ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତର ନଜର, ପାକିସ୍ତାନ ସହିତ ଲଢ଼େଇ ଆଜି

ବ୍ରେଦା (ନେଦରଲାଣ୍ଡ): କମନେଓ୍ଵଲଥ ଗେମ୍ସରେ ଖରାପ ପ୍ରଦର୍ଶନକୁ ଭୁଲି ଭାରତୀୟ ପୁରୁଷ ହକି ଟିମ୍‌ ପ୍ରଥମ ଥର ଚାମ୍ପିଅନ୍ସ ଟ୍ରଫି ନିଜର ନାମରେ କରିବାକୁ ଲକ୍ଷ୍ୟ ରଖି ଅଭିଯାନ ଆରମ୍ଭ କରିବ। ଭାରତୀୟ ଟିମ୍‌ ସନ୍ଧ୍ୟା ୫ଟା ୩୦ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ।

ଏହି ମ୍ୟାଚ୍‌ ନେଦରଲାଣ୍ଡର ବ୍ରେଦା ସହରରେ ଖେଳାଯିବ। ଏସିଆ ଚମ୍ପିଅନ ଭାରତ ୩୬ ଥରରେ ଏପର୍ଯ୍ୟନ୍ତ ଗୋଟିଏ ବି ଚାମ୍ପିଅନ୍ସ ଟ୍ରଫି ଜିତି ପାରି ନାହିଁ ଓ ଏଥର ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟରେ ବିଜୟ ଉପଲବ୍ଧି ହାସଲ କରିବାକୁ ଚାହୁଛି। ଭାରତୀୟ ଟିମକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ ମିିଳିଥିଲା। ଅଷ୍ଟ୍ରେଲିଆ ଠାରୁ ସୁଟଆଉଟ୍‌ ହେବା ପରେ ରୌପ୍ୟପଦକ ହାସଲ କରିଥିଲା। ଆଠ ଥର ଅଲମ୍ପିକ ଚମ୍ପିଅନ ଭାରତୀୟ ଟିମ କମନେଓ୍ଵଲଥ ଗେମ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ୪ର୍ଥ ସ୍ଥାନରେ ରହିଛି। ଏହା ପରେ ନେଦରଲାଣ୍ଡର ଶୋର୍ଡ ମାରିନଙ୍କ ସ୍ଥାନରେ ହରେନ୍ଦ୍ର ସିଂହଙ୍କୁ ପୁରୁଷ ଟିମ କୋଚ ଦାୟିତ୍ୱ ମିଳିଛି। ମାରିନ ଭାରତୀୟ ମହିଳା ଟିମ ପାଇଁ କୋଚ ଦାୟିତ୍ୱ ନେଇଛନ୍ତି।

ଚାମ୍ପିଅନ୍ସ ଟ୍ରଫିରେ ବିଶ୍ୱର ଶ୍ରେଷ୍ଠ ୬ଟି ଟିମ ଭାଗ ନିଅନ୍ତି। ଏଥର ଅଲମ୍ପିକ ଚମ୍ପିଅନ ଆର୍ଜେଣ୍ଟିନା, ବିଶ୍ୱର ୧ ନମ୍ବର ଟିମ୍‌ ଅଷ୍ଟ୍ରେଲିଆ, ବେଲଜିୟମ, ଆୟୋଜକ ନେଦରଲାଣ୍ଡ, ଭାରତ ଓ ପାକିସ୍ତାନ ଖେଳୁଛନ୍ତି।

ଭାରତକୁ ଆଜି ପାକିସ୍ତାନ ସହିତ ମ୍ୟାଚ ଖେଳିବାର ଅଛି। ଏହା ପରେ ଅର୍ଜେଣ୍ଟିନା(ଜୁନ ୨୪), ଅଷ୍ଟ୍ରେଲିଆ(ଜୁନ ୨୭), ବେଲଜିୟମ(ଜୁନ ୨୮) ଓ ଜୁନ ୩୦ରେ ନେଦରଲାଣ୍ଡ ସହିତ ଖେଳିବାକୁ ଅଛି। ଭାରତ ବିଶ୍ୱ ର‍୍ୟାଙ୍କିଙ୍ଗରେ ୬ଷ୍ଠ ସ୍ଥାନରେ ଥିବା ବେଳେ ପାକିସ୍ତାନ ୧୩ତମ ସ୍ଥାନରେ ଅଛି କିନ୍ତୁ ଯେତେବେଳେ ମୁହାଁମୁହିଁ ହୁଅନ୍ତି, ରେକର୍ଡ ସମକକ୍ଷ ଭଳି ଜଣାପଡ଼ିଥାଏ। ବିଗତ କିଛି ଦିନର ରେକର୍ଡ ଦେଖିଲେ ପାକିସ୍ତାନ ଅପେକ୍ଷା ଭାରତୀୟ ଟିମ୍‌ ଶକ୍ତିଶାଳୀ ଅନୁମାନ ହେଉଛି।

ଭାରତ ଏସିଆ ଚମ୍ପିଅନସିପ ଟ୍ରଫି ୨୦୧୬ର ଫାଇନାଲରେ ପାକିସ୍ତାନକୁ ହରାଇଥିଲା। ସେହିଭଳି ୨୦୧୭ ହକି ଓ୍ଵାଲର୍ଡ କପ୍‌ ଲିଗ ସେମିଫାଇନାଲ ମ୍ୟାଚରେ ପାକିସ୍ତାନକୁ ହରାଇ ଥିଲା ଓ ଢାକାରେ ଏସିଆ କପରେ ହରାଇ ୧୦ ବର୍ଷ ପରେ ଚମ୍ପିଅନ ହୋଇଥିଲା।

ସମ୍ବନ୍ଧିତ ଖବର