ନ୍ୟୁଜିଲାଣ୍ଡକୁ ଇଂଲଣ୍ଡରେ ଆଦୌ ହରାଇନି ଭାରତ

ନଟିଂହାମ: ଭାରତ ତା’ ପରବର୍ତୀ ବିଶ୍ବକପ୍ ମ୍ୟାଚ୍ ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ତେବେ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ତିନିଟି ଯାକ ଏକଦିବସୀୟ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଛି। ଏଣୁ ବିରାଟ ବାହିନୀ ପାଖରେ ଏହି ଧାରା ବଦଳାଇବାର ସୁଯୋଗ ରହିବ। ସଂଯୋଗବଶତଃ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଂଲଣ୍ଡ ମାଟିରେ ‌ଖେଳାଯାଇଥିବା ତିନିଟି ଯାକ ମ୍ୟାଚ୍ ବିଶ୍ବକପ୍ ଅବସରରେ ହିଁ ଖେଳାଯାଇଛି। ପ୍ରତି ଥର ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ବିଶ୍ବକପ୍‌ରେ କିନ୍ତୁ ଭାରତ ଓ ନ୍ୟୁଜିଲାଣ୍ଡ ୭ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୪ ଏବଂ ଭାରତ ୩ ମ୍ୟାଚ୍ ଜିତିଛି। ଶେଷ ଥର ପାଇଁ ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍ ମୁକାବିଲା ୨୦୦୩ ବିଶ୍ବକପ୍‌ରେ ସେଞ୍ଚୁରିଅନଠାରେ ଖେଳା ଯାଇଥିଲା। ସେହି ମ୍ୟାଚ୍‌ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ ଭାରତ ୭ ୱିକେଟ୍‌ରେ ପରାସ୍ତ କରିଥିଲା। ଭାରତ ୧୯୮୩ ମସିହାରେ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଜିତିଥିଲା। ହେଲେ ତା’ର ଭେଟ ନ୍ୟୁଜିଲାଣ୍ଡ ସହ ହୋଇ ନଥିଲା। ପୂର୍ବର ତିନିଟି ଯାକ ମୁକାବିଲା ଭାରତ ଜୁନ୍ ୧୨ରୁ ୧୪ ମଧ୍ୟରେ ଖେଳିଥିଲା। ଏଥର ଜୁନ୍ ୧୩ରେ ଭେଟିବ।

ମାଞ୍ଚେଷ୍ଟର; ଜୁନ୍ ୧୪, ୧୯୭୫
ଭାରତ ୨୩୦, ନ୍ୟୁଜିଲାଣ୍ଡ ୨୩୩/୬
ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଥର ଭାରତ ୧୯୭୫ରେ ଭେଟିଥିଲା। ଯାହାକୁ ଗ୍ଲେନ୍ ଟର୍ନରଙ୍କ ଶତକ (୧୧୪) ବଳରେ ନ୍ୟୁଜିଲାଣ୍ଡ ୪ ୱିକେଟ୍‌ରେ ଜିତି ନେଇଥିଲା। ମାଞ୍ଚେଷ୍ଟରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୬୦ ଓଭରରେ ୨୩୦ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ୫୮.୫ ଓଭରରେ ୬ ୱିକେଟ୍ ହରାଇ ଏହାକୁ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଅଲରାଉଣ୍ଡର ଆବିଦ ଅଲ୍ଲୀ ୯୮ ବଲ୍‌ରୁ ୭୦ ରନ୍ କରିଥିଲେ। ପରେ ୧୨ ଓଭରରେ ୩୫ ରନ୍ ଦେଇ ୨ ୱିକେଟ୍ କରାୟତ କରିଥିଲେ।
ଲିଡ୍ସ; ଜୁନ୍ ୧୩, ୧୯୭୯
ଭାରତ ୧୮୨, ନ୍ୟୁଜିଲାଣ୍ଡ ୧୮୩/୨
ଭାରତ-ନ୍ୟୁଜିଲାଣ୍ଡ ୧୯୭୯ର ଦ୍ବିତୀୟ ବିଶ୍ବକପ୍‌ରେ ମଧ୍ୟ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍ ଜୁନ୍ ୧୩ରେ ଖେଳା ଯାଇଥିଲା। ଏସ୍ ଭେଙ୍କଟ ରାଘବନଙ୍କ ନେତୃତ୍ବରେ ଖେଳିଥିବା ଭାରତ ୫୫.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୮୨ ରନ୍ କରି ପାରିଥିଲା। ଭାରତ ପକ୍ଷରୁ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ୧୪୪ ବଲ୍‌ରୁ ସର୍ବାଧିକ ୫୫ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ବ୍ରୁସ୍ ଏଡଗରଙ୍କ ୮୪ ରନ୍ ବଳରେ ୫୭ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୮୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା।
ନଟିଂହାମ; ଜୁନ୍ ୧୨, ୧୯୯୯
ଭାରତ ୬/୨୫୧, ନ୍ୟୁଜିଲାଣ୍ଡ ୫/୨୫୩
୧୯୯୯ରେ ଇଂଲଣ୍ଡରେ ଖେଳା ଯାଇଥିବା ଏକଦିବସୀୟ ବିଶ୍ବକପ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଜୁନ୍ ୧୨ ତାରିଖରେ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ ନଟିଂହାମର ଟ୍ରେଣ୍ଟବ୍ରିଜ୍ ଷ୍ଟାଡିୟମରେ ଖେଳାଯାଇଥିଲା। ମହମ୍ମଦ ଆଝାରୁଦ୍ଦିନଙ୍କ ଅଧିନାୟକତ୍ବରେ ଖେଳିଥିବା ଭାରତୀୟ କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା। ଏଥିରେ ଅଜୟ ଜାଦେଜା (୭୬)ଙ୍କ ଅର୍ଧଶତକ ସାମିଲ ଥିଲା। ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ପାଞ୍ଚ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମ୍ୟାଟ୍ ହର୍ନ ୭୪ ଏବଂ ରୋଜର ଟ୍ରୁଜ୍ ୬୦* ରନ୍ କରିଥିଲେ। ଏବେ ପୁଣି ଥରେ ଜୁନ୍ ୧୩ରେ ମୁକାବିଲା ହେବ। ସେହି ମ୍ୟାଚ୍‌ରେ କୋହଲି ବାହିନୀ କେନ୍‌ ୱିଲିୟମସନ୍ ସେନାକୁ ହରାଇ ପାରୁଛି କି ନାହିଁ, ତାହା ଦେଖିବା ବେଶ୍ ମଜାଦାର ହେବ।

ସମ୍ବନ୍ଧିତ ଖବର