କୋହଲିଙ୍କ ନେତୃତ୍ୱରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ଶୃଙ୍ଖଳା ପରାଜୟ

ନୂଆଦିଲ୍ଲୀ: ଇଂଲଣ୍ଡ ନିକଟରୁ ମଙ୍ଗଳବାର ତୃତୀୟ ଦିନିକିଆ ସହ ଭାରତ ଶୃଙ୍ଖଳା ମଧ୍ୟ ହାରିଗଲା। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ମଧ୍ୟ ପ୍ରଥମ ଥର ଲାଗି ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳା ପରାଜୟ ବରଣ କଲା। ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତ କ୍ରମାଗତ ନବମ ଶୃଙ୍ଖଳା ଜିତିଥିଲା। ସେଥିରୁ କୋହଲିଙ୍କ ନେତୃତ୍ୱରେ ଭାରତ ପ୍ରଥମ ୭ ଶୃଙ୍ଖଳାଯାକ ଜିତିଥିଲା। ଜିମ୍ବାେଓ୍ଵ, ନ୍ୟୁଜିଲାଣ୍ଡ୍‌ (ଦୁଇ ଥର), ଇଂଲଣ୍ଡ, େଓ୍ଵଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା (ଦୁଇ ଥର), ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାକୁ ଭାରତ ଲଗାତାର ଭାବେ ଜିତି ନେଇଥିଲା। ହେଲେ ଦଳର ଦଶମ ଶୃଙ୍ଖଳା ବିଜୟକୁ ଇଂଲଣ୍ଡ ରୋକିଦେଲା। ଭାରତ ଶେଷ ଥର ପାଇଁ ୨୦୧୬ ଆରମ୍ଭରେ ଅଷ୍ଟ୍ରେଲିଆ ନିକଟରୁ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳା ହାରିଥିଲା।

ଏହି ଶୃଙ୍ଖଳାରେ କୋହଲି ତୃତୀୟ ଥର ପାଇଁ ସ୍ପିନରଙ୍କ ଶିକାର ହୋଇଥିଲେ। ଶୃଙ୍ଖଳାରେ କୋହଲି ସ୍ପିନରଙ୍କ ବିପକ୍ଷରେ ୭୯.୭୮ ହାରରେ ୭୫ ଏବଂ ଦ୍ରୁତ ବୋଲରଙ୍କ ବିପକ୍ଷରେ ଶତପ୍ରତିଶତ ହାରରେ ୧୧୬ ରନ୍‌ କରିଥିଲେ। କୁଲ୍‌ଦୀପ୍‌ ଯାଦବ ଶୃଙ୍ଖଳାରେ ମୋଟ ୯ ଓ୍ଵିକେଟ୍‌ ନେଇଥିଲେ। ଯାହାକି ଭାରତର ସମସ୍ତ ବୋଲରଙ୍କ ମିଳିତ ସଫଳତାଠୁ ୨ ଅଧିକ ଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ କ୍ରମାଗତ ଅଷ୍ଟମ ଦ୍ୱିପାକ୍ଷିକ ଶୃଙ୍ଖଳା ଜିତିନେଲା। ୨୦୧୬ରେ ଭାରତରେ ଭାରତଠୁ ୧-୨ରେ ହାରିବା ପରଠୁ ଇଂଲଣ୍ଡ ଆଉ ଦ୍ୱିପାକ୍ଷିକ ଶୃଙ୍ଖଳା ହାରିନାହିଁ। ୨୦୧୧ ପରେ ଏହା ମଧ୍ୟ ଇଂଲଣ୍ଡର ଭାରତ ବିପକ୍ଷରେ ପ୍ରଥମ ଶୃଙ୍ଖଳା ବିଜୟ। ଅବଶ୍ୟ ଚଳିତ ବର୍ଷ ମେ ମାସରେ ସ୍କଟ୍‌ଲାଣ୍ଡ୍‌ ନିକଟରୁ ଏକମାତ୍ର ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଇଂଲଣ୍ଡ ହାରିଥିଲା।

ସମ୍ବନ୍ଧିତ ଖବର