ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ସଭାପତି ଦାୟିତ୍ବ ଗ୍ରହଣ କରିବା ପରେ ଭାରତ ପାଇଁ ଦିବାରାତ୍ର ଟେଷ୍ଟ୍ ଖେଳିବାର ବାଟ ଫିଟିଥିଲା। ପୂର୍ବରୁ ବିସିସିଆଇ ଦିବାରାତ୍ର ଟେଷ୍ଟ୍କୁ ଅଣଦେଖା କରିଆସୁଥିଲା ବେଳେ ଗାଙ୍ଗୁଲି ହିଁ ପ୍ରଥମ ଥର ଲାଗି ଏଭଳି ଆୟୋଜନ କରିଥିଲେ। ଦିବାରାତ୍ର ଟେଷ୍ଟ୍ ଖେଳିବା ପାଇଁ ସେ ଦେଇଥିବା ପ୍ରସ୍ତାବକୁ ମଧ୍ୟ ଅଧିନାୟକ ବିରାଟ କୋହଲି ସଙ୍ଗେସଙ୍ଗେ ସମର୍ଥନ କରିଥିଲେ। ଯାହାଫଳରେ କୋଲ୍କାତାର ଐତିହାସିକ ଇଡେନ୍ ଗାର୍ଡେନ୍ରେ ବାଲଂଦେଶ ବିପକ୍ଷରେ ହିଁ ଗତବର୍ଷ ନଭେମ୍ବରରେ ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା। ଏହାପରେ ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ୍ ଖେଳିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ପ୍ରସ୍ତାବ ବାଢ଼ିଥିଲା। ଏନେଇ କ୍ରିକେଟ୍ ଅଷ୍ଟ୍ରେଲିଆର ପ୍ରତିନିଧି ବିସିସିଆଇର ଉଚ୍ଚ ଅଧିକାରୀଙ୍କୁ ଭେଟି ଗତ ଦିନିକିଆ ଶୃଙ୍ଖଳା ବେଳେ ଆଲୋଚନା କରିଥିଲେ। କୋହଲି ମଧ୍ୟ ଅଷ୍ଟ୍ରେଲିଆର ଯେକୌଣସି ସ୍ଥାନ (ଗାବା ହେଉ କି ପର୍ଥ)ରେ ଦିବାରାତ୍ର ଟେଷ୍ଟ୍ ଖେଳିବାକୁ ଭାରତ ପ୍ରସ୍ତୁତ ବୋଲି ଗତମାସରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ଆରମ୍ଭରୁ କହିଥିଲେ। ଏବେ ଏହାକୁ ବି ବିସିସିଆଇ ଗ୍ରହଣ କରିଛି। ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ୍ ଖେଳିବାକୁ ପ୍ରସ୍ତୁତ ବୋଲି ରବିବାର ବିସିସିଆଇ କହିଛି। ଏହା ପୂର୍ବରୁ ୨୦୧୮-୧୯ରେ ଦିବାରାତ୍ର ଟେଷ୍ଟ୍ ଖେଳିବାକୁ ଅଷ୍ଟ୍ରେଲିଆର ପ୍ରସ୍ତାବକୁ ବିସିସିଆଇ ପ୍ରତ୍ୟାଖ୍ୟାନ କରିଥିଲା। ହେଲେ ଏଥର ମୁଖ୍ୟତଃ ଗାବାରେ ଅଷ୍ଟ୍ରେଲିଆ ସହ ଭାରତ ଦିବାରାତ୍ର ଟେଷ୍ଟ୍ ଖେଳିବ ବୋଲି ରାଜି ହୋଇଥିବା କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି। ସେହିଭଳି ଇଂଲଣ୍ଡ ଆସନ୍ତାବର୍ଷ ଭାରତ ଆସି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଥିଲା ବେଳେ ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ରେ ଦିବାରାତ୍ର ଭିତ୍ତିରେ ଖେଳିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ତା’ ଭାରତ ଗସ୍ତରେ ମଧ୍ୟ ଦିବରାତ୍ର ଟେଷ୍ଟ ଖେଳିବ ବୋଳି ବିସିସିଆଇ କହିଛି।
ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ୍ ଖେଳିବ ଭାରତ
/sambad/media/post_attachments/wp-content/uploads/2020/02/24daynight.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)