ଶ୍ରୀଲଙ୍କାରେ ଟେ୍ଵଣ୍ଟି-୨୦ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ

ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚରେ ଶ୍ରୀଲଙ୍କା ତା’ର ସ୍ୱାଧୀନତାର ୭୦ ବର୍ଷ ପୂର୍ତ୍ତି ପାଳନ କରିବ। ଏହି ଅବସରରେ ଏକ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଆୟୋଜନ କରିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ସ୍ପଷ୍ଟ କରିଛି। ଏହି ଶୃଙ୍ଖଳାରେ ଆୟୋଜକ ଶ୍ରୀଲଙ୍କା ସହିତ ଭାରତ ଓ ବାଂଲାଦେଶ ପ୍ରତିଦ୍ୱନ୍ଦ୍ୱିତା କରିବେ। ମାର୍ଚ ୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଶୃଙ୍ଖଳାରେ ୭ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ସମସ୍ତ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ସହ ୨ ଲେଖାଏଁ ମ୍ୟାଚ୍‌ ଖେଳିବା ପରେ ମାର୍ଚ ୨୦ରେ ଫାଇନାଲ୍‌ ଖେଳାଯିବ। ଏହି ଶୃଙ୍ଖଳା ନିଦାସ ଟ୍ରଫି ନାମରେ ନାମିତ ବୋଲି ସିଂହଳୀ ବୋର୍ଡ ସଭାପତି ଥିଲଙ୍ଗା ସୁମାଥିପାଲା କହିଛନ୍ତି। ନିଦାସ ଟ୍ରଫି ଶୃଙ୍ଖଳା ମଧ୍ୟ ପୂର୍ବରୁ ଶ୍ରୀଲଙ୍କାର ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିଲା। ୧୯୯୮ରେ ଆୟୋଜିତ ସେଥର ଶୃଙ୍ଖଳାରେ ଅନ୍ୟ ଦୁଇ ଦଳ ଭାବେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ସାମିଲ ଥିଲେ। ଭାରତ ୧୯୯୮ରେ ନିଦାସ ଟ୍ରଫି କରାୟତ କରିଥିଲା। ଏହାପରେ ଏକ ଦିନିକିଆ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳାଯାଇଥିଲା। ଏବେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରି ଏହି ପ୍ରସ୍ତାବିତ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଶ୍ରୀଲଙ୍କା ଗସ୍ତ କରିବ ବୋଲି ଜୋହରି କହିଛନ୍ତି। ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଆସନ୍ତାବର୍ଷ ଫେବ୍ରୁଆରି ୨୪ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର