ଶ୍ରୀଲଙ୍କା ବିପକ୍ଷରେ ଭାରତର ମଧ୍ୟକ୍ରମ ପରୀକ୍ଷା, ଇଂଲଣ୍ଡଠୁ ହାରିଲା ପାକିସ୍ତାନ

ମେଲ୍‌ବର୍ନ: ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଦଳ ହ୍ୟାଟ୍ରିକ୍‌ ବିଜୟ ହାସଲ କରି ଗ୍ରୁପ୍‌-ଏ’ରୁ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିସାରିଛି। ବିଜେତା ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷ ତିନିଟିଯାକ ମ୍ୟାଚ୍‌ରେ ଟସ୍‌ ହାରିବା ସତ୍ତ୍ବେ ଭାରତ ବୋଲରଙ୍କ ପ୍ରଦର୍ଶନ ବଳରେ ଜିତିପାରିଛି। ତେଣୁ ବୋଲିଂ ଆକ୍ରମଣ ସବୁକିଛି ଠିକ୍‌ଠାକ୍‌ ରହିଛି। ଲେଗ୍‌ ସ୍ପିନର ପୁନମ୍‌ ଯାଦବଙ୍କ ସାଙ୍ଗକୁ ରାଧା ଯାଦବ, ଦୀପ୍ତି ଶର୍ମା, ଶିଖା ପାଣ୍ଡେ ଓ ରାଜେଶ୍ବରୀ ଗାଏକ୍ବାଡ଼ ଲୟରେ ରହିଛନ୍ତି। ଏହି ତିନିଟିଯାକ ମ୍ୟାଚ୍‌ରେ ଭାରତ ଯଥାକ୍ରମେ ୧୩୨, ୧୪୨ ଓ ୧୩୩ ରନ୍‌ କରିଥିଲା। ହେଲେ ବ୍ୟାଟିଂରେ ବିଶେଷକରି ମଧ୍ୟକ୍ରମ ବିଫଳତାକୁ ନେଇ ଦଳ ଚିନ୍ତାରେ ରହିଛି। ଯୁବ ତାରକା ସେଫାଳି ବର୍ମା ଭଲ ଆରମ୍ଭ ଦେଉଥିଲା ବେଳେ ସ୍ମୃତି ମନ୍ଧାନ ଓ ଜେମିମା ରୋଦ୍ରିଗ୍ବେଜ ସ୍ଥିର ପ୍ରଦର୍ଶନ ଦେଇପାରିନାହାନ୍ତି। ମୁଖ୍ୟତଃ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର, ତାନିୟା ଭାଟିଆ ଏବଂ ଭେଡା କୃଷ୍ଣମୂର୍ତ୍ତିଙ୍କ ବିଫଳତା ମଧ୍ୟକ୍ରମ ବିଗାଡ଼ି ଦେଉଛି। ସେଫାଳି ଯଥାକ୍ରମେ ୨୯, ୩୯ ଓ ୪୬ ରନ୍‌ ସହ ତିନିଟି ମ୍ୟାଚ୍‌ରୁ ୧୧୪ ରନ୍‌ ସଂଗ୍ରହ କରିଛନ୍ତି। ହେଲେ ଅନ୍ୟ କେହି ତାଙ୍କୁ ସହଯୋଗ ଦେଇପାରୁନାହାନ୍ତି। ତେଣୁ ଆସନ୍ତାକାଲି ଗ୍ରୁପ୍‌ ପର୍ଯ୍ୟାୟର ଚତୁର୍ଥ ତଥା ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଥିଲା ବେଳେ ମଧ୍ୟକ୍ରମକୁ ନେଇ ଭାରତର ପରୀକ୍ଷା ହେବ। ସେମିଫାଇନାଲ୍‌ ସ୍ଥାନ ପକ୍କା କରିସାରିଥିବା‌ରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟକ୍ରମ ସଜାଡ଼ି ଅପରାଜେୟ ଲକ୍ଷ୍ୟ ରଖିଛି ଭାରତ। ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ଶନିବାର ପୂର୍ବାହ୍ନ ୯.୩୦ ମିନିଟ୍‌ରେ ଆରମ୍ଭ ହେବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ୨ ମ୍ୟାଚ୍‌ ଖେଳି ୨ ପରାଜୟ ଯୋଗୁଁ ସେମିଫାଇନାଲ୍‌ ଦୌଡ଼ରୁ ପ୍ରାୟତଃ ବାଦ୍‌ ପଡ଼ିସାରିଛି। ତଥାପି ଏହି ଦଳ ଭାରତକୁ ପରାସ୍ତ କରି ସମ୍ମାନ ରକ୍ଷା କରିବାର ଲକ୍ଷ୍ୟ ରଖିଛି।

ଇଂଲଣ୍ଡଠୁ ହାରିଲା ପାକିସ୍ତାନ
ଗ୍ରୁପ୍‌-ବି’ରେ ଶୁକ୍ରବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିଜୟୀ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ୧୧୩ ରନ୍‌ରେ ଥାଇଲାଣ୍ଡକୁ ଏବଂ ଇଂଲଣ୍ଡ ୪୨ ରନ୍‌ରେ ପାକିସ୍ତାନକୁ ପରାସ୍ତ କରଛି। ଏଥି ସହିତ ଉଭୟ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ପଏଣ୍ଟ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହି ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଛନ୍ତି। କାନ୍‌ବେରାରେ ପ୍ରଥମ ମ୍ୟାଚ୍‌ରେ ପ୍ରତିଯୋଗିତାର ସର୍ବୋଚ୍ଚ ଦଳଗତ ସ୍କୋର୍‌ କୀର୍ତ୍ତିମାନ ସହ ଦକ୍ଷିଣ ଆଫ୍ରିକା ୧୧୩ ରନ୍‌ରେ ଥାଇଲାଣ୍ଡକୁ ପରାସ୍ତ କରି ୨ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରାରମ୍ଭିକ ବ୍ୟାଟର୍‌ ଲିଜେଲ ଲି’ଙ୍କ ଶତକ (୬୦ ବଲ୍‌ରୁ ୧୦୧ ରନ୍‌) ସାଙ୍ଗକୁ ସୁନେ ଲୁସ୍‌ (୬୧ ରନ୍‌)ଙ୍କ ଅପରାଜିତ ଅର୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୧୯୫/୩ କରିଥିଲା। ଜବାବ‌ରେ ଥାଇଲାଣ୍ଡ ୧୯.୧ ଓଭରରେ ୮୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅଧିନାୟିକା ହିଦର ନାଇଟ୍‌ (୬୨)ଙ୍କ ଅର୍ଧଶତକ ସହାୟତା‌ରେ ଇଂଲଣ୍ଡ ୧୫୮/୭ କରିଥିଲା। ଜବାବରେ ପାକିସ୍ତାନ ପାଳି ୧୯.୪ ଓଭରରେ ୧୧୬ ରନ୍‌ରେ ସଫା ହୋଇଯାଇଥିଲା। ନାଇଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର