ବଲ୍‌ ବିସିସିଆଇ କୋର୍ଟରେ: ନଜମ

ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଶୃଙ୍ଖଳା

କୋଲ୍‌କାତା: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳାର ଭବିଷ୍ୟତ ଅନ୍ଧାରରେ ରହିଛି। ଏହା କିନ୍ତୁ ଭାରତର ମର୍ଜି ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ମୁଖ୍ୟ ନଜମ ସେଠୀ। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସାମାଜିକ-ରାଜନୈତିକ, କୁଟନୈତିକ ସମ୍ପର୍କ ଭଲ ନଥିବାରୁ ଏହା ବାଧାପ୍ରାପ୍ତ ରହିଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଭାରତ ସରକାରଙ୍କ ଅନୁମୋଦନ ବିନା ଆଗକୁ ବଢ଼ିପାରିବ ନାହିଁ। ବର୍ତମାନ ପାଇଁ କେବଳ ଉଭୟ ଦେଶ ବିଶ୍ୱକପ୍‌, ଚାମ୍ପିଅନ୍‌ସ ଟ୍ରଫି, ବିଶ୍ୱ ଟେ୍ଵଣ୍ଟି-୨୦ ଏବଂ ଏସିଆ କପ୍‌ ଭଳି ବହୁଦେଶୀୟ ପ୍ରତିଯୋଗିତାରେ ଖେଳି ପାରୁଛନ୍ତି। ଉପମହାଦେଶ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଥମତଃ ଉଭୟ ଦେଶ ଖେଳିବା କଥା, ଦ୍ୱିତୀୟରେ ବଲ୍‌ ଏବେ ବିସିସିଆଇ କୋର୍ଟରେ ବୋଲି କହିଛନ୍ତି ନଜମ ସେଠୀ। ଆମେ ଆଶା ରଖିଛୁ ଆଉ ବିଳମ୍ବ ନ କରି ଉଭୟ ଦେଶ ପୁଣି ଭଲ କ୍ରିକେଟ୍‌ ଖେଳିବେ। ଆମେ ଏକ ଭଲ ସହମ୍ମତିରେ ପହଞ୍ଚିବା ଉଚିତ। ଭାରତ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳୁନଥିବାରୁ ପାକିସ୍ତାନ ବିସିସିଆଇଠାରୁ ୭ କୋଟି ଡଲାର କ୍ଷତିପୂରଣ ଦାବି କରିଛି। କ୍ଷତିପୂରଣ ସମ୍ପର୍କରେ ଆଇସିସିର ଏକ ୩ ଜଣିଆ ସମିତି ଅକ୍ଟୋବରରେ ଏହାର ଶୁଣାଣି କରିବେ। ୨୦୧୪ ମସିହାରେ ହୋଇଥିବା ବୁଝାମଣାପତ୍ର ଅନୁସାରେ ଭାରତ ୨୦୧୫ରୁ ୨୦୨୩ ମସିହା ମଧ୍ୟରେ ୬ଟି ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବା କଥା। ୨୦୦୮ ମସିହା ପରଠାରୁ ଉଭୟ ଦେଶ ମଧ୍ୟରେ ମାତ୍ର ଥରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିବାରୁ ଭାରତ ନିଜ ଆଡ଼ୁ ସକ୍ରିୟ ଦାୟିତ୍ୱ ନେବା ଉଚିତ୍‌ ବୋଲି ସେଠୀ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର