ମୋଟର ସ୍ପୋର୍ଟସ୍‌ ମାନଚିତ୍ରରେ ଭାରତ

ଚେନ୍ନାଇ (ଦେବାଶିଷ ସୁନ୍ଦରାୟ): ଚେନ୍ନାଇରେ ଏସିଆ ରୋଡ୍‌ ରେସିଂ ଚାମ୍ପିଅନ୍‌ସିପ୍‌ (ଏଆର୍‌ଆର୍‌ସିସି) ଆୟୋଜିତ ହେବା ସହ ଭାରତ ବିଶ୍ୱ ମୋଟର ସ୍ପୋର୍ଟସ୍‌ ମାନଚିତ୍ରରେ ସ୍ଥାନ ପାଇଛି। ପାରମ୍ପରିକ ଭାବେ ୟୁରୋପ ମହାଦେଶ ଆଧିପତ୍ୟ ବିସ୍ତାର କରି ଆସିିଥିବା ମୋଟୋଜିପି (ମୋଟର ସାଇକେଲ୍‌ ରେସିଂର ସର୍ବୋଚ୍ଚ କ୍ରୀଡ଼ା)ରେ ଜଣେ ଭାରତୀୟ ରେସର୍‌ ପହଞ୍ଚିବାର ମୂଳଦୁଆ ବି ପଡ଼ିଛି। ସେହିଭଳି ପ୍ରଥମ ଥର ପାଇଁ ଭାରତର ଦୁଇ ଜଣ ରେସର ରାଜୀବ ସେଥୁ ଓ ଆନିଶ ସେଟ୍ଟୀ ଏସିଆ ରୋଡ୍‌ ରେସିଂରେ ଅଂଶ ଗ୍ରହଣ କରି ଇତିହାସ ରଚିଛନ୍ତି। ଏକ ଭାରତୀୟ ଦଳ ‘ଇଦେମିତସୁ ହୋଣ୍ଡା ରେସିଂ ଇଣ୍ଡିଆ’ଏସୀୟ ସ୍ତରରେ ଭାଗ ନେବାର ନୂଆ ଫର୍ଦ ମଧ୍ୟ ଚେନ୍ନାଇରେ ଯୋଡ଼ି ହୋଇଛି। ହୋଣ୍ଡା ଇଣ୍ଡିଆ ଘରୋଇ ପରିବେଶରେ ଦୁଇଟି ପୋଡ଼ିୟମ୍‌ ଫିନିସ୍‌ ହାସଲ କରି ଏହାକୁ ଆହୁରି ସ୍ମରଣୀୟ କରି ଦେଇଛି।
ଭାରତୀୟ ରେସିଂ ଇତିହାସକୁ ସମୃଦ୍ଧମୟ ଓ ସଫଳତା ଭରା କରିବାକୁ ହୋଣ୍ଡା କଂପାନି ବିଭିନ୍ନ ଯୋଜନା ଘୋଷଣା କରିଛି। ଛୋଟ ଛୋଟ ସହରର ପ୍ରତିଭାବାନ ଏବଂ ସାହାସି କିଶୋର ଚାଳକଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ସହ ବିଶ୍ୱସ୍ତରୀୟ ରେସିଂରେ ପହଞ୍ଚାଇବା ଲାଗି ହୋଣ୍ଡା ପକ୍ଷରୁ ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବେଙ୍ଗାଲୁରୁରେ ପଞ୍ଜିକୃତ ‘ହୋଣ୍ଡା ଟେନ୍‌ ଟେନ୍‌ ରେସିଂ ଏକାଡେମି’ ଲାଗି ହେବାକୁ ଥିବା ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମ ପ୍ରାଥମିକ ସ୍ତରରେ ଭୁବନେଶ୍ୱର ସମେତ ୧୦ ସହରରେ ଆୟୋଜିତ ହେବ। ପରେ ଏହାକୁ ଦେଶର ଅନ୍ୟ ସହରଗୁଡ଼ିକୁ ସଂପ୍ରସାରିତ କରାଯିବ। ଭୁବନେଶ୍ୱରରେ ହେବାକୁ ଥିବା ପ୍ରତିଭା ଅନ୍ଵଷଣ କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଆସନ୍ତା କିଛି ଦିନ ମଧ୍ୟରେ ଦିନ ଓ ତାରିଖ ଘୋଷଣା କରାଯିବ।
ମୋଟର ରେସିଂ ଏକ ବିପଜ୍ଜନକ ଖେଳ ବୋଲି ସାଧାରଣରେ ଭାବନା ରହିଛି। ହେଲେ ଆମକୁ ବୁଝିବାକୁ ହେବ ଯେ ଏହା ଏକ ନିୟନ୍ତ୍ରିତ ପରିବେଶ, ସ୍ୱତନ୍ତ୍ର ଟ୍ରାକ୍‌ ଏବଂ ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ସଂପନ୍ନ ପେସାଦାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥାଏ। ଏହି ବିଷୟରେ ଆମେ ସାମାଜିକ ଗଣମାଧ୍ୟମରେ ଅଭିଯାନ ଚଳାଇ ଅଭିଭାବକଙ୍କୁ ସଚେତନ କରୁଛୁ। ସେମାନଙ୍କ ସମର୍ଥନ ମିଳିଲେ ହିଁ ଓଡ଼ିଶା ସମେତ ସାମଗ୍ରିକ ଭାବେ ଭାରତରେ ଏହି ଖେଳ ଆଗକୁ ବଢ଼ି ପାରିବ। ରେସିଂ ଭଳି ଖେଳରେ ସଫଳତା ହାସଲ କରିବା ଲାଗି ଏକାଗ୍ରତା ଓ ଉତ୍ସାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇଟି ଗୁଣ ଥିବା କୁନି ଓ କିଶୋର ପ୍ରତିଭାଙ୍କୁ ସମର୍ଥନ ଦେବାରେ ହୋଣ୍ଡା କୌଣସି ଅବହେଳା କରିବ ନାହିଁ ବୋଲି ହୋଣ୍ଡା ମୋଟର ସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ଉପ ସଭାପତି (ବ୍ରାଣ୍ଡ ଓ ଯୋଗାଯୋଗ) ପ୍ରଭୁ ନାଗରାଜନ କହିଛନ୍ତି। ସେହିଭଳି ଭାରତରେ ମୋଟରସ୍ପୋର୍ଟସକୁ ଲୋକପ୍ରିୟ କରାଇବା ଲାଗି ହୋଣ୍ଡା ପ୍ରତିଶ୍ରୁତି ବଦ୍ଧ ବୋଲି କଂପାନିର ସଭାପତି ମିନୋରୁ କାଟୋ ମତ ପୋଷଣ କରିଛନ୍ତି। ଭାରତରେ କେବଳ ତିନିଟି ପେସାଦାର ଟ୍ରାକ୍‌ (ଚେନ୍ନାଇ, ଦିଲ୍ଲୀ ଏବଂ କୋଏମ୍ବାଟୁର) ଥିବା କଥାକୁ ସ୍ୱୀକାର କରି ଶ୍ରୀ କାଟୋ କହିଛନ୍ତି ଯେ ଏହା ଭାରତରେ ମୋଟର ସାଇକେଲ୍‌ ରେସିଂର ଅଗ୍ରଗତି ନେଇ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ। ତେବେ ସମୟ କ୍ରମେ ଏହି ଅସୁବିଧା ଦୂର ହୋଇପାରିବ। ହୋଣ୍ଡା ଭିତ୍ତିଭୂମି ସୃଷ୍ଟି କରିବା ପରିବର୍ତେ ଉନ୍ନତ ମାନର ଇଞ୍ଜିନ ଯୋଗାଇବା ଓ ରେସର୍‌ଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବା ଉପରେ ଅଧିକ ଧ୍ୟାନ ଦେବ। ଛୋଟ ସହରରୁ ଯେଉଁମାନେ ବଛାହେବେ ସେମାନଙ୍କୁ ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ କିମ୍ବା ବାଙ୍ଗାଲୋରରେ ପ୍ରଶିକ୍ଷଣ ଦିଆଯିବ। ଭାରତରୁ ଜଣେ ବିଶ୍ୱ ସ୍ତରୀୟ ମୋଟର ସାଇକେଲ ରେସର୍‌ ସୃଷ୍ଟି କରିବା ଆମର ଏକମାତ୍ର ଲକ୍ଷ୍ୟ।
ହାଦାଙ୍କ ପାଇଁ ପୁଣି ଚମକିଲା ‘ହୋଣ୍ଡା ଇଣ୍ଡିଆ’
ଚେନ୍ନାଇରେ ଆୟୋଜିତ ଏସିଆ ରୋଡ୍‌ ରେସିଂ ଚାମ୍ପିଅନସିପ୍‌ (ଏଆର୍‌ଆର୍‌ସି)ର ଚତୁର୍ଥ ପର୍ଯ୍ୟାୟ ଉଦ୍‌ଯାପିତ ହୋଇଯାଇଛି। ୬୦୦ ସିସି ସୁପରସ୍ପୋର୍ଟସ୍‌ ବର୍ଗରେ ଘରୋଇ ଦଳ ‘ଇଦେମିତ୍‌ସୁ ହୋଣ୍ଡା ରେସିଂ ଇଣ୍ଡିଆ’ର ୧୯ ବର୍ଷୀୟ ଜାପାନୀ ରେସର ତାଇଗା ହାଦା ଲଗାତାର ଦ୍ୱିତୀୟ ଦିନ ପାଇଁ ପଏଣ୍ଟ୍‌ ଅର୍ଜନ କରିବାକୁ ସକ୍ଷମ ହୋଇଛନ୍ତି। ପ୍ରଥମ ରେସ୍‌ରେ ‘ଇଦେମିତ୍‌ସୁ ହୋଣ୍ଡା ରେସିଂ ଇଣ୍ଡିଆ’କୁ ଚଳିତ ଋତୁର ପ୍ରଥମ ପୋଡିୟମ୍‌ ଫିନିସ୍‌ ଉପହାର ଦେଇଥିବା ହାଦା ଦ୍ୱିତୀୟ ରେସ୍‌ରେ ମଧ୍ୟ ନିଜ ଚମକ ଦେଖାଇଥିଲେ। ପୂର୍ବତନ ବିଜେତା ଅଷ୍ଟ୍ରେଲିଆର ଆନ୍ଥୋନି େଓ୍ଵଷ୍ଟ୍‌ ଓ ନିଜ ଦେଶର ତୋମୋୟୋସି କୋୟାମାଙ୍କ ପଛକୁ ସେ ତୃତୀୟ ସ୍ଥାନରେ ରହିଥିଲେ। ତା’ ସହ ଲଗାତାର ଦ୍ୱିତୀୟ ଦିନ ଲାଗି ବହୁମୂଲ୍ୟ ୧୬ ପଏଣ୍ଟ୍‌ ଅର୍ଜନ କରିଥିଲେ। ଏମ୍‌ଏମ୍‌ଆର୍‌ଟିର ଦୁଇ ରେସ୍‌ରୁ କିନ୍ତୁ ହାଦା ମୋଟ ୩୨ ପଏଣ୍ଟ୍‌ ଅମଳ କରି ନେଇଛନ୍ତି। ଫଳରେ ଇଦେମିତ୍‌ସୁ ହୋଣ୍ଡା ରେସିଂ ଇଣ୍ଡିଆ ଏଆର୍‌ଆର୍‌ସିରେ ପ୍ରଥମ ଥର ଅଂଶଗ୍ରହଣ କରି ବହୁ ପ୍ରତିଷ୍ଠିତ ଦଳକୁ ପଛରେ ପକାଇ ଦେଇଛି।
୨୫୦ ସିସି ବର୍ଗର ପ୍ରମୁଖ ଆକର୍ଷଣ ତଥା ସ୍ଥାନୀୟ ତାରକା ରାଜୀବ ସେଥୁ ଆଜି ଆଶାଜନକ ପ୍ରଦର୍ଶନ କରି ପାରିନାହାନ୍ତି। ଶନିବାର ପ୍ରଥମ ରେସ୍‌ରେ ତ୍ରୟୋଦଶ ସ୍ଥାନ ଅଧିକାର କରିଥିବା ରାଜୀବ ରବିବାର ଷୋଡ଼ଶ ସ୍ଥାନରେ ରହି ଅଳ୍ପକେ ପଏଣ୍ଟ୍‌ ଅର୍ଜନରୁ ବଞ୍ଚିତ ହୋଇଛନ୍ତି। ଫଳରେ ଏମ୍‌ଏମ୍‌ଆରଟିରେ ଆୟୋଜିତ ହୋଇଥିବା ଚତୁର୍ଥ ପର୍ଯ୍ୟାୟର ଦୁଇଟି ରେସ୍‌ରୁ ସେ ବ୍ୟକ୍ତିଗତ ଭାବେ ମୋଟ ୩ ପଏଣ୍ଟ୍‌ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମ ରେସ୍‌ ପୂରଣ କରି ପାରି ନଥିବା ଆନିଶ ସେଟ୍ଟୀ ରବିବାର ଦ୍ୱିତୀୟ ରେସ୍‌କୁ ସଂପୂର୍ଣ୍ଣ କରିଛନ୍ତି। ହେଲେ ଉନ୍ନବିଂଶ ସ୍ଥାନରେ ରହି ପଏଣ୍ଟ୍‌ ଖାତା ଖୋଲିବାରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ ଥର ଏକ ଏସୀୟସ୍ତରୀୟ ରେସିଂ କରିବାର ଅଭିଜ୍ଞତା ଅବଶ୍ୟ ସାଉଣ୍ଟିଛନ୍ତି। ସମାନ୍ତରାଳୟ ଭାବେ ମାଡ୍ରାସ୍‌ ମୋଟର ସ୍ପୋର୍ଟସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ହୋଇଥିବା ସିବିଆର୍‌୨୫୦ ଟ୍ୟାଲେଣ୍ଟ୍‌ କପ୍‌ର ପ୍ରଥମ ରେସ୍‌ରେ ଅଭିଷେକ ବାସୁଦେବ ବିଜୟୀ ହୋଇଥିଲା ବେଳେ ଦ୍ୱିତୀୟରେ ବି ଅରବିନ୍ଦ ବାଜି ମାରି ନେଇଛନ୍ତି। ଉଭୟ ରେସ୍‌ରେ ସ୍ଥାନୀୟ ତାରକା ସେନ୍ଥିଲ କୁମାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଆପାଚେ ୩୧୦ ବର୍ଗର ପ୍ରଥମ ରେସ୍‌ରେ ବିବେକ ପିଲାଇ ଏବଂ ଦ୍ୱିତୀୟ ରେସ୍‌ରେ ତାଙ୍କୁ ଦ୍ୱିତୀୟକୁ ହଟାଇ ପିଏମ୍‌ ସୁରୟା ବିଜୟୀ ହୋଇଥିଲେ। ଉତ୍ପାଦନ ସ୍ତରରେ ଥିବା ୧୫୦ ସିସି ବର୍ଗରେ ମାଲେସିଆର ଫାଜିଲ ଅହମ୍ମଦ ଟ୍ରଫି ହାସଲ କରିଥିଲେ।
ସୂଚନାଯୋଗ୍ୟ ଯେ ଏସିଆ ରୋଡ୍‌ ରେସିଂ ଏକ ୬ ପର୍ଯ୍ୟାୟ ବିଶିଷ୍ଟ ପ୍ରତିଯୋଗିତା। ଏଥିରେ ପ୍ରତି ପର୍ଯ୍ୟାୟରେ ଦୁଇଟି ରେସ୍‌ ଅନୁଷ୍ଠିତ ହୋଇଥାଏ। ଋତୁ ଶେଷରେ ସର୍ବାଧିକ ପଏଣ୍ଟ୍‌ ହାସଲ କରିଥିବା ରେସର୍‌ ବା ଚାଳକ ବିଜେତା ଘୋଷିତ ହୋଇଥାଆନ୍ତି। ୧୯୯୮ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ କୌଣସି ଭାରତୀୟ ଦଳ କିନ୍ତୁ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରୁଛି। ପୂର୍ବରୁ ଅଷ୍ଟ୍ରେଲିଆ, ଜାପାନ ଏବଂ ଥାଇଲାଣ୍ଡରେ ଏହାର ତିନିଟି ପର୍ଯ୍ୟାୟ ସାରିଛି। ଭାରତରେ ଚତୁର୍ଥ ପର୍ଯ୍ୟାୟ ଆୟୋଜିତ ହେବା ପରେ ଇଣ୍ଡୋନେସିଆରେ ପଞ୍ଚମ ଖେଳାଯିବ। ଷଷ୍ଠ ତଥା ଶେଷ ପର୍ଯ୍ୟାୟ ଥାଇଲାଣ୍ଡକୁ ଫେରିବ। ସେହିଠାରେ ବିଜେତା ବଛା ହେବା ସହ ଏଆର୍‌ଆର୍‌ସିର ଚଳିତ ଋତୁ ଶେଷ ହେବ। ଏହି ରେସ୍‌ର ପ୍ରଥମ ୧୫ ଜଣ ରେସର୍‌ ନିଜ ସ୍ଥାନ ଅନୁସାରେ ୨୫ରୁ ୧ ପଏଣ୍ଟ ଅର୍ଜନ କରିଥାଆନ୍ତି।

ସମ୍ବନ୍ଧିତ ଖବର