ସେମିରେ ଭାରତ-ଜାପାନ, ଆମେରିକା-ଦକ୍ଷିଣ ଆଫ୍ରିକା

ମେକ୍ସିକୋ ସପ୍ତମ

ଭୁ‌ବନେଶ୍ବର: କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସର ‌ସେମିଫାଇନାଲ୍‌ରେ ଭାରତ ଓ ଆମେରିକା ସହ ଶେଷ ଦୁଇ ଦଳ ଭାବେ ବୁଧବାର ଜାପାନ୍‌ ଓ ଦକ୍ଷିଣ ଆଫ୍ରିକା ପ୍ରବେଶ କରିଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ ଆମେରିକା ଓ ଦକ୍ଷିଣ ଆଫ୍ରିକା (ସଂଧ୍ୟା ୫ଟା) ଏବଂ ଆୟୋଜକ ଭାରତ ଓ ଜାପାନ (ରାତି ୭.୧୫) ମୁହାଁମୁହିଁ ହେବେ। ବୁଧବାର ପ୍ରଥମ କ୍ରସ୍‌ ଓଭର‌ ମ୍ୟାଚ୍‌ରେ ଜାପାନ୍‌ ୬-୨ ଗୋଲ୍‌ରେ ପୋଲାଣ୍ଡକୁ ଏବଂ ଦ୍ବିତୀୟରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲ୍‌ରେ ରୁଷିଆକୁ ପରାସ୍ତ କରି ଏହି ସ୍ଥାନ ପକ୍କା କରିଥିଲା। କ୍ରସ୍‌ ଓଭରର ଦୁଇ ପରାଜିତ ଦଳ ପୋଲାଣ୍ଡ ଓ ରୁଷିଆ ପଞ୍ଚମ ସ୍ଥାନ ପାଇଁ ଶୁକ୍ରବାର ସକାଳ ୮ଟାରେ ଖେଳିବେ।
ପ୍ରଥମ ମ୍ୟ‌ାଚ୍‌ର ସପ୍ତମ ମିନିଟ୍‌ରେ ମିକୋଲାଜ ଗୁମନି ଗୋଲ୍‌ ଦେଇ ପୋଲାଣ୍ଡକୁ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ବାର୍ଟର୍‌ରେ ୧-୦ରେ ପଛୁଆ ରହିଥିବା ଜାପାନ୍‌ ଦ୍ବିତୀୟ କ୍ବାର୍ଟର୍‌ରେ ଦୁଇଟି ଗୋଲ୍‌ ଦେଇ ମ୍ୟାଚ୍‌କୁ ଫେରିଥିଲା। ସୋତା ୟାମାଦା (୨୦ ମିନିଟ୍‌) ଏବଂ ହିରୋତାକା ଜେନ୍ଦାନା (୨୩ ମିନିଟ୍‌) ଗୋଟିଏ ‌ଲେଖାଏ ଗୋଲ୍‌ ଦେଇ ଜାପାନ୍‌କୁ ୨-୧ରେ ଆଗୁଆ କରିଥିଲେ। ୨୬ତମ ମିନିଟ୍‌ରେ ମାତ୍ୟୁଜ ହୁଲବୋଜଙ୍କ ଗୋଲ୍‌ ବଳରେ ସ୍ଥିତି ୨-୨ ହୋଇଯାଇଥିଲା। ତୃତୀୟ କ୍ବାର୍ଟର୍‌ରେ ଜାପାନ୍‌ର ‌କେଣ୍ଟା ତାନାକା (୩୪ ମିନିଟ୍‌) ଓ କୋଜି ୟାମାସାକି (୩୬ ମିନିଟ୍‌) ଗୋଟିଏ ଲେଖାଏ ଗୋଲ୍‌‌ ଦେଇ ଦଳକୁ ୪-୨ରେ ଆଗୁଆ ରଖିଥିଲେ। ଚତୁର୍ଥ କ୍ବାର୍ଟରରେ କେଞ୍ଜି କିତାଜାତୋ (୪୭ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଜାପାନ୍‌ ୫-୨ରେ ଅଗ୍ରଣୀ ନେଇଥିଲା। ‌ମ୍ୟାଚ୍‌‌ର ଶେଷ ମିନିଟ୍‌ରେ କୋଜି ୟାମାସାକି ଗୋଲ୍‌ ଦେଇ ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଜାପାନ୍‌ ୬-୨ ବ୍ୟବଧାନରେ ବିଜୟ ଭେଟି ଦେଇଥିଲେ।
ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମାର୍ଧ ଗୋଲ୍‌ ଶୂନ୍ୟଭାବେ ଶେଷ ହୋଇଥିଲା। ‌ତେବେ ଦ୍ବିତୀୟାର୍ଧରେ ଦକ୍ଷିଣ ଆଫ୍ରିକା ୨ ଗୋଲ୍‌ ଦେଇ ବିଜୟୀ ହୋଇଥିଲା ‌ବେଳେ ରୁଷିଆ ଗୋଟିଏ ଗୋଲ୍‌ ‌ଶୁଝିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କୋବାଇଲ୍‌ ଏନ୍‌ଟୁଲି (୪୦ ମିନିଟ୍‌) ଏବଂ ରିଆନ୍‌ ଜୁଲିୟସ (୫୩ ମିନିଟ୍‌) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ସେହିପରି ରୁଷିଆ ପକ୍ଷରୁ ଜିଓର୍ଗିଲ ଆରୁସିଆ (୪୭ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ।

ଏଫ୍ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ମେକ୍ସିକୋ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଛି। ବୁଧବାର ‌ସପ୍ତମ/ଅଷ୍ଟମ ସ୍ଥାନ ଲାଗି ଖେଳାଯାଇଥିବା ମ୍ୟାଚ୍‌ରେ ମେକ୍ସିକୋ ୪-୩ ‌ଗୋଲ୍‌ରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଉଜ୍‌ବେକିସ୍ତାନ ବିଜୟ ଶୂନ୍ୟ ରହି ପ୍ରତିଯୋଗିତାରେ ଶେଷ ସ୍ଥାନରେ ରହିଥିଲା। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା ବେଳେ ଦ୍ବିତୀୟ କ୍ବାର୍ଟର୍‌ରେ ମେକ୍ସିକୋର ମ୍ୟାକ୍ସିମିଲିଆନୋ ମେଣ୍ଡିଜ୍‌ (୨୯ ମିନିଟ୍‌) ଏବଂ ଆଲ୍‌କ୍‌ଜାଣ୍ଡର ପାଲ୍‌ମା ‌(୩୦ ମିନିଟ୍‌) ଦୁଇ ମିନିଟ୍‌ ମଧ୍ୟରେ ଦୁଇଟି ଗୋଲ୍‌‌ ଦେଇ ପ୍ରଥମାର୍ଧରେ ଦଳକୁ ୨-୦ରେ ଅଗ୍ରଣୀ ଦେଇଥିଲେ। ତେବେ ତୃତୀୟ କ୍ବାର୍ଟର୍‌ରେ ଉଜ୍‌ବେକିସ୍ତାନର ଗେବୁଲୋ ଖାୟତବୋଏଭ (୪୧ ମିନିଟ୍‌), ଓଖୁନଜନ୍‌ ମିର୍ଜାକାରିମୋଭ (୪୨ ମିନିଟ୍‌) ଏହି ଦୁଇଟି ଗୋଲ୍‌ ଶୁଝି ଦେଇଥିଲେ। ୪୪ତମ ମନିଟ୍‌ରେ ରୁସଲାନ୍‌ ସାତଲିକୋଭଙ୍କ ଗୋଲ୍‌ ବଳରେ ଉଜ୍‌ବେକିସ୍ତାନ ତୃତୀୟ କ୍ବାର୍ଟର୍‌ ସୁଦ୍ଧା ୩-୨ରେ ଆଗୁଆ ହୋଇଯାଇଥିଲା। ଶେଷ କ୍ବାର୍ଟର୍‌ରେ ମେକ୍ସିକୋର ୟାମିଲ ମେଣ୍ଡିଜ୍‌ (୫୪ ମିନିଟ୍‌) ଏବଂ ଅଧିନାୟକ ରୋବର୍ଟ ଗାର୍ସିଆ (୫୯ ମିନିଟ୍‌) ଗୋଟିଏ ଲେଖାଏ ଗୋଲ୍‌ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର