ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟ୍ବେଣ୍ଟି-୨୦ ଆଜି

ମୋହାଲି: ବର୍ଷା ପାଇଁ ରବିବାର ଧର୍ମଶାଳାରେ ଖେଳାଯିବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦ ଧୋଇଯାଇଥିଲା। ବୁଧବାର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ ମୋହାଲିରେ। ୩ ମ୍ୟାଚ୍‌ ଶୃଙ୍ଖଳା ୨କୁ ଖସି ଆସିଥିବାରୁ ବୁଧବାର ମୁକାବିଲା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୧୨ ମାସରୁ ଅଧିକ ସମୟ ରହିଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲି ନିଜ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି ଏବଂ ଯୁବ ଖେଳାଳିଙ୍କଠାରୁ ସେ ଅଧିକ ଆଶାରେ ରହିଛନ୍ତି। ଏହି କ୍ରମରେ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷବ ପନ୍ତ୍‌ଙ୍କ ଉପରେ ନଜର ରହିଛି। ଅସ୍ଥିର ପ୍ରଦର୍ଶନ ପାଇଁ ଋଷଭ ପନ୍ତ୍‌ଙ୍କ ଉପରେ ଚାପ ମଧ୍ୟ ବଢ଼ିଛି। ୨୧ ବର୍ଷୀୟ ପନ୍ତ୍‌ ୨୦୧୭ ମସିହା ଜାନୁଆରିରୁ ପଦାର୍ପଣ କରିଥିବାରୁ ଆଉ ଅଧିକ ଦିନ ଯୁବ ବର୍ଗରେ ସାମିଲ ରହିବେ ନାହିଁ। ସେହି ଦୃଷ୍ଟିରୁ ତାଙ୍କ ପାଇଁ ଖୁବ୍ କମ୍ ସମୟ ରହିଛି ନିଜକୁ ପ୍ରମାଣିତ କରିବାକୁ। ସେ ନିୟମିତ ଭାବେ ୱିକେଟ୍‌ ଫିଙ୍ଗିଚାଲିଲେ ହୁଏତ ତାଙ୍କ ପାଦରେ ବେଡ଼ି ଲାଗିଯିବ ବୋଲି ଚୟନକର୍ତାମାନେ ପରୋକ୍ଷ ଚେତାବନୀ ଶୁଣାଇ ସାରିଛନ୍ତି। ସେ ନିଜ ଭୁଲ କରିଚାଲିଲେ ତାଙ୍କୁ କୁହାଯିବ ବୋଲି ଚଳିତ ଶୃଙ୍ଖଳା ଆରମ୍ଭ ପୂର୍ବରୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରକାଶ କରିଥିଲେ। ମହେନ୍ଦ୍ର ସିଂହ‌ ଧୋନିଙ୍କ ପ୍ରତ୍ୟାବର୍ତନ ସପକ୍ଷରେ ବିରାଟ କୋହଲି ଥିବାରୁ ଏହା ପନ୍ତ୍‌ଙ୍କ ଉପରେ ଅତିରିକ୍ତ ଚାପ ମଧ୍ୟ ପକାଇଛି।

ଭାରତର ସ୍ପିନ୍‌ ବିପକ୍ଷରେ ଲଗାତାର ଦ୍ବିତୀୟ ଶୃଙ୍ଖଳା ଲାଗି କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ବଦଳରେ ସାମିଲ ଲେଗ୍ ସ୍ପିନର୍ ରାହୁଲ ଚହର ଏବଂ ଅଫସ୍ପିନର୍‌ ୱାସିଂଟନ୍ ସୁନ୍ଦରଙ୍କ ଉପରେ ମଧ୍ୟ ଚାପ ରହିବ। ସେହିଭଳି ବିଶ୍ବକପ୍‌ ପୂର୍ବରୁ ଖେଳାଯିବାକୁ ଥିବା ପ୍ରାୟ ୨୦ ମ୍ୟାଚ୍‌ରେ ମଧ୍ୟ ଦଳକୁ ୮, ୯, ୧୦ ନମ୍ବର ବ୍ୟାଟସମ୍ୟାନ୍‌ଙ୍କଠାରୁ ରନ୍‌ ଆଶା ରଖିବ ଭାରତ। ଶ୍ରେୟସ ଆୟର ଏବଂ ମନୀଷ ପାଣ୍ଡେଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ। ନିଜ ଟେଷ୍ଟ୍‌ ପଦାର୍ପଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ୧୮୭ ରନ୍ କରିଥିବା ଶିଖର ଧାୱନଙ୍କଠାରୁ ମଧ୍ୟ ଦଳ ଭଲ ଆରମ୍ଭ ଆଶା ରଖିଛି। କାଗିସୋ ରବାଦାଙ୍କ ନେତୃତ୍ବରେ ଖେଳିବାକୁ ଥିବା ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀର ଅନଭିଜ୍ଞତାରୁ ଭାରତ କେତେ ଫାଇଦା ଉଠାଉଛି ଦେଖିବାର ଅଛି। ମୋହାଲିରେ କୋହଲି ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଭଲ ପାଳି ଖେଳି ବିଶ୍ବକପ୍‌ ସେମିଫାଇନାଲକୁ ନେଇଥିଲେ। ବୁଧବାର ମଧ୍ୟ ଭାରତର ବ୍ୟାଟିଂ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅଭିଜ୍ଞତା ଉପରେ ଅଧିକ ନିର୍ଭର କରିବ।

ଭାରତ ଏକାଦଶ (ସମ୍ଭାବ୍ୟ): ରୋହିତ ଶର୍ମା, ଶିଖର ଧାୱନ/କେଏଲ୍ ରହୁଲ, ବିରାଟ‌ କୋହଲି, ମନୀଷ ପାଣ୍ଡେ/ଶ୍ରେୟସ ଆୟର, ଋଷବ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର/ରାହୁଲ ଚହର, ଦୀପକ ଚହର, ନଭଦୀପ ସଇନି।

ଦକ୍ଷିଣ ଆଫ୍ରିକା ଏକାଦଶ (ସମ୍ଭାବ୍ୟ): କ୍ବିଣ୍ଟନ୍ ଡି’କକ୍ (ଅଧିନାୟକ/ୱିକେଟରକ୍ଷକ), ରିଜା ହେଣ୍ଡ୍ରିକ୍ସ, ରାସି ଭାନ୍ ଡେର୍ ଦସେନ୍‌, ତେମ୍ବା ବାଭୁମା, ଡେଭିଡ୍‌ ମିଲର, ଆନ୍ଦିଲ ଫେଲୁକ୍ବାୟୋ, ଡ୍ବାଇନ୍ ପ୍ରିଟୋରିୟସ୍‌, ବର୍ନ ଫର୍ତୁନ/ଜର୍ଜ ଲିଣ୍ଡେ, କାଗିସୋ ରବାଦା, ଜୁନିଆର୍ ଡାଲା/ଆନରିଚ୍‌ ନର୍ଜେ, ତାବ୍ରାଇଜ୍‌ ସାସମୀ।

ପାଗ ଓ ପିଚ୍‌
ବୁଧବାର ମୋହଲି ପାଗ ଶୁଷ୍କ ରହିବ। ବର୍ଷାର ପୂର୍ବାନୁମାନ ନାହିଁ। ଟି-୨୦ ମ୍ୟାଚ୍‌ ପାଇଁ ଏହି ପିଚ୍‌ ସନ୍ତୁଳିତ ସ୍ଥିତିରେ ରହିଛି। ୨୦୧୯ ଆଇପିଏଲ୍‌ ଋତୁରେ ୭ ମ୍ୟାଚ୍‌ରେ ପ୍ରଥମ ପାଳି ସ୍କୋର୍ ହାରାହାରି ଥିଲା ୧୭୧ ରନ୍‌। ପଶ୍ଚାତଧାବନ କରୁଥିବା ଦଳ କିନ୍ତୁ ୫ ଥର ଜିତିଥିଲେ।

ଅଜଣା ତଥ୍ୟ
ଟି-୨୦ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ଖେଳ ଜୀବନର ଦ୍ବିତୀୟ ନିକୃଷ୍ଟ ପ୍ରଦର୍ଶନ କରିଛନ୍ତି। ୨୮.୮୩ ହାରରେ ରନ୍ କରିଛନ୍ତି। ଆୟର୍ଲାଣ୍ଡ୍ ବିପକ୍ଷ ୨ ମ୍ୟାଚ୍‌ରୁ ୯ ରନ୍ (ହାରାହାରି ୪.୫) କରିବା ତାଙ୍କ ସବୁଠୁ ନିକୃଷ୍ଟ ରହିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ୍ ମିଲର୍ ମୋହାଲିରେ ଖେଳିଥିବା ୨୯ ମ୍ୟାଚ୍‌ରୁ ୪୫.୬୨ ହାରରେ ୭୩୦ ରନ୍ ସଂଗ୍ରହ କରିଛନ୍ତି। ଷ୍ଟ୍ରାଇକ୍ ରେଟ୍ (୧୫୦.୫୧) ମଧ୍ୟ ବଢ଼ିଆ ରହିଛି। ଏହି ପଡ଼ିଆରେ ତାଙ୍କଠାରୁ କେବଳ ସନ୍ ମାର୍ସ ଅଧିକ ଟି-୨୦ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର