କୋରିଆ ସହ ପଏଣ୍ଟ୍‌ ବାଣ୍ଟିଲା ଭାରତ

ଢାକା: ଚଳିତ ଦଶମ ଏସିଆ କପ୍‌ ହକିର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଆରମ୍ଭରୁ ଭାରତ ପଏଣ୍ଟ୍‌ ଭାଗ କରିଛି। ଗ୍ରୁପ୍‌-ଏରେ ଅପରାଜେୟ ରହିଥିବା ଭାରତ ଓ ଗ୍ରୁପ୍‌-ବି ଦ୍ୱିତୀୟ ଦଳ ଦକ୍ଷିଣ କୋରିଆ ଲଢ଼ାଲଢ଼ି ହୋଇଥିଲେ। ହେଲେ ବୁଧବାର ଖେଳାଯାଇଥିବା ଏହି ଦ୍ୱିତୀୟ ମ୍ୟାଚ୍‌କୁ ଦକ୍ଷିଣ କୋରିଆ ସହ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ଭାରତ ଅଭିଯାନ ଆରମ୍ଭ କରିଛି। ଉଭୟ ବିଶ୍ୱ ମାନ୍ୟତାର ଷଷ୍ଠ ଓ ବିଶ୍ୱ ମାନ୍ୟତାର ତ୍ରୟୋଦଶ କୋରିଆ ଦଳ ମ୍ୟାଚ୍‌ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ଫଳରେ ପ୍ରଥମ ଦୁଇ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଧର ତୃତୀୟ କ୍ୱାର୍ଟରରେ କୋରିଆ ଦଳ ଆଗେଇ ଯାଇଥିଲା। ୪୦ ମିନିଟ୍‌ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍‌ ଦେଇପାରିନଥିଲା ବେଳେ ୪୧ ମିନିଟ୍‌ରେ ଲି ଜଙ୍ଗ୍‌ଜୁନ୍‌ ଭାରତୀୟ ରକ୍ଷଣଭାଗ ସହିତ ଗୋଲ୍‌ରକ୍ଷକଙ୍କୁ ଚକ୍‌ମା ଦେଇ ଚମତ୍କାର ଫିଲ୍‌ଡ ଗୋଲ୍‌ କରିଥିଲେ। ଫଳରେ କୋରିଆ ୧-୦ର ଅଗ୍ରଣୀ ପାଇଯାଇଥିଲା।

ଏହାପରେ ଭାରତ ଉପରେ ଚାପ ପଡ଼ିଯାଇଥିଲା। ଏପରିକି ୫୮ ମିନିଟ୍‌ ପର୍ଯ୍ୟନ୍ତ ଗୋଲ୍‌ ଶୁଝି ନପାରି ଭାରତ ପରାଜୟ ଆଶଙ୍କାରେ ପଡ଼ିଯାଇଥିଲା। ତେବେ ମ୍ୟାଚ୍‌ ଶେଷ ହେବାର କିଛି କ୍ଷଣ ପୂର୍ବରୁ ଗୁର୍‌ଜାଣ୍ଟ୍‌ ସିଂହ (୬୦ ମିନିଟ୍‌) ହିଁ ଭାରତକୁ ପରାଜୟରୁ ବଞ୍ଚାଇ ଦେଇଥିଲେ। ସେ କୋରିଆ ଖେଳାଳିଙ୍କୁ ପରାସ୍ତ କରି ଦମ୍‌ଦାର ଫିଲ୍ଡ ଗୋଲ୍‌ କରିଥିଲେ। ଆଉ ଏହି ଗୋଲ୍‌ ହିଁ ସ୍ଥିତି ସମାନ କରିଦେଇଥିଲା। ଆଉ କୌଣସି ଗୋଲ୍‌ ନହେବାରୁ ମ୍ୟାଚ୍‌ ୧-୧ରେ ଅମୀମାଂସିତ ରହିଥିଲା। ଉଭୟ ଦଳ ୧ ପଏଣ୍ଟ୍‌ ଲେଖାଏଁ ପାଇଥିଲେ। ଏହି ମ୍ୟାଚ୍‌ରେ ତିନି ଓଡ଼ିଆ ତାରକା ଅମିତ୍‌ ରୋହିଦାସ, ଦିପ୍‌ସାନ ତିର୍କି ଓ ଲଲିତ୍‌ ଉପାଧ୍ୟାୟ ଖେଳିଥିଲେ। ଆସନ୍ତକାଲି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ ମାଲେସିଆ ସହ ଖେଳିବାକୁ ଥିଲା ବେଳେ କୋରିଆର ମୁକାବିଲା ପାକିସ୍ତାନ ସହ ହେବ।

ମାଲେସିଆଠୁ ହାରିଲା ପାକିସ୍ତାନ
ବୁଧବାରଠୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଗ୍ରୁପ୍‌-ବି ବିଜେତା ମାଲେସିଆ ଓ ଗ୍ରୁପ୍‌-ଏ ଦ୍ୱିତୀୟ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମାଲେସିଆ ୩-୨ ଗୋଲ୍‌ରେ ବାଜି ମାରି ନେଇଥିଲା। ମ୍ୟାଚ୍‌ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ମିନିଟ୍‌ରେ ହିଁ ପାକିସ୍ତାନ ଆଗୁଆ ହୋଇଥିଲା। ମହମ୍ମଦ ଉମର ଭୁଟ୍ଟଙ୍କ ଚମତ୍କାର ଫିଲ୍‌ଡ ଗୋଲ୍‌ ପାକିସ୍ତାନକୁ ଅଗ୍ରଣୀ ଦେଇଥିଲା। ହେଲେ ୧୦ମ ମିନିଟ୍‌ରେ ମାଲେସିଆ ଗୋଲ୍‌ ଶୁଝି ଦେଇଥିଲେ। ରାଜି ରହିମ୍‌ ପେନାଲ୍‌ଟି କର୍ନରରୁ ଗୋଲ୍‌ କରି ସ୍ଥିତି ସମାନ କରିଦେଇଥିଲେ। ଏହାପରେ ୧୯ ମିନିଟ୍‌ରେ ମହମ୍ମଦ ୟାକୁବ୍‌ ଫିଲ୍‌ଡ ଗୋଲ୍‌ କରି ପୁଣି ଥରେ ପାକିସ୍ତାନକୁ ଆଗେଇ ନେଇଥିଲେ।

ତେବେ ୨୫ ମିନିଟ୍‌ରେ ସାହରିଲ୍‌ ସାବାଙ୍କ ଫିଲ୍‌ଡ ଗୋଲ୍‌ ବଳରେ ମାଲେସିଆ ମ୍ୟାଚ୍‌କୁ ପ୍ରତ୍ୟାବର୍ତନ କରିଥିଲେ। ଫଳରେ ପ୍ରଥମାର୍ଧ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଏହାପରେ କିନ୍ତୁ ମାଲେସିଆ ଆଉ ପାକିସ୍ତାନକୁ ଗୋଲ୍‌ କରିବାର ସୁଯୋଗ ଦେଇନଥିଲା। ବରଂ ଦ୍ୱିତୀୟାର୍ଧରେ ଗୋଟିଏ ଗୋଲ୍‌ କରି ମାଲେସିଆ ମ୍ୟାଚ୍‌ ଜିତି ନେଇଥିଲା। ୩୪ ମିନିଟ୍‌ରେ ଫିତ୍ରି ସାରି ପେନାଲ୍‌ଟି ଷ୍ଟ୍ରୋକ୍‌ ଜରିଆରେ ନିଜର ପ୍ରଥମ ତଥା ମାଲେସିଆ ପାଇଁ ତୃତୀୟ ଗୋଲ୍‌ଟି କରିଥିଲେ। ଚତୁର୍ଥ କ୍ୱାର୍ଟରରେ ଆଉ କୌଣସି ଗୋଲ୍‌ ନହେବାରୁ ମାଲେସିଆ ବିଜୟୀ ହୋଇଥିଲା। ଏହି ବିଜୟ ସହ ମାଲେସିଆ ପୂର୍ଣ୍ଣ ୩ ପଏଣ୍ଟ ଅକ୍ତିଆର କରିନେଇଥିଲା ବେଳେ ପାକିସ୍ତାନ ପଏଣ୍ଟ୍‌ ଶୂନ୍ୟ ରହିଛି।

ସମ୍ବନ୍ଧିତ ଖବର