ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ଉପରେ କଳା ବାଦଲ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌କୁ ବର୍ଜନ କରିବା ଦାବି ଦିନକୁ ଦିନ ଜୋର ଧରିବାକୁ ଲାଗିଛି। ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ନଖେଳିବାକୁ ବହୁ ଘରୋଇ ସଂଗଠନ ଦାବି କରିଛନ୍ତି। ଏଭଳି ସ୍ଥିତିରେ ଜୁନ୍ ୧୬ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରଠାରେ ଖେଳା ଯିବାକୁ ଥିବା ବିଶ୍ବକପ୍ ମ୍ୟାଚ୍ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି। ପାକିସ୍ତାନର ଛତ୍ରଛାୟା ତଳେ ଜୈସ-ଇ ମହମ୍ମଦ ତରଫରୁ କରାଯାଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ସିଆରପିଏଫ୍ ଯବାନ ସହିଦ ହେବା ପରେ ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ତିକ୍ତତା ‌ନେଇ ଆଇସିସି ମଧ୍ୟ ଚିନ୍ତା ଜାହିର କରିଛି। ତେବେ ଏହି ମ୍ୟାଚ୍ ବିଷୟରେ ସବିଶେଷ ଆଲୋଚନା ଓ ପର୍ଯ୍ୟାଲୋଚନା ଦୁବାଇରେ ଆସନ୍ତା ୨୭ ତାରିଖରେ ବସିବାକୁ ଥିବା ବୈଠକରେ କରାଯିବ ବୋଲି ଆଇସିସି ବୁଧବାର କହିଛି। ୨୭ ତାରିଖର ଏହି ବୈଠକରେ ବିଶ୍ବକପ୍ ମ୍ୟାଚ୍ ସହ ଅନ୍ତର୍ଜାତୀୟ କ୍ରିକେଟ୍‌ର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ମଧ୍ୟ ଚର୍ଚା ହେବ। ଏହି ଅବସରରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବଂ ବିସିସିଆଇ ଅଧିକାରୀଙ୍କ ମଧ୍ୟରେ ବି ବିଶ୍ବକପ୍ ମ୍ୟାଚ୍‌କୁ ନେଇ ବିଚାର ବିମର୍ଶ ହୋଇପାରେ।

ସେପଟେ ବିସିସିଆଇ ଭାରତ ସରକାରଙ୍କ ନିର୍ଦେଶକୁ ଅପେକ୍ଷା କରିଛି। ବିଶ୍ବକପ୍ ମ୍ୟାଚ୍ ବିଷୟରେ ଏବେଠାରୁ କିଛି କହିବା ଠିକ୍ ହେବ ନାହିଁ। ସରକାର ଯାହା ନିର୍ଦେଶ ଦେବେ ଆମେ ତାକୁ ମାନିବୁ। ଏ ପର୍ଯ୍ୟନ୍ତ ଏଥିନେଇ ଆମେ ଆଇସିସିକୁ କୌଣସି ଅନୁରୋଧ କରିନାହୁଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ହେଲେ ସ୍ପିନର ହରଭଜନ ସିଂହଙ୍କ ସମେତ କେତେକ ପୂର୍ବତନ କ୍ରିକେଟର ସାଂପ୍ରତିକ ସ୍ଥିତି‌ରେ ଭାରତ ସବୁବେଳେ ପଛରୁ ଛୁରା ମାରୁଥିବା ପାକିସ୍ତାନ ସହ ମ୍ୟାଚ୍ ଖେଳିବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି। ମ୍ୟାଚ୍ ବର୍ଜନ କରିବାକୁ ସେମାନେ ଏକମତରେ ବିସିସିଆଇକୁ ଆହ୍ବାନ କରିଛନ୍ତି। ବିସିସିଆଇ ଏବଂ ଏହାର ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ଶେଷ ପୂର୍ବରୁ ଏହି ବିଷୟରେ କୌଣସି ନିଷ୍ପତ୍ତି ନେବାର ଆଶା କିନ୍ତୁ କମ୍ ରହିଛି। ନୂ୍ଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଶେଷ ଦିନିକିଆ ଅବସରରେ ଏଥିନେଇ ବିସିସିଆଇ ଅଧିକାରୀ ଓ ସିଓଏ ମଧ୍ୟରେ ଏକ ବୈଠକ ବସିବାର ସମ୍ଭାବନା ରହିଛି। ଭାରତ ଯଦି ଏହି ମ୍ୟାଚ୍‌କୁ ବର୍ଜନ କରେ, ତାହାଲେ ଆଇସିସି ନିୟମ ଅନୁସାରେ ପାକିସ୍ତାନ ପୂରା ପଏଣ୍ଟ ପାଇବ। ଯଦି ଦୁଇ ଦଳ ଫାଇନାଲକୁ ଉନ୍ନୀତ ହୁଅନ୍ତି, ତାହାଲେ ପାକିସ୍ତାନ ବିନା ଲଢ଼େଇରେ ପୁଣି ଥରେ ବିଶ୍ବ ବିଜେତା ହେବ। ସୂଚନାଯୋଗ୍ୟ ଯେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ୨୦୧୩ ମସିହାଠାରୁ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିନାହାନ୍ତି। ତେବେ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଓ ୨୦୧୮ ଏସିଆ କପ୍ ଭଳି କେତେକ ଆଇସିସି ପ୍ରତିଯୋଗିତାରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି।

ବର୍ଜନ କରିବା ସହଜ ହେବନି: ଚୌହାନ
ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍‌କୁ ବର୍ଜନ କରିବାକୁ ବହୁ ପୂର୍ବତନ କ୍ରିକେଟର ବିସିସିଆଇକୁ ଆହ୍ବାନ କରିଛନ୍ତି। ହେଲେ ଏହା ସେତେଟା ସହଜ ନୁହେଁ ‌ବୋଲି ପୂର୍ବତନ କ୍ରିକେଟର ତଥା ଉତ୍ତର ପ୍ରଦେଶ ମନ୍ତ୍ରୀ ଚେତନ ଚୌହାନ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ନ ଖେଳିବା ଭାରତ ପାଇଁ ସହଜ ହେବନି। କାରଣ ଆଇସିସି ପ୍ରତିଯୋଗିତାଗୁଡ଼ିକର ନିଜସ୍ବ ନିୟମ କାନୁନ ଥାଏ। ଯଦି ଆମେ ଏଭଳି କରିବା ତାହାଲେ ତା’ର ପରିଣାମ ବି ଭୋଗିବାକୁ ପଡ଼ିବ। ଏପରିକି ଏଥିପାଇଁ ଆମ ଉପରେ ବାସନ୍ଦାଦେଶ କିମ୍ବା ଜରିମାନା ବି ‌ହୋଇପାରେ। ମୁଁ ଭାବୁଛି ସରକାର ଏବଂ ବିସିସିଆଇ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହି ବିଷୟକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ।

ସରକାର ଚାହିଁଲେ ଖେଳିବୁନି: ବିସିସିଆଇ
ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ଖେଳିବା ନିଷ୍ପତ୍ତି ବିସିସିଆଇ କେନ୍ଦ୍ର ସରକାରଙ୍କ ଉପରେ ଛାଡ଼ି ଦେଇଛି। ସରକାର ଯାହା ନିଷ୍ପତ୍ତି ନେବେ, ଆମେ ତାକୁ ମାନିବୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି। ଭାରତ ମ୍ୟାଚ୍‌ରୁ ଓହରିଗଲେ ପାକିସ୍ତାନ ବିନା ଲଢ଼େଇରେ ପୂରା ପଏଣ୍ଟ ହାସଲ କରିନେବ ବୋଲି ସେ ଚେତାଇ ଦେଇଛନ୍ତି। ବିଶ୍ବକପ୍ ଆହୁରି କିଛି ଦିନ ବାକି ଅଛି। ସେତେବେଳର ସ୍ଥିତିକୁ‌ ଦେଖି ସରକାର ଯଦି ମ୍ୟାଚ୍ ନ ଖେଳିବାକୁ ନିର୍ଦେଶ ଦିଅନ୍ତି, ତାହାଲେ ଆମେ ସେହି ନିର୍ଦେଶକୁ ମାନିବୁ। ହେଲେ ଏହା ପାକିସ୍ତାନର ବିଶ୍ବକପ୍ ପଥକୁ ସହଜ କରିଦେବ। ଏପରିକି ଫାଇନାଲରେ ପଡ଼ିଆକୁ ନ ଓହ୍ଲାଇ ଏହି ଦଳ ବିଶ୍ବକପ୍ ଜିତିବାର ସମ୍ଭାବନା ବି ରହିଛି ବୋଲି ସେ ଏକ ସାକ୍ଷାତକାର ଅବସରରେ କହିଛନ୍ତି।

ଆଇସିସି ଆଶାବାଦୀ
ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ବାତିଲ ହେବାର ଆଶଙ୍କା ଥିଲେ ମଧ୍ୟ ଏହି ପ୍ରତୀକ୍ଷିତ ଲଢ଼େଇ ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ଖେଳାଯିବ ବୋଲି ଆଇସିସି ଆଶାବାଦୀ ଅଛି। ଆଇସିସି ମଧ୍ୟ ବିଶ୍ବକପ୍ ସୂଚୀରେ କୌଣସି ପରିବର୍ତନ କରିବା କଥା ଚିନ୍ତା କରୁ ନଥିବା ଜଣାପଡ଼ିଛି। ମ୍ୟାଚ୍ ବାତିଲ ହେବାର କୌଣସି ସଂକେତ କିମ୍ବା ସୂଚନା ତାଙ୍କ ପାଖରେ ନାହିଁ ବୋଲି ମଧ୍ୟ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍ ରିଚାର୍ଡସନ୍ ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି, ଏହି ବର୍ବରକାଣ୍ଡରେ ପ୍ରଭାବିତ ହୋଇଥିବା ସମସ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାର ବର୍ଗର ଭାବନାକୁ ଆମେ ଭଲ ଭାବରେ ବୁଝିପାରୁଛୁ। ସଦସ୍ୟଙ୍କ ସହ ଆମେ ମଧ୍ୟ ଏହି ମାମଲା ଉପରେ ତୀକ୍ଷ୍ଣ ନଜର ରଖିଛୁ। ପୁଲୱାମା ଆତଙ୍କବାଦ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ସିଆରପିଏଫ୍‌ ଯବାନଙ୍କୁ ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। କ୍ରୀଡ଼ା, ବିଶେଷ କରି କ୍ରିକେଟ୍‌’ର ଲୋକମାନଙ୍କୁ ଏକାଠି କରିବାର ଅଦମ୍ୟ ଶକ୍ତି ଅଛି। ଆମେ ଏହି ବିଚାରଧାରାକୁ ନେଇ ଆଗକୁ ବଢ଼ିବୁ। ପ୍ରକାଶ ଥାଉ କି ୧୯୯୯ ମସିହାର କାରଗିଲ ଯୁଦ୍ଧ ବେଳେ ମଧ୍ୟ ଭାରତ ବିଶ୍ବକପ୍ ମ୍ୟାଚ୍‌ରେ ପାକିସ୍ତାନର ମୁକାବିଲା କରିଥିଲା ଏବଂ ବିଜୟୀ ହୋଇଥିଲା। ହେଲେ ପୁଲୱାମା ଆକ୍ରମଣ ପରେ ବିସିସିଆଇର ବହୁ ଅନୁବନ୍ଧିତ ସଂଗଠନ ସେମାନଙ୍କ କାର୍ଯ୍ୟାଳୟ ଏବଂ ଷ୍ଟାଡିୟମ୍ ପରିସରରେ ଥିବା ପାକିସ୍ତାନ ଖେଳାଳିଙ୍କ ଫଟୋ ହଟାଇ ଦେଇଛନ୍ତି। ପାକିସ୍ତାନ କଳାକାର ଭାରତରେ କାମ କରିବା ଉପରେ ମଧ୍ୟ ବାସନ୍ଦାଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର