ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ଆଜି ଦ୍ୱିତୀୟ ଟେ୍ଵଣ୍ଟି-୨୦

0 520

କାର୍ଡିଫ: ଇଂଲଣ୍ଡ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ପ୍ରଥମ ମ୍ୟାଚ୍‌ ଭଳି ଏହା ମଧ୍ୟ ରାତି ୧୦ରୁ ଆରମ୍ଭ ହେବ। ମଙ୍ଗଳବାର ମାଞ୍ଚେଷ୍ଟର୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ଆଗୁଆ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି। ସ୍ପିନ୍‌ ମୁକାବିଲା ସମସ୍ୟାରେ ପଡ଼ିଥିବା ଇଂଲଣ୍ଡ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର କୁଲଦୀପ ଯାଦବ (୫/୨୪) ଏବଂ କେଏଲ୍‌ ରାହୁଲ (୧୦୧*)ଙ୍କ ଅପରାଜିତ ଶତକ ବଳରେ ଭାରତ ଏକପାଖିଆ ଭାବେ ୮ ଓ୍ଵିକେଟ୍‌ରେ ଜିତିଥିଲା। ଶୁକ୍ରବାର ଜିତିଲେ କୋହଲି ଦଳ ୩ ମ୍ୟାଚ୍‌ ଶୃଙ୍ଖଳାକୁ ଆଗୁଆ ପକେଟସ୍ଥ କରିନେବ।

ଭାରତ ମଧ୍ୟ ଲଗାତାର ଷଷ୍ଠ ଟେ୍ଵଣ୍ଟି-୨୦ ଶୃଙ୍ଖଳା ବିଜୟ ଦ୍ୱାରରେ ରହିଛି। ୨୦୧୭ ମସିହାରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୨-୧ ବିଜୟଠାରୁ ଏହି ଧାରା ଆରମ୍ଭ ହୋଇଛି। ସେହିଭଳି ଗତ ସେପ୍ଟେମ୍ବରଠାରୁ ସମସ୍ତ ଦ୍ୱିପାକ୍ଷିକ ଶୃଙ୍ଖଳାରେ ବି ଭାରତ ଅପରାଜିତ ରହିଛି। ଆଇସିସି ମାନ୍ୟତା କଥା ଦେଖିଲେ ଭାରତ ୨-୦ରେ ଆଗୁଆ ହୋଇଗଲେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ନିକଟତର ହୋଇଯିବ। ୩-୦ରେ ଜିତିଗଲେ ଭାରତ ମଧ୍ୟ କଙ୍ଗାରୁ ଦଳକୁ ପଛରେ ପକାଇ ପାକିସ୍ତାନ ତଳେ ଦ୍ୱିତୀୟରେ ରହିଯିବ। ଦ୍ୱିତୀୟ ସ୍ଥାନରେ ତିଷ୍ଠିବାକୁ ଅଷ୍ଟ୍ରେଲିଆକୁ ଚଳିତ ଜିମ୍ବାେଓ୍ଵ ତ୍ରିରାଷ୍ଟ୍ରୀୟରେ ଅବଶିଷ୍ଟ୍‍  ଗୋଟିଏ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଶୁକ୍ରବାର ଅଷ୍ଟ୍ରେଲିଆକୁ ପାକିସ୍ତାନ ୪୫ ରନ୍‌ରେ ହରାଇ ଦେଇଥିଲା। କିନ୍ତୁ ଭାରତ ଯଦି ଶୁକ୍ରବାର ହାରିଯିବ ତେବେ ନ୍ୟୁଜିଲାଣ୍ଡ୍‌, ଦକ୍ଷିଣ ଆଫ୍ରିକା, େଓ୍ଵଷ୍ଟଇଣ୍ଡିଜ୍‌ ତଳକୁ ଖସି ସପ୍ତମ ସ୍ଥାନରେ ପହଞ୍ଚିଯିବ। ଇଂଲଣ୍ଡ ଦଳ ସୀମିତ ଓଭରରେ ଭଲ ପ୍ରଦର୍ଶନ କରୁଥିବାରୁ ପ୍ରଥମ ମ୍ୟାଚ୍‌ ପ୍ରଦର୍ଶନ ଘରୋଇ ଦଳ ପାଇଁ ଚିନ୍ତାଜନକ ହୋଇଛି। ବିଗତ ୧୦ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟ ମଧ୍ୟରୁ ଇଂଲଣ୍ଡ କେବଳ ୫ ଜିତିଛି। ମାଞ୍ଚେଷ୍ଟର୍‌ ମ୍ୟାଚ୍‌ ପରାଜୟ ପରେ ଇଂଲଣ୍ଡ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ଏବଂ ବ୍ୟାଟ୍‌ସମ୍ୟାନ୍‌ ଜୋସ୍‌ ବଟଲର୍‌ ସାଥୀ ଖେଳାଳିମାନଙ୍କୁ ଅଧିକ ଧୈର୍ଯ୍ୟ ଦେଖାଇବାକୁ କହିଛନ୍ତି। ବ୍ୟାଟିଂ ବେଳେ ବଲ୍‌କୁ ନଜର ରଖି ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର କୁଲଦୀପ୍‌ଙ୍କ ଲଗାତାର ଗୁଗ୍‌ଲିରେ ବେୟାରଷ୍ଟୋ ଏବଂ ରୁଟ୍‌ଙ୍କ ଆଉଟ୍‌ ସେମାନଙ୍କ ଏଭଳି ପରାମର୍ଶ ଦେବାକୁ ବାଧ୍ୟ କରିଛି। କିନ୍ତୁ ଏହାକୁ କହିବା ଅପେକ୍ଷା କରିବା କଷ୍ଟକର।

Panda Mobile only

ପରାଜୟ ସତ୍ତ୍ୱେ ଇଂଲଣ୍ଡ ପାଇଁ କାର୍ଡିଫରେ ଦଳର ମୁଖ୍ୟ ଶକ୍ତି ଶୀର୍ଷକ୍ରମ ବ୍ୟାଟସମ୍ୟାନ୍‌ ଭଲ ଆରମ୍ଭ ଦେବେ ବୋଲି ଆଶା କରାଯାଉଛି। ଭାରତ ପାଇଁ ଏକମାତ୍ର ଚିନ୍ତା ରହିଛି ଭୁବନେଶ୍ୱର କୁମାର ଏବଂ ଉମେଶ ଯାଦବଙ୍କ ନୂଆ ବଲ୍‌ ଯୋଡ଼ି ଫଳପ୍ରଦ ନ ହେବା। ଭାରତୀୟ ଦଳ କିନ୍ତୁ କୌଣସି ପରିବର୍ତନ କରିବା ସମ୍ଭାବନା ନାହିଁ। ବାମହାତୀ ସ୍ପିନ୍‌ କ୍ଷମତା ଦୃଷ୍ଟିରୁ କୃନାଲ ପାଣ୍ଡ୍ୟାଙ୍କ  ନାମ ଦଳ ବିଚାର କରୁଥିଲେ ମଧ୍ୟ ଏଭଳି ସମ୍ଭାବନା ନାହିଁ। ଚହଲ ପ୍ରଭାବହୀନ ରହିଥିଲେ ମଧ୍ୟ ଗୋଟିଏ ମ୍ୟାଚ୍‌ ପରେ ତାଙ୍କୁ ବସାଇବା ସମ୍ଭାବନା କ୍ଷୀଣ। ଶେଷ ଥର ପାଇଁ କାର୍ଡିଫରେ ୨୦୧୪ରେ ଉଭୟ ଦଳ ଦିନିକିଆରେ ମୁହାଁମୁହିଁ ହୋଇଥିଲେ। ବର୍ଷାବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ସୁରେଶ ରାଇନାଙ୍କ ଅଲରାଉଣ୍ଡ୍‌ ପ୍ରଦର୍ଶନ ବଳରେ ଭାରତ ବିଜୟୀ ହୋଇଥିଲା।

ଭାରତ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, କେଏଲ୍‌ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ଦୀନେଶ କାର୍ତିକ, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, ହାର୍ଦିକ ପାଣ୍ଡ୍ୟା, ସିଦ୍ଧାର୍ଥ କଉଲ୍‌ ଏବଂ ଉମେଶ ଯାଦବ।

ଇଂଲଣ୍ଡ ଦଳ: ଇଅନ୍‌ ମୋର୍ଗାନ୍‌ (ଅଧିନାୟକ), ମୋଇନ୍‌ ଅଲୀ, ଜନି ବେୟାରଷ୍ଟୋ, ଜାକ୍‌ ବଲ୍‌, ଜୋସ୍‌ ବଟଲର୍‌ (ଓ୍ଵିକେଟରକ୍ଷକ), ସାମ୍‌ କୁରାନ୍‌, ଆଲେକ୍ସ ହେଲ୍‌ସ, କ୍ରିସ୍‌ ଜୋର୍ଡାନ୍‌, ଲିଆମ୍‌ ପ୍ଲଙ୍କେଟ, ଆଦିଲ୍‌ ରସିଦ୍‌, ଜୋ ରୁଟ୍‌, ଜାସନ୍‌ ରୟ, ଡେଭିଡ୍‌ ଓ୍ଵିଲି, ଦାଓ୍ଵିଦ୍‌ ମଲାନ୍‌।

ସମ୍ବନ୍ଧିତ ଖବର

Leave A Reply

Your email address will not be published.