ଆଜିଠୁ ଭାରତର ଅଭିଯାନ

ଯୁବ ବିଶ୍ୱକପ୍‌ କ୍ରିକେଟ୍‌ ଆରମ୍ଭ, ଆଫ୍‌ଗାନିସ୍ତାନଠୁ ହାରିଲା ପାକିସ୍ତାନ

ଓ୍ଵାଙ୍ଗାରେଇ: ନ୍ୟୁଜିଲାଣ୍ଡ୍‌ରେ ଆଜିଠୁ ଆରମ୍ଭ ହୋଇଛି ଯୁବ (୧୯ ବର୍ଷରୁ କମ୍‌) ବିଶ୍ୱକପ୍‌ କ୍ରିକେଟ୍‌। ପ୍ରଥମ ଦିବସରେ ହିଁ ଆଫ୍‌ଗାନିସ୍ତାନ ଦଳ ବଡ଼ ବିପର୍ଯ୍ୟୟ ଘଟାଇଛି। ଏହି ଦଳ ୫ ଓ୍ଵିକେଟ୍‌ରେ ଶକ୍ତିଶାଳୀ ପାକିସ୍ତାନକୁ ପରାସ୍ତ କରିଦେଇଛି। ଦୁଇ ଥର ବିଶ୍ୱ ବିଜେତା (୨୦୦୪ ଓ ୨୦୦୬), ୩ ଥର ଉପବିଜେତା (୧୯୮୮, ୨୦୧୦ ଓ ୨୦୧୪) ସାଙ୍ଗକୁ ୨ ଥର ତୃତୀୟ ସ୍ଥାନ (୨୦୦୦ ଓ ୨୦୦୮) ପାଇଥିବା ପାକିସ୍ତାନ ଚଳିତ ସଂସ୍କରଣରେ ଆରମ୍ଭରୁ ଆଫ୍‌ଗାନିସ୍ତାନ ନିକଟରୁ ହାର୍‌ ମାନିଛି। ବିଶେଷକରି ରୋହେଲ୍‌ ଆଲାମ୍‌ଙ୍କ ୮୧ ରନ୍‌ ବଳରେ ଏକ ସମୟରେ ୧୪୬/୩ ସ୍ଥିତି ପାଇଥିବା ପାକିସ୍ତାନ ୪୨ ରନ୍‌ରେ ଶେଷ ୭ ଓ୍ଵିକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଜମତୁଲ୍ଲା ଓମାରଜାଇ (୩/୩୪), କ୍ୱାଇସ୍‌ ଅହମ୍ମଦ (୩/୩୮) ଓ ନବିନ୍‌ ଉଲ୍‌ ହକ୍‌ (୨/୩୦)ଙ୍କ ଚମତ୍କାର ବୋଲିଂ ନିକଟରେ ତିଷ୍ଠିନପାରି ପାକିସ୍ତାନ ୪୭.୪ ଓଭରରେ ୧୮୮ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଜବାବରେ ଦାର୍‌ଓ୍ଵିସ୍‌ ରସୁଲିଙ୍କ ଅପରାଜିତ ୭୬, ଇକ୍ରାମ୍‌ ଅଲ୍ଲୀ ଖିଲ୍‌ଙ୍କ ୪୬ ରନ୍‌ ବଳରେ ଆଫ୍‌ଗାନିସ୍ତାନ ୪୭.୩ ଓଭରରେ ୫ ଓ୍ଵିକେଟ୍‌ ବିନିମୟରେ ୧୯୪ ରନ୍‌ କରିନେଇଥିଲା। ଆଉ ଏହି ବିଜୟ ସହ ଆଫ୍‌ଗାନିସ୍ତାନ ୨ ପଏଣ୍ଟ୍‌ରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର