ଭାରତ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ: ଝୁଲୁଛି ଆଉ ଏକ ମୂଳପୋଛ ଖଣ୍ଡା, ଅଭ୍ୟାସ କଲେନି ସ’

ଖ୍ରୀଷ୍ଟଚର୍ଚ: ଚଳିତ ନ୍ୟୁଜିଲାଣ୍ଡ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ୍ ଦଳ ପୂରା ପ୍ରାଧାନ୍ୟ ବିସ୍ତାର କରିଥିଲା। ବିରଳ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୫-୦ରେ ପୋଛି ନେଇଥିଲା। ଦିନିକିଆ ଓ ଟେଷ୍ଟ୍‌ ଶୃଙ୍ଖଳା ଆସୁଆସୁ କୋହଲି ବାହିନୀର ସେହି ଚମକ କିନ୍ତୁ ଫିକା ପଡ଼ିଯାଇଥିଲା। ଦିନିକିଆ ଶୃଙ୍ଖଳାକୁ ଅପ୍ରତ୍ୟାଶିତ ଭାବେ ୦-୩ରେ ହାରିଥିଲା ଭାରତ। ତା’ଠାରୁ ଲଜ୍ଜାଜନକ କଥା ହେଲା ଦୁଇ ଟିକିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ବିଶ୍ବ ମାନ୍ୟତାର ଏକ ନମ୍ବର ଦଳ ଶୋଚନୀୟ ଭାବେ ୧୦ ୱିକେଟ୍‌ରେ ହାରିଥିଲା। ଶୃଙ୍ଖଳାରେ ୦-୧ରେ ପଛୁଆ ରହିବା ପରେ ଭାରତ ମୁଣ୍ଡ ଉପରେ ଏବେ ଲଗାତାର ଦ୍ବିତୀୟ ଶୃଙ୍ଖଳାରେ ମୂଳପୋଛ‌ ହେବାର ଖଣ୍ଡା ଝୁଲୁଛି। ଖ୍ରୀଷ୍ଟଚର୍ଚ ଟେଷ୍ଟ୍‌ରେ ବିଜୟୀ ନହେଲେ କିମ୍ବା ଏହାକୁ ଅମୀମାଂସିତ ରଖି ନପାରିଲେ ଭାରତ ଆଉ ଏକ ଲଜ୍ଜାଜନକ ଶୃଙ୍ଖଳା ପରାଜୟ ବରଣ କରିବ। ଦୁର୍ବଳ ଦଳୀୟ ପ୍ରଦର୍ଶନ ସହ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଏହି ଦୁର୍ଦ୍ଦଶାର ମୁଖ୍ୟ କାରଣ। ଖ୍ରୀଷ୍ଟଚର୍ଚ ଟେଷ୍ଟ୍‌ ଶୃଙ୍ଖଳା ବଞ୍ଚାଇବା ସହ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ର ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲାଗି ଭାରତ ପାଇଁ ଢେର ମହତ୍ବ ରଖିବ। ଭାରତ ସଂପ୍ରତି ଏହି ପ୍ରତିଯୋଗିତା ଅନ୍ତର୍ଗତ ୮ ମ୍ୟାଚ୍ ଖେଳି ୭ ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି। ସେଥିରୁ ୩୬୦ ପଏଣ୍ଟ ଅର୍ଜନ କରି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି। ୨୯୬ ପଏଣ୍ଟ୍‌ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ଥିଲା ବେଳେ ୧୨୦ ପଏଣ୍ଟ୍‌ ପାଇ ନ୍ୟୁଜିଲାଣ୍ଡ ପଞ୍ଚମ ସ୍ଥାନରେ ରହିଛି। ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ପରିସଂଖ୍ୟାନ କିନ୍ତୁ ଭାରତ ସପକ୍ଷରେ ଅଛି। ଉଭୟ ଦଳ ମୋଟ ଉପରେ ୫୭ ଟେଷ୍ଟ୍ ଖେଳିଥିଲା ‌ବେଳେ ଭାରତ ୨୧ଟିରେ ବିଜୟୀ ହୋଇଛି ୧୦ ମ୍ୟାଚ୍ ହାରିଥିଲା ବେଳେ ୨୬ ମୁକାବିଲା ଅମୀମାଂସିତ ରହିଛି।

ଅଭ୍ୟାସ କଲେନି ସ’
ଗୁରୁତ୍ବପୂର୍ଣ୍ଣ ଖ୍ରୀଷ୍ଟଚର୍ଚ ଟେଷ୍ଟ୍‌ ପୂର୍ବରୁ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ଙ୍କ ବାମ ପାଦ ଫୁଲି ଦରଜ ହେବା ଭାରତୀୟ କ୍ରିକେଟ୍ ଦଳକୁ ଚିନ୍ତାରେ ପକାଇଛି। ଏଥିଲାଗି ସେ ଗୁରୁବାର ଅଭ୍ୟାସ କରି ପାରିନାହାନ୍ତି। ଅଚାନକ ପାଦ ଫୁଲିବାର କାରଣ ଜାଣିବା ଲାଗି ସ’ଙ୍କ ରକ୍ତ ନମୁନାର ପରୀକ୍ଷା କରାଯାଇଛି। ରିପୋର୍ଟ ମିଳିବା ପରେ ଶୁକ୍ରବାର ତାଙ୍କୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ‌ସଂପୂର୍ଣ୍ଣ ସୁସ୍ଥ ନଥିଲେ ତାଙ୍କ ସ୍ଥାନରେ ଶୁବମନ ଗିଲ୍ ପାଳି ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଗିଲ୍ ମଧ୍ୟ ଗୁରୁବାର ଢେର ସମୟ ନେଟ୍ସରେ ଝାଳ ବୁହାଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ସେ ଅଭ୍ୟାସ କରିବା ଚୂଡ଼ାନ୍ତ ଦଳରେ ଗିଲ୍‌ଙ୍କ ସାମିଲ ହେବାର ଆଶାକୁ ବଢ଼ାଇ ଦେଇଛି। ୱେଲିଂଟନ ଟେଷ୍ଟ୍‌ର ଉଭୟ ପାଳିରେ ସ’ ବିଫଳ ହୋଇଥିଲେ। ପ୍ରଥମ ପାଳିରେ ୧୬ ରନ୍ କରିବା ପରେ ଦ୍ବିତୀୟରେ ସେ ୧୪ ରନ୍ ଆଗକୁ ବଢ଼ି ପାରି ନଥିଲେ।

ସମ୍ବନ୍ଧିତ ଖବର