ଜାକର୍ତାରେ ଭାରତ ତୃତୀୟ

ଭୁବନେଶ୍ୱର: ଏସୀୟ କ୍ରୀଡ଼ାର ଚତୁର୍ଥ ସଂସ୍କରଣ ୧୯୬୨ ମସିହାରେ ଖେଳାଯାଇଥିଲା ଇଣ୍ଡୋନେସିଆର ଜାକର୍ତାରେ। ଗେଲୋରୋ ସେନାୟନ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଭାରତ ନିଜର ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ ସହିତ ତୃତୀୟ ସ୍ଥାନକୁ ଉଠିଥିଲା। ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପୂର୍ବରୁ ୧୯୫୧ରେ ଆୟୋଜକ ଥିବାବେଳେ ଦ୍ୱିତୀୟରେ ରହିଥିଲା। ୭୩ ସ୍ୱର୍ଣ୍ଣ, ୫୬ ରୌପ୍ୟ, ୨୩ କାଂସ୍ୟ ସହିତ ମୋଟ ୧୫୨ ପଦକ ହାସଲ କରି ଜାପାନ ଲଗାତାର ଚତୁର୍ଥ ଥର ବିଜେତା ହୋଇଥିଲା। ଆୟୋଜକ ଇଣ୍ଡୋନେସିଆ ୧୧ ସ୍ୱର୍ଣ୍ଣ, ୧୨ ରୌପ୍ୟ, ୨୮ କାଂସ୍ୟ ସହିତ ୫୧ ପଦକ ଜିତି ଦ୍ୱିତୀୟ ଏବଂ ଭାରତ (୧୦+୧୩+୧୦) ମୋଟ ୩୩ ପଦକ ଜିତି ତୃତୀୟରେ ରହିଥିଲା। ପାକିସ୍ତାନ ଓ ଫିଲିପାଇନ୍‌ସ ପରବର୍ତୀ ୨ ସ୍ଥାନରେ ରହିଥିଲେ।
ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ା ସଂଘକୁ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ଜାକର୍ତା ଏସିଆଡ୍‌ରେ। ଆରବ ଏବଂ ଚୀନ ଚାପରେ ବଶବର୍ତି ହୋଇ ଇଣ୍ଡୋନେସିଆ ସରକାର ଇସ୍ରାଏଲ୍‌ ଓ ତାଇଓ୍ଵାନ ଖେଳାଳିଙ୍କୁ ଭିସା ପ୍ରଦାନ କରିନଥିଲା। ଫଳରେ ଏସୀୟ କ୍ରୀଡ଼ା ସଂଘ ନିୟମର ଉଲ୍ଲଂଘନ ହୋଇଥିଲା। ଏହି କାରଣରୁ ମଧ୍ୟ ଅନ୍ତର୍ଜାତୀୟ ଭାରୋତ୍ତୋଳନ ସଂଘ ଓହରିଯିବାରୁ ଭାରୋତ୍ତୋଳନ ବାଦ୍‌ ପଡ଼ିଥିଲା। ବ୍ୟାଡ୍‌ମିଣ୍ଟନ୍‌ କିନ୍ତୁ ପ୍ରଥମ ପଦାର୍ପଣ କରିଥିଲା। ୧୭ ଦେଶରୁ ମୋଟ ୧୪୬୦ ଜଣ ଖେଳାଳି ଭାଗ ନେଇଥିଲେ। ୧୩ ଖେଳରେ ୧୨୦ ଇଭେଣ୍ଟ୍‌ ଅନୁଷ୍ଠିତ ହୋଇଥିଲା। ପୂର୍ବ ସଂସ୍କରଣ ବେଳେ କରାଚିକୁ ୨୨-୨୦ ଭୋଟରେ ପରାସ୍ତ କରି ଜାକର୍ତା ଆୟୋଜକ ଅଧିକାର ଅର୍ଜନ କରିଥିଲା। ଏବେ ୧୮ତମ ସଂସ୍କରଣ ମଧ୍ୟ ଜାକର୍ତାରେ ଆସନ୍ତା ମାସ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର