୩ୟ ଦ୍ୱିଶତକ ଖେଳି ମୋହାଲିରେ ଇତିହାସ ରଚିଲେ ରୋହିତ, ଶ୍ରୀଲଙ୍କାକୁ ମିଳିଲା ୩୯୩ ରନ୍‌ ଟାର୍ଗେଟ

ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ: ଶିଖର ଧାଓ୍ଵନ, ଶ୍ରେୟସ ଆୟାରଙ୍କ ଅର୍ଦ୍ଧଶତକ

ମୋହାଲି: ଟିମ୍‌ ଇଣ୍ଡିଆର କାର୍ଯ୍ୟକାରୀ ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅପରାଜିତ ଦ୍ୱିଶତକ(୨୦୮) ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ଟି ଓ୍ଵିକେଟ ହରାଇ ୩୯୨ ରନ୍‌ ସଂଗ୍ରହ କରିଛି। ଫଳରେ ଶ୍ରୀଲଙ୍କାକୁ ୩୯୩ ରନ୍‌ ଟାର୍ଗେଟ ମିଳିଛି। ଶ୍ରୀଲଙ୍କା ବିପକ୍ଷରେ ପଞ୍ଜାବର ମୋହାଲିସ୍ଥିତ ପିଏସସି କ୍ରିକେଟ ଷ୍ଟାଡିୟମରେ ବୁଧବାର ଚାଲିଥିବା ୨ୟ ଦିନିକିଆରେ ରୋହିତ କ୍ୟାରିୟରର ୩ୟ ଦ୍ୱିଶତକ ହାସଲ କରିଛନ୍ତି। ଏଭଳି କରିବାରେ ରୋହିତ ହେଉଛନ୍ତି ପ୍ରଥମ ଭାରତୀୟ। ଟସ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ହେଉଛି ଷ୍ଟାଡିୟମର ସର୍ବୋଚ୍ଚ ସ୍କୋର।

ଶ୍ରୀଲଙ୍କାର ପ୍ରଥମ ଶିକାର ହୋଇଥିଲେ ଶିଖର ଧାଓ୍ଵନ(୬୮)। ସେ ୬୭ ବଲ ଖେଳି ସଚିତ ପଥିରାନାଙ୍କ ବଲ ଲାହିରୁ ଥିରମାନିଙ୍କୁ କ୍ୟାଚ ଦେଇଥିଲେ। ଭାରତ ୨ୟ ଓ୍ଵିକେଟରେ ଶ୍ରେୟସ ଆୟାର(୮୮)କୁ ହରାଇଥିଲା। ଥିରସା ପେରାରାଙ୍କ ବଲ ସବ୍‌କୁ କ୍ୟାଚ ଦେଇଥିଲେ ଆୟାର। ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଗତ ଡିସେମ୍ବର ୧୦ରେ ଭାରତ ମାତ୍ର ୨୮ ରନ୍‌ରେ ୭ଟି ଓ୍ଵିକେଟ ହରାଇଥିବା ବେଳେ ମୋହାଲିରେ ୨୧.୧ ଓଭରରେ ୧୧୫ ରନ୍‌ ସଂଗ୍ରହ କରିବା ପରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ଦଳର ୨ୟ ଓ୍ଵିକେଟ ୩୨୮ରେ ପଡ଼ିଥିଲା। ସେହିଭଳି ଦଳର ରନ ୩୫୪ରେ ମହେନ୍ଦ୍ର ସିଂହ ଧୋନି(୭) ୫ଟି ବଲ ଖେଳି ଥିରସା ପେରାରାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା (୮) ଥିରସା ପେରାରାଙ୍କ ବଲ ଲାହିରୁ ଥିରମାନିଙ୍କୁ କ୍ୟାଚ ଦେଇ ଶ୍ରୀଲଙ୍କାର ୪ର୍ଥ ଶିକାର ହୋଇଥିଲେ।

ରୋହିତ ଅଧିନାୟକ ହିସାବରେ ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ସେ ୧୧୫ଟି ବଲ ଖେଳି ଏହି ଶତକ ଯୋଡ଼ିଛନ୍ତି। ଏହି ଶତକ ସହିତ ଭାରତୀୟ ଖେଳାଳିଙ୍କ ତାଲିକରେ ରୋହିତ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ଶତକ ତାଲିକାରେ ସଚିନ ତେନ୍ଦୁଲକର(୪୯), ବିରାଟ କୋହଲି (୩୨) ଓ ସୌରଭ ଗାଙ୍ଗୁଲି(୨୨) କରିଛନ୍ତି।

ଶ୍ରୀଲଙ୍କାର ବୋଲରମାନେ ଭାରତୀୟ ଖେଳାଳିଙ୍କୁ ପାଭଲିୟନ ଫେରାଇବାକୁ ଯେତେ ଉଦ୍ୟମ କରିଥିଲେ ମଧ୍ୟ ଆଶାନୁରୂପକ ଫଳ ପାଇ ନଥିଲେ। କହିବାକୁ ଗଲେ ଧର୍ମଶାଳାର ପରିସ୍ଥିତି ଓ ମୋହାଲିର ବାତାବରଣ ଶ୍ରୀଲଙ୍କା ଖେଳାଳିଙ୍କ ପାଇଁ ବହୁତ ଅଲଗା ଥିଲା।

ସମ୍ବନ୍ଧିତ ଖବର