ଲର୍ଡସରେ ହାରିଲା ଭାରତ

ଲଣ୍ଡନ: ଲର୍ଡସ ପଡ଼ିଆରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ଇଂଲଣ୍ଡ ୩୨୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ବିରାଟ ବିହିନୀ ମାତ୍ର ୨୩୬ ରନ୍‌ କରି ପାରିଛି। ଫଳରେ ଇଂଲଣ୍ଡ ୮୬ ରନ୍‌ର ବୃହତ୍‌ ବିଜୟ ହାସଲ କରିଛି। ତା’ ସହ ତିନି ଟିକିଆ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ନେଇ ଆସିଛି। ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଇଂଲଣ୍ଡ ଅନୁରୂପ ଭାବେ ଶୋଚନୀୟ ପରାଜୟ ବରଣ କରିଥିଲା। ଶନିବାର ୩୨୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ କେବେ ବି ବିଜୟ ଆଶା ସୃଷ୍ଟି କରି ପାରି ନଥିଲା। ପ୍ରଥମ ମ୍ୟାଚ୍‌ର ଶତକ ହାସଲକାରୀ ରୋହିତ ଶର୍ମା (୧୫)ଙ୍କ ସହ ତାଙ୍କ ଯୋଡ଼ିଦାର ଶିଖର ଧାଓ୍ଵନ (୩୬) ଓ ଲୋକେଶ ରାହୁଲ (୦) ୬୦ ରନ୍‌ ଭିତରେ ପ୍ୟାଭିଲିୟନ ବାହୁଡ଼ି ଯାଇଥିଲେ। ଅଧିନାୟକ ବିରାଟ କୋହଲି (୪୫) ଓ ସୁରେଶ ରାଇନା (୪୬) ବଡ଼ ଭାଗୀଦାରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଉଭୟ ଅର୍ଧଶତକ ଦ୍ୱାରରେ ଥିଲା ବେଳେ ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେଇଥିଲେ। ଫଳରେ ଭାରତର ବିଜୟ ଆଶା ସେହିଠାରେ ମଉଳି ଯାଇଥିଲା। କେବଳ ଯାହା ଔପଚାରିକତା ବାକି ରହିଥିଲା। ଏହି ଦୁଇ ଜଣ ଆଉଟ୍‌ ହେବା ପରେ ଇଂଲଣ୍ଡ ଭାରତର ବଳକା ୫ ଓ୍ଵିକେଟକୁ ୮୨ ରନ୍‌ ଭିତରେ ନେଇ ସହଜ ବିଜୟ ହାସଲ କରିଥିଲା। ଭାରତ ସମସ୍ତ ଓ୍ଵିକେଟ୍‌ ବିନିମୟରେ ମାତ୍ର ୨୩୬ ରନ୍‌ କରି ପାରିଥିଲା। ପ୍ରଥମ ମ୍ୟାଚ୍‌ ହାରିବା ପରେ ଶନିବାରର ଦ୍ୱିତୀୟ ମୁକାବିଲାରେ ଘାଇଲା ବାଘ ଭଳି ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଚି ନିର୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୩୨୨ ରନ୍‌ କରି ନେଇଥିଲା। କୁଲଦୀପ ଯାଦବ (୧୦-୦-୬୮-୩)ଙ୍କ କଚଟି ସ୍ପିନ୍‌କୁ ଆଜି ବି ଇଂଲଣ୍ଡ ସର୍ବାଧିକ ଓ୍ଵିକେଟ୍‌ ଦେଇଥିଲା। ହେଲେ ସୁଯୋଗ ଉଣ୍ଡି ତାଙ୍କ ବଲ୍‌କୁ ପଡ଼ିଆ ବାହାରକୁ ପଠାଇବାର କୌଣସି ସୁଯୋଗ ହାତଛଡ଼ା କରି ନଥିଲା। ବିଶେଷ କରି ତୃତୀୟ ସ୍ଥାନରେ ଆସିଥିବା ଜୋ ରୁଟ୍‌ (୧୧୩ ରନ୍‌, ୧୧୬ ବଲ୍‌, ୮ ଚୌକା, ୧ ଛକା)ଙ୍କ ଶତକ ଭାରତ ପାଇଁ କାଳ ହୋଇଥିଲା। ସେ ୫୬ ବଲରୁ ଅର୍ଧଶତକ ଏବଂ ୧୦୯ ବଲ୍‌ରୁ ଶତକ ଅର୍ଜନ କରି ଇଂଲଣ୍ଡ ପାଳିର ପ୍ରମୁଖ ଅଂଶୀଦାର ପାଲଟିଥିଲେ। ସେହିଭଳି ଶେଷ ଆଡ଼କୁ ଡେଭିଡ୍‌ ଓ୍ଵିଲି (୫୦* ରନ୍‌, ୩୧ ବଲ୍‌, ୫ ଚୌକା, ୧ ଛକା) କରିଥିବା ଦ୍ରୁତ ଅର୍ଧଶତକ ମଧ୍ୟ ଇଂଲଣ୍ଡ ପାଳିର ଅନ୍ୟତମ ଆକର୍ଷଣ ଥିଲା। ଏମାନଙ୍କ ବ୍ୟତିତ ଅଧିନାୟକ ଇଅନ ମୋର୍ଗାନ ୫୩ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ରୁଟ୍‌ ଆଜି ଦ୍ୱାଦଶ ଦିନିକିଆ ଶତକ ହାସଲ କରିବା ସହ ଶେଷ ବଲ୍‌ରେ ରନଆଉଟ୍‌ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୩୨୨/୭ ( ଜୋ ରୁଟ୍‌ ୧୧୩, ଇଅନ ମୋର୍ଗାନ ୫୩, ଡେଭିଡ୍‌ ଓ୍ଵିଲି ୫୦*, ଜାସନ ରଏ ୪୦, ଜନି ବେୟାରଷ୍ଟୋ ୩୮, କୁଲଦୀପ ଯାଦବ ୩/୩୮, ୟୁଜବେନ୍ଦ୍ର ଚହଲ ୧/୪୩)। ଭାରତ ୫୦ ଓଭରରେ ୨୩୬ (ସୁରେଶ ରାଇନା ୪୬, ବିରାଟ କୋହଲି ୪୫, ମହେନ୍ଦ୍ର ସିଂହ ଧୋନି ୩୭, ଶିଖର ଧାଓ୍ଵନ ୩୬, ଲିଅମ ପ୍ଲଙ୍କେଟ ୪/୪୬, ଆଦିଲ ରସିଦ ୨/୩୮)।

ସମ୍ବନ୍ଧିତ ଖବର