ନୂଆଦିଲ୍ଲୀ: ଭାରତୀୟ କନିଷ୍ଠ ବାଳକ ଓ ବାଳିକା ହକି ଦଳ ଚଳିତ ବର୍ଷର ଯୁବ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଗୁରୁବାର ଆନ୍ତର୍ଜାତିକ ହକି ସଂଘ (ଏଫ୍ଆଇଏଚ୍) ଏନେଇ ଘୋଷଣା କରିଛି। ଆସନ୍ତା ଅକ୍ଟୋବର ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସରେ ଯୁବ ଅଲିମ୍ପିକ୍ସ ଆୟୋଜିତ ହେବ। ଏଥିରେ ହକି ୫ଏସ୍ ପ୍ରତିଯୋଗିତାରେ ଭାରତର ଉଭୟ ଦଳ ଭାଗ ନେବ। ଯାହାକି ଯୁବ ଅଲିମ୍ପିକ୍ସରେ ଭାରତର ଦୁଇ ଦଳ ପ୍ରଥମ ଥର ଲାଗି ଅଂଶଗ୍ରହଣ କରିବେ। ବୁଏନ୍ସ ଏୟାର୍ସ ଯୁବ ଅଲିମ୍ପିକ୍ସରେ ୧୨ ଲେଖାଏଁ ଦଳ ଅଂଶ ଗ୍ରହଣ କରିବେ। ବାଳକ ବର୍ଗରେ ଭାରତୀୟ ଦଳ କଡ଼ା ଆହ୍ଵାନର ସମ୍ମୁଖୀନ ହେବ। ୨୦୧୪ ଯୁବ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅଷ୍ଟ୍ରେଲିଆ ଓ ରୌପ୍ୟ ବିଜେତା କାନାଡା ସାଙ୍ଗକୁ ଆୟୋଜକ ଆର୍ଜେଣ୍ଟିନା, ଅଷ୍ଟ୍ରି୍ରଆ, ବାଂଲାଦେଶ, ପୋଲାଣ୍ଡ୍, ମେକ୍ସିକୋ, ମାଲେସିଆ, କେନିୟା, ଜାମ୍ବିଆ ଓ ଭନୁଆତୁ ସହ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିବ। ସେହିପରି ମହିଳା ବର୍ଗରେ ୨୦୧୪ ସ୍ୱର୍ଣ୍ଣ ବିଜେତା ଚୀନ୍, ଆୟୋଜକ ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ପୋଲାଣ୍ଡ, ଉରୁଗୁଏ, ମେକ୍ସିକୋ, ଅଷ୍ଟ୍ରେଲିଆ, ନାମ୍ବିଆ, ଦକ୍ଷିଣ ଆଫ୍ରିକା, ଜିମ୍ବାେଓ୍ଵ ଓ ଭନୁଆତୁ ସହ ଭାରତର ପ୍ରତିଦ୍ୱନ୍ଦ୍ୱିତା ହେବ। ତେବେ ଆୟୋଜକ ସମିତି ସୂଚୀ ଘୋଷଣା କରିନଥିବା ଜଣାପଡ଼ିଛି। ଯୁବ ଅଲିମ୍ପିକ୍ସ୍କୁ ଯୋଗ୍ୟତା ହାତେଇ ଥିବାରୁ ଉଭୟ ବାଳକ ଓ ବାଳିକା ଦଳକୁ ହକି ଇଣ୍ଡିଆ ପକ୍ଷରୁ ମହାସଚିବ ମହମ୍ମଦ ମୁସ୍ତାକ୍ ଅହମ୍ମଦ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ଦଳ କଠିନ ପରିଶ୍ରମ କରି ପ୍ରଥମ ଥର ଲାଗି ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଥିବାରୁ ପୁଣି ଥରେ ଅଭିନନ୍ଦନ ଜଣାଉଛି ବୋଲି ସେ କହିଥିଲେ।
ଭାରତର ଉଭୟ ଦଳ ଏସୀୟ ଯୁବ ଅଲିମ୍ପିକ୍ସ୍ ଯୋଗ୍ୟତା ପର୍ଯ୍ୟାୟରେ ଅଂଶ ଗ୍ରହଣ କରିଥିଲେ। ଏହା ଏପ୍ରିଲ ୨ ତାରିଖରେ ଥାଇଲାଣ୍ଡ୍ ରାଜଧାନି ବ୍ୟାଙ୍କକ୍ରେ ଆୟୋଜିତ ହୋଇଥିଲା। ସେଥିରେ ବାଳକ ଦଳ ଫାଇନାଲ୍ରେ ମାଲେସିଆକୁ ୨-୧ ସୁଟ୍ଆଉଟ୍ରେ ପରାସ୍ତ କରି ବିଜେତା ହୋଇଥିଲା। ଅପରାଜେୟ ବାଳକ ଦଳ ପୁଲ୍ ପର୍ଯ୍ୟାୟରେ ୪ ମ୍ୟାଚ୍ରୁ ଥାଇଲାଣ୍ଡ୍କୁ ୨୫-୦, ଜାପାନକୁ ୬-୨, ହଂକଂକୁ ୨୧-୦ ଏବଂ ଦକ୍ଷିଣ କୋରିଆକୁ ୧୨-୫ ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲା। ପୁଣି ସେମିଫାଇନାଲ୍ରେ ବାଂଲାଦେଶକୁ ୯-୨ରେ ପରାସ୍ତ କରିବା ପରେ ଫାଇନାଲ୍ରେ ଶକ୍ତିଶାଳୀ ମାଲେସିଆକୁ ୨-୧ରେ ସୁଟ୍ଆଉଟ୍ କରିଦେଇଥିଲା। ବାଳିକା ଦଳ ଫାଇନାଲ୍ରେ ଚୀନ୍ ନିକଟରୁ ୧-୪ ଗୋଲ୍ରେ ହାରି ଉପବିଜେତା ରହିଥିଲା। ପୁଲ୍ ପର୍ଯ୍ୟାୟରେ ସମସ୍ତ ୩ ମ୍ୟାଚ୍ ଜିତିଥିଲା। ସିଙ୍ଗାପୁରକୁ ୧୪-୦, ଦକ୍ଷିଣ କୋରିଆକୁ ୧୦-୦, ଆୟୋଜକ ଥାଇଲାଣ୍ଡ୍କୁ ୯-୦ରେ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲା। ମାଲେସିଆକୁ ୪-୨ରେ ପରାସ୍ତ କରିବା ପରେ ଫାଇନାଲ୍ରେ ଚୀନ୍ ନିକଟରୁ ହାରିଯାଇଥିଲା।