ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ୍‌ ଆଜିଠୁ, ବେସିନ ରିଜର୍ଭରେ ବଳ କଷାକଷି

ୱେଲିଂଟନ୍: ଭାରତ-ନ୍ୟୁଜିଲାଣ୍ଡ ଦୁଇଟିକିଆ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଶୁକ୍ରବାରଠାରୁ ସ୍ଥାନୀୟ ବେସିନ୍ ରିଜର୍ଭ ପଡ଼ିଆରେ ଆରମ୍ଭ ହେବ। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତ ଏବଂ ଚତୁର୍ଥରେ ଥିବା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉପରେ ଏବେ କ୍ରିକେଟ୍‌ପ୍ରେମୀଙ୍କ ନଜର। ଭାରତ ଶୃଙ୍ଖଳା ଜିତି ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ର ପ୍ରଥମ ସ୍ଥାନରେ ନିଜ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟରେ ରହିବ। ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ଭାରତକୁ ଲଗାତାର ଦ୍ବିତୀୟ ଶୃଙ୍ଖଳାରେ ହରାଇବା ଲାଗି ପଡ଼ିଆକୁ ଓହ୍ଲାଇବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୫-୦‌ରେ ପୋଛି ନେଇଥିଲା। ଅନ୍ୟପକ୍ଷରେ ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୩-୦ରେ ବିଜୟୀ ହୋଇଥିଲା। ଶୃଙ୍ଖଳା ବିଜୟ ଦୃଷ୍ଟିରୁ ଉଭୟ ଦଳ ଏବେ ୧-୧ ସ୍ଥିତିରେ ଅଛନ୍ତି। ‌ଏଣୁ ଟେଷ୍ଟ୍‌କୁ ଯିଏ ଜିତିବ ତିନି ଟିକିଆ ପୂର୍ଣ୍ଣାଙ୍ଗ ଗସ୍ତକୁ ସିଏ ୨-୧ରେ ଜିତିବ। ମାନ୍ୟତାରେ ଭାରତଠାରୁ ନ୍ୟୁଜିଲାଣ୍ଡ ତିନିଟି ସ୍ଥାନ ତଳେ ଥିଲେ ମଧ୍ୟ ଘରୋଇ ପରିବେଶରେ କୋହଲି ବାହିନୀକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳି ନଥିବା ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଫେରିବା ମଧ୍ୟ ଏହି ଦଳର ଶକ୍ତିକୁ ଯଥେଷ୍ଟ ବଢ଼ାଇ ଦେଇଛି। ଶୁକ୍ରବାର ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦ୍ରୁତ ବୋଲର କାଇଲ ଜାମିସନ୍ ମଧ୍ୟ ନ୍ୟୁଜିଲାଣ୍ଡର ୨୭୯ତମ ଖେଳାଳି ଭାବେ ଟେଷ୍ଟ ପଦାର୍ପଣ କରିବେ। ଜାମିସନ୍ ଦିନିକିଆ ଶୃଙ୍ଖଳାରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବହୁ ଅସୁବିଧାରେ ପକାଇଥିଲା ବେଳେ ଟେଷ୍ଟ୍‌ରେ ମଧ୍ୟ ଅଡ଼ୁଆରେ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି। ଭାରତ ପକ୍ଷରୁ ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ। ରବିଚନ୍ଦ୍ରନ୍‌ ଅଶ୍ବିନ ଏକମାତ୍ର ସ୍ପିନର ଭାବେ ଦଳରେ ସ୍ଥାନ ପାଇ ପାରନ୍ତି। ସେହିଭଳି ଋଦ୍ଧିମାନ ଶାହଙ୍କ ବଦଳରେ ଋଷଭ ପନ୍ତ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା ଅଧିକ ରହିଛି। ମୋଟ ଉପରେ ଏହି ମ୍ୟାଚ୍ ନ୍ୟୁଜିଲାଣ୍ଡ ବୋଲିଂ ବନାମ ଭାରତ ବ୍ୟାଟିଂ ହେବ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ନିୟମିତ ଶିତଳ ପବନ ବହୁଥିବାରୁ ବେସିନ ରିଜର୍ଭ ପଡ଼ିଆରେ ବ୍ୟାଟିଂ କରିବା କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ହେବନି। ନ୍ୟୁଜିଲାଣ୍ଡ ଶେଷ ଥର ପାଇଁ ୨୦୧୭ ମାର୍ଚରେ ଘରୋଇ ପରିବେଶରେ ଟେଷ୍ଟ ଶୃଙ୍ଖଳା ହାରିଥିଲା। ସେବେଠାରୁ ଘରେ ୧୦ ଟେଷ୍ଟ୍‌ ଖେଳି ସେଥିମଧ୍ୟରୁ ୫ଟିରେ ବିଜୟୀ ହୋଇଛି।

ଶତକ ମାରିବେ ଟେଲର
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ନିଜ ଶତକୀୟ ମ୍ୟାଚ୍ ଖେଳିବେ। ପୂର୍ବରୁ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳି ସାରିଥିବା ଟେଲର ଏହା କରି ନ୍ୟୁଜିଲାଣ୍ଡର ପ୍ରଥମ ଖେଳାଳି ଭାବେ ତିନିଟି ଯାକ ଫର୍ମାଟ୍‌ରେ ୧୦୦ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍ ଖେଳିବେ। ଟେଲର ସଂପ୍ରତି ୨୩୧ ଦିନିକିଆ ‌ଖେଳି ୮୫୭୦ ଓ ୧୦୦ ଟ୍ବେଣ୍ଟି-୨୦ରୁ ୧୯୦୯ ରନ୍ କରିଛନ୍ତି। ସେହିଭଳି ୯୯ ଟେଷ୍ଟ୍‌ ଖେଳି ୭୧୭୪ ରନ୍ କରିଛନ୍ତି।

ସମ୍ଭାବ୍ୟ ଭାରତ: ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହ‌ାଣେ, ହନୁମା ବିହାରୀ, ଋଷବ ପନ୍ତ, ରବିଚନ୍ଦ୍ରନ୍‌ ଅଶ୍ବିନ, ଈଶାନ୍ତ ଶର୍ମା/ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ଟମ୍ ଲାଥାମ, ଟମ୍ ବ୍ଲୁଣ୍ଡେଲ, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର, ହେନରି ନିକୋଲାସ, ବିଜେ ୱାଟଲିଂ, କଲିନ୍ ଡି’ ଗ୍ରାଣ୍ଢୋମେ, ଡା‌ରେଲ ମିଚେଲ/ଏଜାଜ ପଟେଲ, ଟିମ୍ ସାଉଦି, କାଇଲ ଜାମିସନ୍, ଟ୍ରେଣ୍ଟ ବୋଲ୍ଟ।

ଶାସ୍ତ୍ରୀ ମନେ ପକାଇଲେ ପଦାର୍ପଣ କଥା
ୱେଲିଂଟନର ବେସିନ୍ ରିଜର୍ଭ ପଡ଼ିଆରେ ପ୍ରବେଶ କଲା ବେଳେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭାବବିହ୍ବଳ ହୋଇ ଯାଇଥିଲେ। କାରଣ ଠିକ୍ ୩୯ ବର୍ଷ ପୂର୍ବେ ଶାସ୍ତ୍ରୀ ମାତ୍ର ୧୯ ବର୍ଷ ବୟସରେ ଏହି ଷ୍ଟାଡିୟମରେ ହିଁ ‌ନିଜ ଟେଷ୍ଟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ଏହି ବିଷୟରେ ସେ ଟ୍ବିଟ୍ କରିବା ସହ ବେସିନ ରିଜର୍ଭର କାଠ‌ ବେଞ୍ଚକୁ ଅନାଇ ରହିଥିବା ଏକ ଫଟୋ ମଧ୍ୟ ପ୍ରକାଶ କରିଛନ୍ତି। ଏହା ତଳେ ସେ ଲେଖିଛନ୍ତି ଯେ ବେସିନ ରିଜର୍ଭର ଡ୍ରେସିଂ ରୁମ୍ ଏତେ ବର୍ଷ ପରେ ବଦଳି ନାହିଁ। ସେତେବେଳେ ଏହା ଯେଭଳି ଥିଲା ବର୍ତ୍ତମାନ ଠିକ୍ ‌ସେମିତି ଅଛି। ହେଲେ ପୁରୁଣା କଥା ସବୁ ମନେ ପଡ଼ି ଯାଉଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିଲା ବେଳେ ଦିଲୀପ ଦୋଷୀ ଆହତ ହୋଇଥିଲେ। ଶାସ୍ତ୍ରୀ ସେତେବେଳେ କାନପୁରରେ ରଣଜୀ କ୍ବାର୍ଟର ଫାଇନାଲ୍ ଖେଳୁଥିଲେ। ହେଲେ ହଠାତ୍ ତାଙ୍କୁ ନ୍ୟୁଜିଲାଣ୍ଡ ଯିବାକୁ ପଡ଼ିଥିଲା। ସେହି ଟେଷ୍ଟ୍‌ରେ ସେ ଦଶମ ସ୍ଥାନରେ ବ୍ୟାଟିଂ କରିଥିଲେ। ତେବେ ନିଜ ବାମହାତୀ ବୋଲିଂରେ ଚୟନକର୍ତାଙ୍କୁ ବେଶ୍ ପ୍ରଭାବିତ କରିଥିଲେ। ନିଜ ପ୍ରଥମ ଟେଷ୍ଟ୍‌ରେ ୬୩ ରନ୍ ଦେଇ ୬ ୱିକେଟ୍ କରାୟତ୍ତ କରିଥିଲେ। ଭାରତ ସେହି ମ୍ୟାଚ୍‌କୁ ୬୨ ରନ୍‌ରେ ହାରି ଯାଇଥିଲା। ହେଲେ ଶାସ୍ତ୍ରୀ ୮୦ ଟେଷ୍ଟ୍‌ ଓ ୧୫୦ ଦିନିକିଆ ଖେଳି ୧୧ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌କୁ ନିଜ ସେବା ଦେଇଥିଲେ।

ସମ୍ବନ୍ଧିତ ଖବର