‘୨୦୨୧’ ପାଇଁ ଭାରତୀୟ ହକି ଦଳ ପ୍ରସ୍ତୁତ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚି ଯାଇଛି। ସୋମବାର ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘ ଓ ଆୟୋଜକ ସଂଘ ୨୦୨୧ ଜୁଲାଇ ୨୧ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଘୋଷଣା କରିଥିଲେ। ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରି ସାରିଛି। ଫଳରେ ଉଭୟ ଦଳକୁ ନିଜର ଭୁଲ ସୁଧାରିବା ଲାଗି ସମୟ ମିଳିଯାଇଛି।

ଆସନ୍ତା ବର୍ଷ ଅଲିମ୍ପିକ୍ ହେବ ବୋଲି ଆମେ ନିଶ୍ଚିତ ଥିଲୁ। ନୂଆ ତାରିଖ ଆମକୁ ଅଧିକ ପ୍ରସ୍ତୁତ ହେବାକୁ ସୁଯୋଗ ଦେଇଛି। ଯେହେତୁ ଆମେ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛୁ, ଏଥିପାଇଁ ଆମର ନୂଆ ଯୋଜନା ପ୍ରସ୍ତୁତ କରିବା ଲାଗି ଆହୁରି ସହଜ ହୋଇଯିବ। ଏହି ୧୫ ମାସ ମଧ୍ୟରେ ଆମର ଉଭୟ ଦଳ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ), କ୍ରୀଡ଼ା ବିଭାଗ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହ ଯୋଡ଼ି ରହିବା ସାଙ୍ଗକୁ ଆମ ପାଖରେ ଭଲ ପ୍ରଦର୍ଶନ କରିବାର ଦକ୍ଷତା ଅଛି ବୋଲି ନିଶ୍ଚିତ କରିପାରିବ। କରୋନା ପାଇଁ ଆମେ କେଉଁ ପ୍ରତି‌ଯୋଗିତା ଖେଳିବୁ ଏ‌ପର୍ଯ୍ୟନ୍ତ ସ୍ଥିର ହୋଇନି। ହେଲେ ବେଙ୍ଗାଲୁରୁରେ ଆମର ଉଭୟ ଦଳ ସୁରକ୍ଷିତ ପରିବେଶରେ ଅଛନ୍ତି। ଶୀଘ୍ର ଅଭ୍ୟାସକୁ ଫେରିବେ ବୋଲି ହକି ଇଣ୍ଡିଆ ସଭାପତି ମୁସ୍ତାକ ଅହମ୍ମଦ କହିଛନ୍ତି। ଭାରତୀୟ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ୍ ରିଡ୍ କହିଛନ୍ତି ଯେ ଏବେଠୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ହେବା ଆମ ପାଇଁ ଭଲ। କାରଣ ଆମେ ଏବେ ଆସନ୍ତା ବର୍ଷ ଜୁଲାଇରେ ଏହି ପ୍ରତିଯୋଗିତା ଲାଗି ନୂଆ ଯୋଜନା କରିବା ସହ ପ୍ରସ୍ତୁତ ହେବୁ। ସଂପ୍ରତି କରୋନା ପାଇଁ ଦେଶ କଠିନ ପରିସ୍ଥିତିରେ ଗତି‌ କରୁଛି। ସ୍ଥିତି ସ୍ବାଭାବିକ ହେଲେ ଯଥା ଶୀଘ୍ର ଅଭ୍ୟାସକୁ ଫେରିବାର ଅଶା ରଖିଛୁ। ଅଲିମ୍ପିକ୍ସ କେବେ ଅନୁଷ୍ଠିତ ହେବ ଏବେଠୁ ନିଶ୍ଚତ ହେବା ଆମ ପାଇଁ ଭଲ ଖବର। କାରଣ ଆମେ ସେହି ଦିଗରେ କାମ କରିପାରିବୁ। ଆମେ ସମସ୍ତେ ଏବେ ବେଙ୍ଗାଲୁରୁସ୍ଥିତ ଶିବିରରେ ଅଛୁ। ଅଲିମ୍ପିକ୍ସ ପାଇଁ ଏକ ନୂଆ ତାରିଖ ଘୋଷଣା ସମସ୍ତଙ୍କ ପାଇଁ ଖୁସି ଖବର। କିନ୍ତୁ ବର୍ତ୍ତମାନ ପାଇଁ ଆମେ କେବଳ ମାନିସିକ ଓ ଶାରୀରିକସ୍ତ‌ରରେ ଦୃଢ଼ ରହି ବଞ୍ଚି ରହିଛୁ। ଚିରାଚରିତ ଅଭ୍ୟାସକୁ ଫେରିବା ଲାଗି ଉତ୍ସାହିତ ସହ ଅପେକ୍ଷା କରିଛୁ ବୋଲି ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ କହିଛନ୍ତି।

ସମ୍ବନ୍ଧିତ ଖବର