ଅଷ୍ଟ୍ରେଲିଆରେ ଭାରତ:୭୦ ବର୍ଷ, ୪୪ ଟେଷ୍ଟ୍‌, ମାତ୍ର ୫ ବିଜୟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଟେଷ୍ଟ୍‌ ଶୃଙ୍ଖଳା ଜିତିବା ସ୍ବପ୍ନ ହୋଇ ରହିଛି। ୭୦ ବର୍ଷରୁ ଉର୍ଦ୍ଧ୍ବ ଲମ୍ବା କ୍ରିକେଟ୍‌ ଇତିହାସ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ସହ ଖେଳିଛନ୍ତି ମୋଟ ୯୪ ଟେଷ୍ଟ୍‌। ଉଭୟ ଦଳ ମଧ୍ୟରେ ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଟେଷ୍ଟ୍‌ ଶୃଙ୍ଖଳାରେ ୨୦୧୭ ମସିହା ପର୍ଯ୍ୟନ୍ତ ପରିସଂଖ୍ୟାନ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ଯେ ଶକ୍ତିଶାଳୀ ତାହା ସ୍ପଷ୍ଟ ହେଉଛି। ଅଷ୍ଟ୍ରେଲିଆ ମାଟିରେ ଶୃଙ୍ଖଳା ଜିତିବା ତ ଦୂରର କଥା ସେମଧ୍ୟରୁ ଭାରତ ୨୬ ଜିତିଥିଲା ବେଳେ ଅଷ୍ଟ୍ରେଲିଆ ଜିତିଛି ୪୧। ଅବଶିଷ୍ଟ ୨୭ ଟେଷ୍ଟ୍‌ ଅମୀମାଂସିତ ରହିଛି। ଏହି ୭ ଦଶନ୍ଧୀ ସମୟ ମଧ୍ୟରେ ଅଷ୍ଟ୍ରେଲିଆ ମାଟିରେ ଭାରତ ମାତ୍ର ୫ ଟେଷ୍ଟ୍‌ ଜିତିଥିଲା ବେଳେ ଘରୋଇ ଦଳ ଜିତିଛି ୨୮ ଏବଂ ୧୧ ଟେଷ୍ଟ୍‌ ଅମୀମାଂସିତ ରହିଛି। ଫଳରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତର ବିଜୟ ପ୍ରତିଶତ ମାତ୍ର ୧୧ ଥିଲା ବେଳେ ୬୪ ପ୍ରତିଶତ ସହ ଅଷ୍ଟ୍ରେଲିଆ ଢେର ଆଗରେ ରହିଛି। ଅମୀମାଂସିତ ପ୍ରତିଶତ ରହିଛି ୨୫। ତେଣୁ ଅଷ୍ଟ୍ରେଲିଆ ମାଟିରେ ଭାରତର ସଂଘର୍ଷର ଅନ୍ତ ଘଟାଇବା ଲକ୍ଷ୍ୟରେ ଏଥର ବିରାଟ କୋହଲିଙ୍କ ନେତୃତ୍ବାଧୀନ ଦଳ କେତେଦୂର ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ୍‌ ୱର୍ନରଙ୍କ ଅନୁପସ୍ଥିତିରେ କୋହଲି ବାହୀନି କିପରି ଫାଇଦାର ଉପଯୋଗ କରିବେ ତାହା ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଡିଲେଡ୍‌ ଟେଷ୍ଟ୍‌ରୁ ଜଣାପଡ଼ିଯିବ। ଅଷ୍ଟ୍ରେଲିଆର ଦ୍ରୁତ ପିଚ୍‌ରେ ନୟାନ୍ତ ହୋଇ ଆ‌ସୁଥିବା ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ଏଥର ଉନ୍ନତ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛନ୍ତି। ଆଉ ପ୍ରକୃତରେ ଏଥର ଯଦି ଅଷ୍ଟ୍ରେଲିଆରେ ଭାରତ ଜିତି ନପାରେ ତାହାଲେ ଆଉ ଜିତିବା ସହଜ ହେବନାହିଁ ବୋଲି ବିଶେଷଜ୍ଞମାନଙ୍କ ମତ।
ଅନ୍ୟପକ୍ଷରେ ଭାରତ କିନ୍ତୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିକ ସଫଳତା ପାଇଛି। ଭାରତରେ ଅଷ୍ଟ୍ରେଲିଆ ସହ ମୋଟ ୫୦ ଟେଷ୍ଟ୍‌ ଖେଳିଥିଲା ବେଳେ ଘରୋଇ ଦଳ ୨୧ ଜିତିଛି। ଅଷ୍ଟ୍ରେଲିଆ ୧୩ ଜିତିଥିଲା ବେଳେ ଅବଶିଷ୍ଟ ୧୬ ଅମୀମାଂସିତ ରହିଛି। ଫଳରେ ଭାରତର ବିଜୟ ପ୍ରତିଶତ ୪୨ ଥିଲା ବେଳେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୨୬ ରହିଛି। ଅମୀମାଂସିତ ପ୍ରତିଶତ ୩୨ ରହିଛି। ତେଣୁ କହିବାକୁ ଗଲେ ଅଷ୍ଟ୍ରେଲିଆ ଦଳ ଭାରତରେ ଯେତିକି ବିଜୟ ପ୍ରତିଶତ ପାଇଛି, ଭାରତୀୟ ଦଳ ଅଷ୍ଟ୍ରେଲିଆରେ ତା’ର ଅଧାରୁ କମ୍‌ ପ୍ରତିଶତ ପାଇଛି। ମୋଟା ମୋଟି ଭାବେ ଉଭୟ ଦଳ ମଧ୍ୟରେ ମୁକାବିଲାରେ ଅଷ୍ଟ୍ରେଲିଆର ପଲା ଭାରି ରହିଛି। ଶେଷ ଥର ପାଇଁ (୨୦୧୪-୧୫) ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଦଳ ୦-୨ରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ହାରିଥିଲା। ହେଲେ ପ୍ରଥମ ଦୁଇଟି ଟେଷ୍ଟ୍‌ ହାରିବା ପରେ ପରବର୍ତୀ ଦୁଇଟି ଟେଷ୍ଟ୍‌କୁ ଅମୀମାଂସିତ ରଖି ସମ୍ମାନ ରଖିଥିଲା।
ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୬ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୫ ଓ ଅଷ୍ଟ୍ରେଲିଆ ୧୧ ଆୟୋଜନ କରିଛନ୍ତି। ଏହି ୨୬ ଶୃଙ୍ଖଳା ମଧ୍ୟରୁ ଭାରତ ୯ ଜିତିଥିଲା ବେଳେ ଅଷ୍ଟ୍ରେଲିଆ ଜିତିଛି ୧୨। ଅବଶିଷ୍ଟ ୫ ଶୃଙ୍ଖଳା ଅମୀମାଂସିତ ରହିଛି। ତେବେ ଭାରତ ଜିତିଥିବା ସମସ୍ତ ୯ ଶୃଙ୍ଖଳା ଘରୋଇ ମାଟିରେ ହିଁ ପାଇଥିଲା ବେଳେ ଅଷ୍ଟ୍ରେଲିଆ କିନ୍ତୁ ଭାରତରେ ୪ ଓ ନିଜ ଘରୋଇ ମାଟିରେ ୮ ଶୃଙ୍ଖଳା ଜିତିଛି। ଏହି ଦୃଷ୍ଟିରୁ ଅଷ୍ଟ୍ରେଲିଆରେ ଶୃଙ୍ଖଳା ବିଜୟର ସ୍ବପ୍ନକୁ ସାକାର କରିବା ପାଇଁ ବିରାଟ କୋହଲି ବାହୀନି ଆଡିଲେଡ୍‌ରେ ପାଦ ଥାପିସାରିଛି। ଆଉ ଅଭ୍ୟାସ ମ୍ୟାଚ୍‌ରେ ବ୍ୟାଟ୍‌ସମ୍ୟାନ୍‌ମାନେ ଖୁବ୍‌ ଭଲ ରନ୍‌ କରି ମନୋବଳ ବୃଦ୍ଧି କରିଛନ୍ତି। ଯାହାକି ଟେଷ୍ଟ୍‌ ଶୃଙ୍ଖଳାରେ ଅଷ୍ଟ୍ରେଲୀୟ ବୋଲରଙ୍କ ସାମ୍‌ନା କରିବା ପାଇଁ ଯଥେଷ୍ଟ ହେବ ବୋଲି କୋହଲି କହିଛନ୍ତି। ପୁଣି ଯଶ୍‌ପ୍ରୀତ୍‌ ବୁମ୍‌ରା, ଭୁବନେଶ୍ବର କୁମାର, ଈଶାନ୍ତ ଶର୍ମା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଦ୍ରୁତ ବୋଲିଂ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଚକ୍‌ମା ଦେଇପାରିବ ବୋଲି କୋହଲି ଦୃଢ଼ ଆଶାବାଦୀ ରହିଛନ୍ତି। ଭୁବନେଶ୍ବର କୁମାରଙ୍କ ସୁଇଂ, ଉମେଶ ଯାଦବଙ୍କ ସ୍ଥିରତା ପେସ୍‌, ଈଶାନ୍ତ ଶର୍ମାଙ୍କ ଅତିରିକ୍ତ ବାଉନ୍‌ସ, ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ୟର୍କର ଏବଂ ମହମ୍ମଦ ସାମିଙ୍କ ଗତି ଅଷ୍ଟ୍ରେଲିଆରେ ଏଥର ଶୃଙ୍ଖଳା ଜିତିବାରେ ଫରକ୍‌ ଆଣିବ ବୋଲି କୋହଲି ଦୃଢୋକ୍ତି ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ କୋହଲିଙ୍କ ବ୍ୟକ୍ତିଗତ ଫର୍ମ, ଚେତେଶ୍ବର ପୂଜାରାଙ୍କ ଲମ୍ବା ପାଳି ଖେଳିବାର ସାମର୍ଥ୍ୟ, ମୁରଲୀ ବିଜୟଙ୍କ ଧୈର୍ଯ୍ୟ, ପାର୍ଥିବ ପଟେଲଙ୍କ ମୂଲ୍ୟବାନ ଅବଦାନ, ଆଜିଙ୍କ୍ୟ ରହାଣେଙ୍କ ସାମର୍ଥ୍ୟ ସାଙ୍ଗକୁ ଯୁବ ଖେଳାଳିଙ୍କ ଉତ୍ସାହ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କୁ ଉଚିତ ଜବାବ ଦେଇପାରିବ ବୋଲି କୋହଲି କହିଛନ୍ତି। ଏହି ଦୃଷ୍ଟିରୁ ଚଳିତ ଅଷ୍ଟ୍ରେଲିଆ ଗସ୍ତ ଭାରତ ପାଇଁ ନିଶ୍ଚିତ ପୂର୍ବ ବିଫଳତା ଏଡାଇବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର