ନ୍ୟୁଜିଲାଣ୍ଡ ଠାରୁ ୪୦ରନ୍‌ରେ ଭାରତ ପରାସ୍ତ, ୧-୧ରେ ଶୃଙ୍ଖଳା

ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦: ପାଣିରେ ପଡ଼ିଲା କୋହଲି-ଧୋନିଙ୍କ ଲଢୁଆ ବ୍ୟାଟିଂ

ରାଜକୋଟ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୬୫) ଓ ମହେନ୍ଦ୍ର ସିଂହ ଧୋନି(୪୯)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଶନିବାର ନ୍ୟୁଜିଲାଣ୍ଡ ଠାରୁ ଭାରତ ୪୦ ରନ୍‌ରେ ପରାସ୍ତ ହୋଇଛି। ଦ୍ୱିତୀୟ ପାଳିରେ ୧୯୭ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ନିର୍ଦ୍ଧାରିତ ୨୦ଓଭରରେ ୭ଓ୍ଵିକେଟ ହରାଇ ୧୫୬ରନ୍‌ ସଂଗ୍ରହ କରିଛି। ଆରମ୍ଭରୁ ଭାରତର ପ୍ରଦର୍ଶନ ଭଲ ନଥିଲା। ପ୍ରଥମ ଓଭରରେ ଶିଖର ଧାଓ୍ଵାନ ଓ ଦ୍ୱିତୀୟ ଓଭରରେ ରୋହିତ ଶର୍ମା ଆଉଟ ହୋଇଥିଲେ। ଭାରତ ୩ୟ ଓ୍ଵିକେଟରେ ୫୪ ରନ୍‌ ସଂଗ୍ରହ ହୋଇଥିଲେ ହେଁ ୪ର୍ଥ ଓ୍ଵିକେଟରେ ମାତ୍ର ୨ରନ ଯୋଡ଼ିଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୧୮ତମ ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ ହୋଇଥିଲେ। ପରେ ଦଳୀୟ ସ୍କୋର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନଥିଲା।

ଓପରନର ଶିଖର ଧାଓ୍ଵନ(୧) ୪ଟି ବଲ ଖେଲି ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ପାଭଲିୟନ ଫେରିଥିଲେ। ଅନ୍ୟତମ ଓପନର ରୋହିତ ଶର୍ମା ମାତ୍ର ୫ରନ୍‌ ସଂଗ୍ରହ କରିବା ପରେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ ଗ୍ଲେନ ଫିଲିପ୍ସକୁ କ୍ୟାଚ ଦେଇଥିଲେ। ସେହିପରି କୋଲଲିନ୍‌ ମୁନରୋଙ୍କ ବଲରେ ଆଉଟ ହୋଇଥିଲେ ଶ୍ରେୟସ ଆୟାର(୨୩)। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨ଟି ବଲ ସମ୍ମୁଖୀନ ହୋଇ ୧ରନ୍‌ ସଂଗ୍ରହ କରିବା ପରେ ଇସ୍‌ ସୋଧିଙ୍କ ବଲରେ ବୋଲ୍ଡ ହୋଇଥିବା ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୬୫), ମିଚେଲ ସାଣ୍ଟନରଙ୍କ ବଲ ଫିଲିପ୍ସଙ୍କୁ କ୍ୟାଚ ଦେଇଥିଲେ।

ଭାରତର ୬ରନ୍‌ରେ ପ୍ରଥମ ଓ୍ଵକେଟ ୧.୨ଓଭରରେ ଶିଖର ଧାଓ୍ଵନକୁ ହରାଇଥିଲା। ସେହିପରୁ ୧୧ ରନ୍‌ରେ ୨ୟ ଓ୍ଵକେଟ ୨ଓଭରରେ ରୋହିତ ଶର୍ମା, ୬୫ ରନ୍‌ରେ ୩ୟ ଓ୍ଵିକେଟରେ ୮.୪ଓଭରରେ ଶ୍ରେୟସ ଆୟାର, ୬୭ ରନ୍‌ରେ ୪ର୍ଥ ଓ୍ଵିକେଟରେ ୯.୧ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ପାଭଲିୟନ ଫେରିଥିଲେ। ନ୍ୟୁଜିଲାଣ୍ଡର ୫ମ ଶିକାର ବିରାଟ କୋହଲି ହୋଇଥିବା ବେଳେ ଅକ୍ଷର ପଟେଲ(୫) ୬ଷ୍ଠ ଶିକାର ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ୧୯.୩ଓଭରରେ ୧୫୪ ରନ୍‌ ବେଳକୁ ଆଉଟ ହୋଇଥିଲେ। ସେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ ସାଣ୍ଟନରଙ୍କୁ କ୍ୟାଚ ଦେଇଥିଲେ।

ପୂର୍ବରୁ କୋଲିନ ମୁନରୋ(ଅପରାଜିତ ୧୦୯)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୨ଓ୍ଵିକେଟ ହରାଇ ୧୯୬ରନ୍‌ ସଂଗ୍ରହ କରିଥିଲା। ୨ୟ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଓ୍ଵିକେଟରେ ୧୦୫ ରନ୍‌ ସଂଗ୍ରହ କରିଥିଲା। ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥବା କ୍ୱିଓ୍ଵି ଦଳର ଓପନର ବିସ୍ଫୋରକ ବ୍ୟାଟିଂ କରିଥିଲେ। ମୁନରୋ କ୍ୟାରିୟରର ୨ୟ ଶତକ ହାସଲ କରିଥିଲେ। ପାଲି ଶେଷ କରିବା ପୂର୍ବରୁ ଟମ୍‌ ବ୍ରାଉସ୍‌ ୧୨ ଟି ବଲ ଖେଲି ଅପରାଜିତ ୧୮ ରନ୍‌ କରିଥିଲେ। ଭାରତର ବୋଲରମାନେ ବିଫଳ ହେବା କାରଣରୁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଏଥିରୁ ଲାଭ ଉଠାଇଥିଲେ।

ନ୍ୟୁଜିଲାଣ୍ଡ ପ୍ରଥମ ଓ୍ଵିକେଟରେ ମାର୍ଟିନ ଗୁପଟିଲ(୪୦)ଙ୍କୁ ହରାଇ ଥିଲା। ଗୁପଟିଲ୍‌ ଯୁଜବେନ୍ଦ୍ର ଚହଲଙ୍କ ବଲ ହାର୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ। ପ୍ରଥମ ଓ୍ଵିକେଟ ୧୧.୩ ଓଭରରେ ନ୍ୟୁଜିଲାଣ୍ଡ ୧୦୫ ରନ୍‌ ସଂଗ୍ରହ କରିଥିବା ବେଳେ ୨ୟ ଓ୍ଵିକେଟ ୧୪.୨ଓଭରରେ ୧୪୦ ରନ୍‌ ହୋଇଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୧୨ ରନ ପରେ ମହମ୍ମଦ ସିରାଜଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧିତ ଖବର