ସବୁଠୁ ଖରାପ ଟ୍ବେଣ୍ଟି-୨୦ ପ୍ରଦର୍ଶନ, ରୋହିତ ବାହିନୀକୁ ହରାଇଲେ ସେଇଫର୍ଟ-ସାଉଦି

୮୦ ରନ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ୱେଲିଂଟନ୍: ଫର୍ମାଟ୍ ବଦଳିବା ସହ ନ୍ୟୁଜିଲାଣ୍ଡର ଭାଗ୍ୟ ବଦଳିଛି। ଏକାଥରକେ ଦୁଇଟି ଦିନିକିଆ ଶୃଙ୍ଖଳା ହାରିଥିବା ଏହି ଦଳ ଟ୍ବେଣ୍ଟି-୨୦ ଆସୁଆସୁ ଗୋଟିଏ ଦିନରେ ଦୁଇଟି ବିଜୟ ହାସଲ କରିଛି। ବୁଧବାର ସଂଧ୍ୟା‌ (ସ୍ଥାନୀୟ ସମୟ)ରେ ଭାରତୀୟ ମହିଳାଙ୍କୁ ହରାଇବା ପରେ ରାତିରେ ପୁରୁଷଙ୍କୁ ବି ଧୂଳି ଚଟାଇଛି। ଏହା ପୂର୍ବରୁ ଖେଳା ଯାଇଥିବା ଦିନିକିଆ ଶୃଙ୍ଖଳାରେ କିନ୍ତୁ ଭାରତ ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ନ୍ୟୁଜିଲାଣ୍ଡକୁ ଧରାଶାୟୀ କରିଥିଲା। ଭାରତୀୟ ମହିଳା ୨-୧ରେ କିୱି ଦଳକୁ ହରାଇଥିଲେ। ଅନ୍ୟ ପକ୍ଷରେ ପୁରୁଷ ଦଳ ସମଗ୍ର ଶୃଙ୍ଖଳାରେ ଆଧିପତ୍ୟ ବିସ୍ତାର କରି ୪-୧ରେ ବିଜୟୀ ହୋଇଥିଲା। ତେବେ ଟ୍ବେଣ୍ଟି-୨୦ର ପ୍ରଥମ ମୁକାବିଲା ହାରି ଉଭୟ ମହିଳା ଓ ପୁରୁଷ ଦଳ ଏବେ ୦-୧ରେ ପଛୁଆ ରହିଛନ୍ତି। ୱେଲିଂଟନର ୱେଷ୍ଟ୍‌ପାକ୍ ଷ୍ଟାଡିୟମରେ ଭାରତୀୟ ମହିଳା ଦଳକୁ ନ୍ୟୁଜିଲାଣ୍ଡ ମହିଳା ଆଜି ୨୩ ରନ୍‌ରେ ହରାଇ ଦେଇଛନ୍ତି। ସେହିଭଳି ୮ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇ ଖେଳିଥିବା ଭାରତୀୟ ପୁରୁଷଙ୍କୁ ଘରୋଇ ପୁରୁଷ ଦଳ ୮୦ ରନ୍‌ରେ ହରାଇ ଯୁଗଳ ବିଜୟ ହାସଲ କରିଛି। ଭାରତୀୟ ମହିଳା ଅବଶ୍ୟ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ପୁରୁଷ କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂରେ ପୂରା ହାତ ଟେକି ଦେଇଥିଲେ। ସଂଯୋଗ ବଶତଃ ଭାରତ ଉଭୟ ମହିଳା ଏବଂ ପୁରୁଷରେ ଟସ୍ ଜିତି ଘରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା, ଆଉ ଶେଷରେ ଦୁଇଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲା।

ବୁଧବାର ନ୍ୟୁଜିଲାଣ୍ଡ ମହିଳା ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୯ ରନ୍ କରିଥିଲେ। ଭାରତୀୟ ମହିଳା ୧୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ପୁରୁଷଙ୍କ ମୁକାବିଲା କିନ୍ତୁ ସଂପୂର୍ଣ୍ଣ ଏକତରଫା ଥିଲା। ଅଧିନାୟକ ରୋହିତ ଶର୍ମା ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା କ୍ଷଣି ହିଁ ଭାରତର ଦୁର୍ଦ୍ଦଶା ଆରମ୍ଭ ହୋଇ ଯାଇଥିଲା। ନ୍ୟୁଜିଲାଣ୍ଡର ଶୀର୍ଷ ଚାରି ବ୍ୟାଟ୍ସମ୍ୟାନ୍ ଧମାକାଦାର ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୨୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ନ୍ୟୁଜିଲାଣ୍ଡ ମାଟିରେ ପୂର୍ବରୁ କେବେ ବି ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତି ନଥିବା ଭାରତ ୧୮ ରନ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇବାର ଝଟ୍‌କାରୁ ଶେଷ ପର୍ଯ୍ୟନ୍ତ ମୁକୁଳି ପାରି ନଥିଲା। ନ୍ୟୁଜିଲାଣ୍ଡ ବୋଲରଙ୍କ ମାପଚୁପ ବୋଲିଂର ସମ୍ମୁଖୀନ ହୋଇ ନପାରି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ସହ ୧୯.୨ ଓଭରରେ ମାତ୍ର ୧୩୯ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୩୯ ରନ୍ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ଏକାଠି ଖେଳିଥିବା ପାଣ୍ଡ୍ୟା ଭାଇ ହାର୍ଦିକ (୪) ଓ କ୍ରୁନାଲ (୨୦) ମିଳିତ ଭାବେ ମାତ୍ର ୨୪ ରନ୍ କରିଥିଲେ। ‌ରୋହିତ ୧ ରନ୍ ଆଗକୁ ବଢ଼ି ନପାରିବା ପରେ ମାର୍ଟିନ୍ ଗପ୍ଟିଲଙ୍କୁ କାଟି ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସ୍କୋରର ହେବାର ସୁଯୋଗ ହାତଛଡ଼ା କରିଥିଲେ। ଧାୱନ ଭଲ ଆରମ୍ଭ କରିଥିଲେ ମଧ୍ୟ ୨୭ ରନ୍‌ରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ନ୍ୟୁଜିଲାଣ୍ଡ ତା’ ପାଳିରେ ୧୪ ଲେଖାଏଁ ଛକା, ଚୌକା ମାରିଥିଲା। ଅନ୍ୟପକ୍ଷରେ ଭାରତୀୟ ପାଳିରେ କେବଳ ୭ ଛକା ଏବଂ ୧୧ ଚୌକା ଦେଖିବାକୁ ମିଳିଥିଲା। ଏହା ହିଁ ଉଭୟ ଦଳର ରନ୍ ସଂଗ୍ରହ ହାରରେ ପ୍ରମୁଖ ପାର୍ଥକ୍ୟ ହୋଇଥିଲା। ଅଭିଜ୍ଞ ଟିମ୍ ସାଉଦି (୪-୦-୧୭-୩) ହିଁ ନିଜ ସୁଇଂ ବୋଲିଂରେ ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ‌େଲାକି ଫର୍ଗୁସନ୍, ମିଚେଲ ସାଣ୍ଟନର ଓ ଈଶ୍ ସୋଢ଼ୀ ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ।

ପୂର୍ବରୁ ଦୁର୍ଦ୍ଧର୍ଷ ୱିକେଟ୍ ରକ୍ଷକ ଟିମ୍ ସେଇଫର୍ଟ (୮୪ ରନ୍, ୪୩ ବଲ୍, ୭ ଚୌକା, ୬ ଛକା) ଓ ବିସ୍ଫୋରକ କଲିନ୍ ମୁନ୍‌ରୋ (୩୪ ରନ୍, ୨୦ ବଲ୍, ୨ ଚୌକା, ୨ ଛକାଙ୍କ ୮୬ ରନ୍‌ର ଧୂଆଁଧାର ପ୍ରଥମ ୱିକେଟ୍ ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୯ ରନ୍ କରି ନେଇଥିଲା। ଏହି ଦୁଇ ଜଣଙ୍କ ଛଡ଼ା ଅଧିନାୟକ କେନ୍ ୱିଲିୟମସନ୍ (୩୪ ରନ୍, ୨୨ ବଲ୍, ୩ ଛକା) ମଧ୍ୟ ଦ୍ରୁତ ବ୍ୟାଟିଂ କରିଥିଲେ। ମଝିରେ ରସ୍ ‌ଟେଲର (୨୩) ଓ ଶେଷ ଆଡ଼କୁ ସ୍କଟ୍ କୁଗେଲିନ୍ (୨୦*) ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଭୁବନେଶ୍ବର କୁମାରଙ୍କୁ ମିଶାଇ ସବୁ ଭାରତୀୟ ବୋଲର ୮ରୁ ଅଧିକ ହାରରେ ରନ୍ ବ୍ୟୟ କରିଥିଲେ। ବିଶେଷ କରି ହାର୍ଦିକ ପାଣ୍ଡ୍ୟା ନିଜ ୪ ଓଭରରେ ୫୧ ରନ୍ ଦେଇ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେଇଫର୍ଟଙ୍କୁ ତାଙ୍କ ଛକା ଚୌକା ଭରା ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ନ୍ୟୁଜିଲାଣ୍ଡରେ ତୃତୀୟ ଟ୍ବେଣ୍ଟି-୨୦ ଖେଳି ଭାରତ ତୃତୀୟ ପରାଜୟ ବରଣ କରିଥିଲା। ରନ୍ ବ୍ୟବଧାନରେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ବୁଧବାର ଟ୍ବେଣ୍ଟି-୨୦ରେ ସର୍ବବୃହତ୍ ପରାଜୟ ବରଣ କରିଥିଲା। ଏହା ପୂର୍ବରୁ ୨୦୧୦ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ୪୯ ରନ୍‌ର ପରାଜୟ ସର୍ବାଧିକ ଥିଲା। ଭାରତ ମଧ୍ୟ ନ୍ୟୁଜିଲାଣ୍ଡ୍‌ଠୁ ସପ୍ତମ ପରାଜୟ ବରଣ କଲା। ଯାହାକି କୌଣସି ଦଳ ବିପକ୍ଷରେ ଭାରତର ଏହା ସବୁଠୁ ଖରାପ ପ୍ରଦର୍ଶନ। ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଶୁକ୍ରବାର ଅକ୍‌ଲାଣ୍ଡର ଇଡେନ୍ ପାର୍କରେ ଖେଳାଯିବ।

ଏକାଠି ‌ଖେଳିଲେ ହାର୍ଦିକ-କ୍ରୁନାଲ
ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ବୁଧବାର ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏକାଠି ଖେଳିଛନ୍ତି। ଏହି କ୍ଷେତ୍ରରେ ‌ସେମାନେ ତୃତୀୟ ଭାରତୀୟ ଭାଇ ହୋଇଛନ୍ତି। ହାର୍ଦିକ-କ୍ରୁନାଲଙ୍କ ପୂର୍ବରୁ ମହିନ୍ଦର ଓ ସୁରିନ୍ଦର ଅମରନାଥ ଏବଂ ୟୁସୁଫ ଓ ଇର୍ଫାନ୍ ପଠାନ୍ ଏଭଳି କୀର୍ତ୍ତିମାନ କରି ସାରିଛନ୍ତି। ଭାରତ ପକ୍ଷରୁ ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଥିବା ଲାଲା ଅମରନାଥଙ୍କ ଦୁଇ ପୁଅ ମହିନ୍ଦର ଓ ସୁରିନ୍ଦର ଏକାଧିକ ମ୍ୟାଚ୍‌ରେ ଭାରତ ପକ୍ଷରୁ ଏକାଠି ଖେଳିଛନ୍ତି। ଇର୍ଫାନ୍ ଓ ୟୁସୁଫ ମଧ୍ୟ ଏହି ସଫଳତା ଦୋହରାଇ ସାରିଛନ୍ତି। ହାର୍ଦିକ ଓ କ୍ରୁନାଲ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକାଠି ଖେଳୁଥି‌ଲେ ମଧ୍ୟ ପ୍ରଥମ ଥର ସାଙ୍ଗ ହୋଇ ଭାରତର ପ୍ରତିନିଧିତ୍ବ କରିଛନ୍ତି। ତେବେ ଉଭୟ ସେତେଟା ସଫଳ ହୋଇ ନାହାନ୍ତି। ମିଳିତ ଭାବେ ମାତ୍ର ୨୪ ରନ୍ କରିଥିଲା ବେଳେ ୮ ଓଭରରେ ୮୮ ରନ୍ ବ୍ୟୟ କରି ୩ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର