ଆରମ୍ଭରୁ ଝୁଣ୍ଟିଲେ, ବ୍ରିସବନ୍ ଟ୍ବେଣ୍ଟି-୨୦କୁ ୪ ରନ୍‌ରେ ହାରିଲା ଭାରତ

ବ୍ରିସବନ୍: ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭରୁ ଭାରତୀୟ କ୍ରିକେଟ୍ ଦଳ ଝୁଣ୍ଟିଛି। ୨୦୧୬ ସଫଳତା ଦୋହରାଇବା ଲକ୍ଷ୍ୟରେ ଥିଲେ ମଧ୍ୟ ବୁଧବାର ବିରାଟ ବାହିନୀ ୨୦୧୮ ଗସ୍ତର ପ୍ରଥମ ଟ୍ବେଣ୍ଟି-୨୦ ମୁକାବିଲାକୁ ଅପ୍ରତ୍ୟାଶିତ ଭାବେ ହାରିଯାଇଛି। ବ୍ରିସବନ୍‌ର ଐତିହାସିକ ଗାବା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାରୁ ପର୍ଯ୍ୟନ୍ତ ଲଢ଼ି ଶେଷରେ ୪ ରନ୍‌ରେ ପରାଜିତ ହୋଇଛି। ଅଦିନିଆ ବର୍ଷା ସହ ଶୀର୍ଷକ୍ରମ ବିଫଳତା ଏବଂ ଦୁର୍ବଳ କ୍ଷେତ୍ରରକ୍ଷଣ ଭାରତ ହାରିବାର ପ୍ରମୁଖ କାରଣ ହୋଇଛି। ସେପଟେ ୟୁଏଇରେ ପାକିସ୍ତାନଠାରୁ ୦-୩ରେ ଶୃଙ୍ଖଳା ହାରିଥିବା ଅଷ୍ଟ୍ରେଲିଆ ଭାରତକୁ ରୋମା‌ଞ୍ଚକର ଭାବେ ହରାଇ ବିଜୟ ଧାରାକୁ ଫେରିଛି। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଅଧିନାୟକ ଆରୋନ୍ ଫିଞ୍ଚ୍ ବି ଶାନ୍ତିର ନିଶ୍ବାସ ମାରିଛନ୍ତି। ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଶୁକ୍ରବାର ମେଲବର୍ନ କ୍ରିକେଟ୍ ପଡ଼ିଆରେ ଖେଳାଯିବ। ଦୁଇ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ କ୍ରିକେଟ୍ ଦଳ କଙ୍ଗାରୁ ଦଳକୁ ଏକତରଫା ଭାବେ ୩-୦ରେ ହରାଇଥିଲା। ଭାରତକୁ ସମର୍ଥନ କରିବା ଲାଗି ବ୍ରିସବନର ଗାବା ଷ୍ଟାଡିୟମରେ ଆଜି ଭାରତୀୟଙ୍କ ଭିଡ଼ ଜମିଥିଲା। ସେମାନେ ଭାରତ ବିଜୟ ଆଶାରେ ବହୁ ସଂଖ୍ୟାରେ ମ୍ୟାଚ୍ ଦେଖିବାକୁ ଆସିଥିଲେ। ହେଲେ ପ୍ରଥମେ ବର୍ଷା ପାଇଁ ମ୍ୟାଚ୍ ୧୭ ଓଭରକୁ କମିବା ଏବଂ ପରେ ଭାରତ ହାରିବା ସେମାନଙ୍କୁ ପୂରା ନିରାଶ କରିଥିଲା। କୋହଲି ଆଜି ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଅଷ୍ଟ୍ରେଲିଆ ଡାର୍କି ସଟ୍‌ (୭)ଙ୍କୁ ୨୪ ରନ୍‌ରେ ହରାଇବା ସତ୍ତ୍ବେ ଦ୍ରୁତ ରନ୍ ସଂଗ୍ରହ ଜାରି ରଖିଥିଲା। ଖଲିଲ ଅହମ୍ମଦ ଓ କୃନାଲ ପାଣ୍ଡ୍ୟାଙ୍କ ଗୋଟିଏ ଲେଖାଏଁ ଓଭରରେ ‌ତିନିଟି ଲେଖାଏଁ ଛକା ମାରି ଉଭୟ ଲିନ୍‌ ଓ ମ୍ୟାକ୍ସୱେଲ୍‌ ଅଷ୍ଟ୍ରେଲିଆର ରନ୍‌ ଗତି ବଢ଼ାଇ ଦେଇଥିଲେ। ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ (୪୬ ରନ୍, ୨୪ ବଲ୍, ୪ ଛକା) ଶେଷରେ ବୁମ୍‌ରାଙ୍କ ଶିକାର ହୋଇଥିଲେ। ମାକର୍ସ ଷ୍ଟୋଇନିସ୍ (୩୩* ରନ୍, ୧୯ ବଲ୍, ୩ ଚୌକା, ୧ ଛକା) ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଧିନାୟକ ଆରୋନ ଫିଞ୍ଚ ୨୭ ଏବଂ କ୍ରିସ୍ ଲିନ୍ ୩୭ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ହେଲେ ଅଷ୍ଟ୍ରେଲିଆ ୧୭ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା ବେଳେ ବର୍ଷା ହୋଇଥିଲା। ଫଳରେ ଭାରତୀୟ ପାଳିକୁ ମଧ୍ୟ ୧୭ ଓଭରକୁ କମାଇ ଦିଆଯାଇଥିଲା। ହେଲେ ଡକୱର୍ଥ/ଲୁଇସ୍ ନିୟମରେ ଭାରତ ସମ୍ମୁଖରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହା ଭାରତ ପାଇଁ ଶେଷରେ କଷ୍ଟକର ହୋଇଥିଲା। ଭାରତ ମଧ୍ୟ ଅନୁରୂପ ଭାବେ ରୋହିତ ଶର୍ମା (୭)ଙ୍କୁ ସଅଳ ହରାଇଥିଲା। ବ୍ୟାଟିଂକ୍ରମ ବଦଳାଇ କୋହଲି ଯୁବ ତାରକା ଲୋକେଶ ରାହୁଲ (୧୩)ଙ୍କୁ ତୃତୀୟ ସ୍ଥାନରେ ପଠାଇଥିଲେ। ସେ କିନ୍ତୁ ନରାଶ କରିଥିଲେ। କୋହଲି ନିଜେ ବଡ଼ ସଟ୍ ଖେଳିବା ଲୋଭରେ କ୍ରିସ୍ ଲିନ୍‌ଙ୍କ ହାତରେ ଧରାପଡ଼ିଥିଲେ। ଉଭୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଆଦାମ ଜାମ୍ପା ପ୍ୟାଭିଲିୟନ ପଠାଇ ଭାରତକୁ ଯୁଗଳ ଝଟକା ଦେଇଥିଲେ। ରନ୍ ହାର ବଢ଼ି ବଢ଼ି ଚାଲିଥିଲା ବେଳେ ଋଷବ ପନ୍ତ୍‌ (୨୦) ଏବଂ ଦୀନେଶ କାର୍ତିକ (୩୦) ଆଶା ଦେଇଥିଲେ। ପନ୍ତ୍‌ ହାତ ଛଡ଼ିବା ପରେ କାର୍ତିକ ଲଢ଼ିଥିଲେ। ଶେଷ ଓଭରରୁ ୧୩ ରନ୍‌ର ଦରକାର ଥିଲା ବେଳେ ଷ୍ଟୋଇନିସ୍ ଲଗାତାର ବଲରେ କ୍ରୁନାଲ ପାଣ୍ଡ୍ୟା (୨) ଓ କାର୍ତିକଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆ ବିଜୟକୁ ପକ୍କା କରି ନେଇଥିଲେ। ଶେଷ ବଲ୍‌ରୁ ବିଜୟ ପାଇଁ ୯ ରନ୍‌ର ଦରକାର ଥିଲା ବେଳେ ମିତ୍ତବ୍ୟୟୀ ବୋଲିଂ କରିଥିବା କୁଲଦୀପ ଯାଦବ ଚୌକା ମାରିଥିଲେ। ଫଳରେ ଭାରତ ୪ ରନ୍‌ରେ ହାରି ଯାଇଥିଲା। ପଛୁଆ ବ୍ୟାଟିଂ କରି ଭାରତ ଗତ ୯ ଟ୍ବେଣ୍ଟି-୨୦ରେ ପ୍ରଥମ ପରାଜୟ ବରଣ କରିଥିଲା।

ସମ୍ବନ୍ଧିତ ଖବର