ଭାରତର ଅଲିମ୍ପିକ୍‌ ଅଭିଯାନକୁ ଶକ୍ତ ଧକ୍କା, ଏନ୍‌ଡିଟିଏଲ୍‌କୁ ନିଲମ୍ବିତ କଲା ୱାଡା

ନୂଆଦିଲ୍ଲୀ ଭାରତୀୟ ଖେଳ ଦୁନିଆକୁ ନିଶା କବଳରୁ ମୁକ୍ତ ରଖିବା ଲାଗି କାମ କରୁଥିବା ଏନ୍‌ଡିଟିଏଲ୍ (ନ୍ୟାସନାଲ୍ ଡୋପ୍ ଟେଷ୍ଟ୍ ଲାବରେଟୋରି)ର ସ୍ବୀକୃତିକୁ ବିଶ୍ବ ନିଶା ନିବାରଣ ସଂସ୍ଥା ‘ୱାଡା’ ୬ ମାସ ପାଇଁ ନିଲମ୍ବିତ କରି ଦେଇଛି। ଫଳରେ ଦେଶର ନିଶା ବିରୋଧୀ ଅଭିଯାନକୁ ଶକ୍ତ ଧକ୍କା ଲାଗିଛି। ଚଳିତ ଅଗଷ୍ଟ ୨୦ ତାରିଖରୁ ଏହାକୁ ଲାଗୁ କରାଯାଇଥିବାରୁ ଏଣିକି ଡୋପ୍‌ ଟେଷ୍ଟ୍‌ କରିବା ମହଙ୍ଗା ହୋଇଯିବ। ଖେଳାଳିଙ୍କ ଡୋପ୍ ଟେଷ୍ଟ୍ ଖର୍ଚ ମଧ୍ୟ ବଢ଼ିଯିବ। ବିଶେଷ କରି ଟୋକିଓ ଅଲିମ୍ପିକ୍ସ ଆଉ ବର୍ଷକରୁ କମ୍ ସମୟ ଥିବାରୁ ଭାରତୀୟ ଅଲିମ୍ପିକ୍ସ ଅଭିଯାନନକୁ ମଧ୍ୟ ଶକ୍ତ ଝଟ୍‌କା ଲାଗିଛି। ଏନ୍‌ଡିଟିଏଲ୍‌କୁ ୨୦୦୮ ମସିହାରେ ୱାଡା ସ୍ବୀକୃତି ପ୍ରଦାନ କରିଥିଲା। ସ୍ବୀକୃତିକୁ ୬ ମାସ ନିଲମ୍ବିତ କରିଥିଲେ ମଧ୍ୟ ନାଡ଼ା (ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍‌ସି) ‌ଖେଳାଳିଙ୍କ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରିପାରିବ। କିନ୍ତୁ ଏହାର ପରୀକ୍ଷା ଲାଗି ଭାରତ ବାହାରେ ଥିବା ୱାଡା ସ୍ବୀକୃତିପ୍ରାପ୍ତ ପ୍ରୟୋଗଶାଳାର ଦ୍ବାରସ୍ଥ ହେବାକୁ ପଡ଼ିବ। ଆସନ୍ତା ବର୍ଷର ଅଲିମ୍ପିକ୍ସ ପୂର୍ବରୁ ନାଡ଼ା ପ୍ରାୟ ୫୦୦୦ ନମୁନା ପରୀକ୍ଷା କରିବାର ସମ୍ଭାବନା ଥିଲା।

ଏନ୍‌ଡିଟିଏଲ୍‌ରେ ଅନ୍ତର୍ଜାତୀୟ ସ୍ତରର ପ୍ରୟୋଗଶାଳା ବ୍ୟବସ୍ଥା ନ ଥିବାରୁ ସ୍ବୀକୃତିକୁ ନିଲମ୍ବିତ କରାଗଲା‌ ବୋଲି ୱାଡା ଏହାର ୱେବସାଇଟ୍‌ରେ ରଖିଥିବା ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି। ଏନ୍‌ଡିଟିଏଲ୍‌ର ନମୁନା ପରୀକ୍ଷା ପ୍ରକ୍ରିୟା ଠିକ୍ ନ ଥିବାରୁ ୱାଡା ଏକ ଅନୁସଂଧାନରୁ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ନିଲମ୍ବନ ବିରୋଧରେ କିନ୍ତୁ ଏନଡିଟିଏଲ୍ ୨୧ ଦିନ ମଧ୍ୟରେ ସ୍ବିଜରଲାଣ୍ଡ୍‌ର ଲୌସାନଠାରେ ଥିବା କାସ୍ (କୋର୍ଟ ଅଫ୍ ଆର୍ବିଟ୍ରେସନ୍‌ ଫର ସ୍ପୋର୍ଟସ)ରେ ଆବେଦନ କରିପାରିବ। ଏନଡିଟିଏଲ୍‌ ଏବଂ ନାଡା ଭିନ୍ନ ଭିନ୍ନ ସଂସ୍ଥା। ଡୋପ୍ ପରୀକ୍ଷା କରାଯିବା ପ୍ରସଙ୍ଗରେ ଆମେ କେବଳ ନମୁନା ସଂଗ୍ରହ କରିଥାଉ ବୋଲି ନାଡା ମହାପ୍ରବଂଧକ ନବୀନ ଅଗ୍ରୱାଲ୍‌ ପ୍ରକାଶ କରିଛନ୍ତି। ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମଧ୍ୟ ନମୁନାକୁ ଦେଶ ବାହାରକୁ ପଠାଇବା ଲାଗି ଅତିରିକ୍ତ ଖର୍ଚ ବହନ ସ୍ଥିତିରେ ନାହିଁ। ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଏକ ୱାଡା ସ୍ବୀକୃତିପ୍ରାପ୍ତ ଲାବରେଟୋରି ରହିଛି। ଏବେ ନମୁନା ସଂଗ୍ରହ ହାର ମଧ୍ୟ ହ୍ରାସ ପାଇବ ଏବଂ ନିଶା ବିରୋଧୀ ଆନ୍ଦୋଳନର ଅଗ୍ରଗତି ବାଧାପ୍ରାପ୍ତ ହେବ। ଭାରତର ଅଲିମ୍ପିକ୍ ଅଭିଯାନ ପ୍ରତି ଏହା ଶକ୍ତ ଝଟକା, ଜାତୀୟ କ୍ରୀଡ଼ା‌ ସଂଘ ଗୁଡ଼ିକ ଅତିରିକ୍ତ ଖର୍ଚ ବହନ କରିବା ସ୍ଥିତିରେ ନାହାନ୍ତି ବୋଲି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମଧ୍ୟ ଏକ ଅଡୁଆ ପରିସ୍ଥିତିରେ ପଡ଼ିଛି। ଚଳିତ ମାସରେ ହିଁ ବିସିସିଆଇକୁ ନାଡ଼ା ଅଧୀନକୁ ଆଣିବାରେ ସକ୍ଷମ ହୋଇଥିଲା। ଏହା ଆମ ପାଇଁ ମୁଣ୍ଡ ବ୍ୟଥାର କାରଣ ନୁହେଁ ବୋଲି କିନ୍ତୁ କହିଛନ୍ତି ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ।

ନାଡାକୁ ଦୋଷ ଦେଲା ଆଇଓଏ
ଏନ୍‌ଡିଟିଏଲ୍‌ର ନିଲମ୍ବନ ପାଇଁ କିନ୍ତୁ ନାଡାକୁ ଦୋଷାରୋପ କରିଛି ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)। ନାଡାର ଭୁଲ ପାଇଁ ଏଭଳି ପରିସ୍ଥିତି ଉପୁଜିଲା ବୋଲି କୁହାଯାଇଛି। ଆମକୁ ଏବେ ଭାରତୀୟ ମୁଦ୍ରା ଅପେକ୍ଷା ଡଲାରରେ ମୂଲ୍ୟ ପ୍ରଦାନ କରିବାକୁ ପଡ଼ିବ। ଅତିରିକ୍ତ ଖର୍ଚ କିଏ ବହନ କରିବ ଏବେ ମୋ ଚିନ୍ତାର କାରଣ ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ଲାବରେଟୋରି ବିଶାରଦ ଗୋଷ୍ଠୀର ଶୃଙ୍ଖଳା ସମିତି ଭିତ୍ତିରେ ୱାଡା ଏଭଳି ନିଲମ୍ବନ ଲାଗୁ କରିଛି। ଏଭଳି ଆଭ୍ୟନ୍ତରୀଣ ପ୍ରସଙ୍ଗ ଗତବର୍ଷଠାରୁ ଉଠିଥିଲେ ମଧ୍ୟ ନାଡା ଏହାର ସୁପରିଚାଳନା କରିବାରେ ବିଫଳ ହୋଇଛି ବୋଲି ବାତ୍ରା ଅଭିଯୋଗ କରିଛନ୍ତି।

ସରକାର ଆଶ୍ଚର୍ଯ୍ୟ, ‘ବ୍ୟବସାୟିକ ସ୍ବାର୍ଥ’
ୱାଡାର ନିଲମ୍ବନ ଆଦେଶକୁ ନେଇ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ନିଶା ବିରୋଧୀ ଆନ୍ଦୋଳନର ବିଶ୍ବ ପରିଚାଳନା ସଂସ୍ଥା ୱାଡାର ବ୍ୟବସାୟିକ ସ୍ବାର୍ଥ ଦୃଷ୍ଟିରୁ ଏନ୍‌ଡିଟିଏଲ୍‌କୁ ନିଲମ୍ବିତ କରାଯାଇଛି ବୋଲି ସରକାର ଅଭିଯୋଗ କରିଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ୱାଡା ପ୍ରତିନିଧି ଦଳ ଆସିଥିବା ବେଳେ ଆମେ ସମସ୍ତ ଦିଗକୁ ନେଇ ଆଲୋଚନା କରିଥିଲୁ। କିନ୍ତୁ ରୋଗ ଭଲ ହୋଇଯିବା ପରେ ଔଷଧ ଦେବା ଭଳି କଥା କରିଛି ୱାଡା। ଭାରତରେ ବହୁ ପୂର୍ବ ଆଫ୍ରିକୀୟ ଦେଶ ଶସ୍ତାରେ ଡୋପ୍ ଟେଷ୍ଟ କରାଇ ନେଉଥିବାରୁ ଏହା ୱାଡା ପାଇଁ ଗ୍ରହଣୀୟ ହୋଇନଥିବା କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲନିୟା ପ୍ରକାଶ କରିଛନ୍ତି। ୱାଡାରେ ଜଣେ ଭାରତୀୟ ପ୍ରତିନିଧି ନ ରହିବା ମଧ୍ୟ ମହଙ୍ଗା ପଡ଼ିଛି ବୋଲି ଏନ୍‌ଡିଟିଏଲ୍‌ର ସିଇଓ ଥିବା ଜୁଲନିୟା ପ୍ରକାଶ କରିଛନ୍ତି। ୱାଡାରେ ୪ ଜଣ ଏସୀୟ ପ୍ରତିନିଧି ରହିଛନ୍ତି, କିନ୍ତୁ କେହି ଭାରତୀୟ ନାହାନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଜଣେ ଭାରତୀୟଙ୍କୁ ନେବାକୁ ମଧ୍ୟ ୱାଡାକୁ ଚିଠି ଲେଖିଥିଲେ ବୋଲି ସେ ସୂଚନା ଦେଇଥିଲେ। କିନ୍ତୁ ନିଲମ୍ବନ ବିରୋଧରେ ଆବେଦନ କରିବାକୁ ଭାରତ ତରତର ହେଉ ନାହିଁ। ଆମେ ବାର୍ଷିକ ଲକ୍ଷ୍ୟ ହାସଲ କରି ସାରିଛୁ ଏବଂ ପରବର୍ତୀ ୧୮ ଦିନ ଘଟଣାକୁ ତର୍ଜମା କରିବା ପରେ ଆମ ନିକଟରେ ଥିବା ସମସ୍ତ ବିକଳ୍ପକୁ ଦେଖିବୁ ବୋଲି ଜୁଲନିୟା କହିଥିଲେ।

ସମ୍ବନ୍ଧିତ ଖବର