲଣ୍ଡ ବିରୋଧରେ ଭାରତ ପ୍ରଥମ ଇନିଂସରେ ୩୨୯ ରନ୍‌

ନଟିଂହାମ୍‌: ଭାତର ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍‌ ହରାଇ ୩୨୯ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ଟେଷ୍ଟର ୩ୟ ମୁକାବିଲାର ୨ୟ ଦିନ ରବିବାର ଭାରତ ସ୍କୋର ୬/୩୦୭ରୁ ଆରମ୍ଭ କରିଥିଲା। ଆଜି ମାତ୍ର ୨୨ ରନ୍‌ରେ ଋଷଭ ପନ୍ଥ(୨୪), ରବିଚନ୍ଦ୍ରନ ଅଶ୍ୱିନ(୧୪), ମହମ୍ମଦ ସାମି(୩) ଓ ଯସପ୍ରୀତ ବୁମରା(୦)ଙ୍କୁ ହରାଇଥିଲା। ଇଂଲଣ୍ଡ ପକ୍ଷରୁ ଜେମସ୍‌ ଆଣ୍ଡରସନ୍‌ଙ୍କୁ ୩ଟି ଓ୍ଵିକେଟ୍‌, ଷ୍ଟୁଆର୍ଟ ବ୍ରୋଡଙ୍କୁ ୩ଟି ଓ୍ଵିକେଟ୍‌, କ୍ରିସ ଓ୍ଵକସ୍‌ଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଆଦିଲ ରସିଦଙ୍କୁ ଗୋଟିଏ ଓ୍ଵିକେଟ୍‌ ମିିଳଥିଲା।

ପ୍ରଥମ ଦିନରେ ଶନିବାର ଭାରତ ପାଇଁ ଅଧିନାୟକ ବିରାଟ କୋହଲି ପ୍ରଥମ ଦିନରେ ସର୍ବାଧିକ ୯୭ ରନ୍‌ ଯୋଡ଼ିଥିଲେ। ସେହିପରି ଆଜିଙ୍କ୍ୟ ରାହାଣେ ୮୧ ରନ୍‌ ସଂଗ୍ରହ କରି ଶତକରୁ ବଞ୍ଚିତ ହୋଇଥିଲେ। ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ କିନ୍ତୁ ବ୍ୟକ୍ତିଗତ ଭାବେ ଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ତେବେ ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ବାଣ୍ଟି ନେଇଛନ୍ତି। ଟ୍ରେଣ୍ଟ୍‌ ବ୍ରିଜ୍‌ରେ ଆରମ୍ଭରୁ ବିରାଟ କୋହଲି ଯାହା ଆଶା କରିଥିଲେ ତାହା ପାଇଥିଲେ।

ଟସ୍‌ ହାରିଥିଲେ ମଧ୍ୟ ନିଜ ପସନ୍ଦ ମୁତାବକ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ସେହିଭଳି ପ୍ରଥମ ଘଣ୍ଟାରେ ବି ଶିଖର ଧାଓ୍ଵନ ଏବଂ ଲୋକେଶ ରାହୁଲ୍‌ ଭଲ ଖେଳି ଦେଇଥିଲେ ଦୃଢ଼ ମୂଳଦୁଆ। ୧୮.୪ ଓଭରରେ ଭାରତ ପାଇଥିଲା ବିନା କ୍ଷତିରେ ୬୦ ରନ୍‌। ହଠାତ୍‌ ବଦଳିଗଲା ଚିତ୍ର। ସୁଲସୁଲିଆ ପବନ ବହିବା ସହିତ କ୍ରିସ୍‌ ଓ୍ଵକ୍‌ସଙ୍କ ସୁଇଙ୍ଗ୍‌ ଆଗରେ ହାର ମାନିଥିଲେ ଧାଓ୍ଵନ, ରାହୁଲ୍‌ ଏବଂ ଚେତେଶ୍ୱର ପୂଜାରା। ରକ୍ଷଣାତ୍ମକ ଖେଳିଥିଲେ ମଧ୍ୟ ଧାଓ୍ଵନ ସ୍ଲିପ୍‌ରେ ବଟଲରଙ୍କ ହାତରେ ଧରାପଡ଼ିଥିଲେ। ରାହୁଲ କିନ୍ତୁ ଏଲ୍‌ବିଡ୍‌ବଲ୍ୟୁ ହୋଇ ଫେରିଥିଲେ। ପୂଜାରା କିନ୍ତୁ ସର୍ଟ ପିଚ୍‌ ବଲ୍‌କୁ ହୁକ୍‌ ଖେଳି ଡିପ୍‌ ଫାଇନ ଲେଗ୍‌ ସୀମାରେଖା ପାଖରେ ରସିଦ୍‌ଙ୍କ ହାତରେ ଧରାପଡ଼ିଥିଲେ।

ଭାରତ ୮୨/୩ରେ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲା। ମଝି ଅଧିବେଶନ ଥିଲା ସମ୍ପୂର୍ଣ୍ଣ ଭାରତର। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଚା’ପାନ ବିରତି ପୂର୍ବରୁ ଆଦୌ ଓ୍ଵିକେଟ୍‌ ହରାଇନଥିଲେ। ରାହାଣେ (୮୧, ୧୩୧ ବଲ୍‌, ୧୨ ଚୌକା)ଙ୍କୁ ସ୍ଲିପ୍‌ରେ କୁକ୍‌ଙ୍କ ହାତରେ ଧରାଇ ବ୍ରଡ୍‌ ଏହି ୧୫୯ ରନ୍‌ ଭାଗୀଦାରିକୁ ଅଲଗା କରି ଦେଇଥିଲେ। କୋହଲି (୯୭, ୧୫୨ ବଲ, ୧୧ ଚୌକା)ଙ୍କୁ ରସିଦ୍‌ ସ୍ଲିପ୍‌ରେ ବେନ୍‌ ଷ୍ଟୋକ୍‌ସଙ୍କ ହାତରେ ଧରାଇ ନେଇଥିଲେ। ଶେଷରେ ଆଣ୍ଡରସନ୍‌ଙ୍କ ବୋଲିଂରେ ହାର୍ଦିକ ପାଣ୍ଡ୍ୟା ସ୍ଲିପ୍‌ରେ ବଟଲର୍‌ଙ୍କ ହାତରେ ଧରାପଡ଼ିବାରୁ ୩ ଓଭର ପୂର୍ବରୁ ପ୍ରଥମ ଦିବସ ଖେଳ ବନ୍ଦ ହୋଇଥିଲା।

ସମ୍ବନ୍ଧିତ ଖବର