ନାପିଏର: ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଅଭିଯାନ ଆରମ୍ଭ କରିଛି। ଆଜି ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ନାପିଏର ଠାରେ ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ତେବେ ନ୍ୟୁଜିଲାଣ୍ଡର ଏହି ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ଭୁଲ ପ୍ରମାଣିତ କରିଛନ୍ତି। ଭାରତର ସ୍ପିନ୍ ଆକ୍ରମଣ ସମ୍ମୁଖରେ ନ୍ୟୁଜିଲାଣ୍ଡ ଦଳ ବେଶି ସମୟ ଛିଡ଼ା ହୋଇ ପାରି ନାହାଁନ୍ତି। ଭାରତର ଦୃତ ବୋଲର ମହମ୍ମଦ ସାମି ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟିିଂ ବିପର୍ଯ୍ୟ ଘଟାଇବା ପରେ ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ କେଦାର ଯାଦବ ନ୍ୟୁଜିଲାଣ୍ଡକୁ ମାତ୍ର ୧୫୭ ରନ୍ରେ ସୀମିତ ରଖିବାରେ ସଫଳ ହୋଇଛନ୍ତ। ଭାରତ ତାର ନ୍ୟୁଜିଲାଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍ରେ ବିଜୟ ପାଇଁ ୧୫୮ ରନ୍ର ଟାର୍ଗେଟ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭିନ୍ନ ପରିବେଶରେ ମଧ୍ୟ ଭାରତୀୟ ବୋଲରମାନେ କମାଲ ପ୍ରଦର୍ଶନ କରିଛନ୍ତି। ନିଜର ପ୍ରଥମ ଓ ଦ୍ୱିତୀୟ ଓଭରରେ ଲାଗାତର ଦୁଇଟି ଓ୍ଵିକେଟ ନେଇ ଭାରତୀୟ ବୋଲରମାନଙ୍କ ମଧ୍ୟରେ ମହମ୍ମଦ ସାମି ଉତ୍ସାହ ଭରିଦେବା ପରେ ଖେଳର ୧୫ତମ ଓଭରରେ ୟୁଜବେନ୍ଦ୍ର ଚହଲ ରୋଜ ଟେଲରଙ୍କୁ ୨୪ ରନ୍ରେ କଟ୍ ଆଣ୍ଡ ବୋଲ୍ଡ ଆଉଟ୍ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ । ପରବର୍ତ୍ତୀ ଓଭରରେ ମଧ୍ୟ ଚହଲ ଲାଥଲଙ୍କୁ ସମାନ ଢ଼ଙ୍ଗରେ କଟକ ଆଣ୍ଡ ବୋଲ୍ଡ୍ ଆଉଟ୍ କରି ନ୍ୟୁଜିଲାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଓ୍ଵିକେଟ ପତନ ଘଟୁଥିବା ବେଳେ ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ଵିଲିୟମସନ୍ ଅର୍ଦ୍ଧଶତକ ହାସଲ କରିବା ସହିତ ଭାରତୀୟ ବୋଲରଙ୍କର ଦୃଢ଼ ମୁକାବିଲା କରିଥିଲେ। ମାତ୍ର ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ଏହି ଉଦ୍ୟମ ବିଶେଷ ଫଳପ୍ରଦ ହୋଇ ନ ଥିଲା। ଚାଇନାମ୍ୟାନ କୁଲଦୀପ ଯାଦବ ନିିଖୁଣ ବୋଲିଂ କରି ନ୍ୟୁଜିଲାଣ୍ଡକୁ ସଳଖି ଠିଆ ହେବାକୁ ସୁଯୋଗ ଦେଇ ନ ଥିଲେ। କୁଲଦୀପ ୪ ଓ୍ଵିକେଟ ହାସଲ କରିଥିବା ବେଳେ କେଦାର ଯାଦବ ଗୋଟିଏ ଓ୍ଵିକେଟ ଅକ୍ତିଆର କରିଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଅମ୍ବାତି ରାଇଡୁ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି।
ନ୍ୟୁଜିଲାଣ୍ଡ ଟିମ୍- ମାର୍ଟିନ ଗୁପ୍ଟିଲ, କଲିନ୍ ମୁନ୍ରୋ, କେନ ଓ୍ଵିଲୟମସନ, ରୋଜ ଟେଲର, ଟମ୍ ଲାଥମ, ହେନୋରୀ ନିକୋଲାସ, ମାଇକେଲ ସଣ୍ଟର, ଡି ବ୍ରେସେଓ୍ଵଲ, ଟିମ୍ ସଉଥି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।