ଭାରତର ସଫଳ ଲେଉଟାଣି

ଶେଷ ଅଧିବେଶନରେ ଇଂଲଣ୍ଡର ୬ ଓ୍ଵିକେଟ୍‌ ପତନ

ସାଉଥମ୍ପଟନ୍‌: ପ୍ରଥମ ଚାରି ମୁକାବିଲା ଭଳି ସାଉଥମ୍ପଟନ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପଞ୍ଚମ ଟେଷ୍ଟ୍‌ରେ ମଧ୍ୟ ଭାରତୀୟ ବୋଲର ନିଜ ଚମକ ଦେଖାଇଛନ୍ତି। ପ୍ରଥମ ଦିନର ଚା’ ପାନ ବିରତି ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ଥିବା ଇଂଲଣ୍ଡକୁ ଶେଷ ଅଧିବେଶନରେ ୬ଟି ଝଟ୍‌କା ଦେଇ ସଫଳ ପ୍ରତ୍ୟାବର୍ତନ କରିଛନ୍ତି। ଫଳରେ ଏକ ସମୟରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୧୩୩ ରନ୍‌ କରି ନେଇଥିବା ଘରୋଇ ଇଂଲଣ୍ଡ ୯୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ରେ ଦିନ ଶେଷ କରିଛି। ଶୁକ୍ରବାର ରବୀନ୍ଦ୍ର ଜାଦେଜାଙ୍କ ସ୍ପିନ୍‌ କମାଲ ପରେ ଯଶ୍‌ପ୍ରୀତ ବୁମ୍‌ରା ଓ ଈଶାନ୍ତ ଶର୍ମା ଯଥାକ୍ରମେ ୬୪ ଏବଂ ୮୩ତମ ଓଭରରେ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ନେଇ ଇଂଲଣ୍ଡକୁ ଦୋହଲାଇ ଦେଇଥିଲେ। ମନ୍ଥର ବ୍ୟାଟିଂ କରିଥିବା ଇଂଲଣ୍ଡ ପାଇଁ ପୂର୍ବତନ ଅଧିନାୟକ ଆଲେଷ୍ଟର କୁକ୍‌ (୭୧) ଏବଂ ଅଲରାଉଣ୍ଡର ମୋଇନ ଅଲ୍ଲୀ (୫୦)ଙ୍କ ଅର୍ଧଶତକ ପ୍ରଥମ ଦିନର ସାନ୍ତ୍ୱନା ହୋଇଛି। ପ୍ରଥମ ଅଧିବେଶନରେ ଗୋଟିଏ ଓ ଦ୍ୱିତୀୟରେ କୌଣସି ଓ୍ଵିକେଟ୍‌ ହରାଇ ନଥିବା ଇଂଲଣ୍ଡ ଶେଷ ଅଧିବେଶନରେ ୬ ଓ୍ଵିକେଟ୍‌ ହରାଇଥିଲା। ଶେଷ ଟେଷ୍ଟ୍‌କୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଓହ୍ଲାଇଥିବା ଆଲେଷ୍ଟର କୁକ୍‌ ଆଜି ଏଥିରେ ଅନେକାଂଶରେ ସଫଳ ହୋଇଥିଲେ। ଅସୀମ ଏକାଗ୍ରତା ଦେଖାଇ ସେ ନିଜର ୫୭ତମ ଅର୍ଧଶତକ ପୂରଣ କରି ନେଇଥିଲେ। ପ୍ରଥମ ଓ୍ଵିକେଟ୍‌ରେ କୁକ୍‌ ଓ କିଟନ ଜେନିଙ୍ଗ୍ସ(୨୩) ୬୦ ରନ୍‌ ଯୋଡ଼ି ଭାରତୀୟ ବୋଲରଙ୍କୁ ପ୍ରାରମ୍ଭିକ ଲାଭ ଉଠାଇବାର ସୁଯୋଗ ଦେଇ ନଥିଲେ। ତେବେ ମଧ୍ୟାହ୍ନ ଭୋଜନର ଠିକ୍‌ ପୂର୍ବରୁ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଖେଳୁଥିବା ରବୀନ୍ଦ୍ର ଜାଦେଜା ଜେନିଙ୍ଗ୍ସଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ଜେନିଙ୍ଗ୍ସଙ୍କୁ ସେ ରାହୁଲଙ୍କ ହାତରେ କ୍ୟାଚ୍‌ କରାଇବା ପରେ ମଧ୍ୟାହ୍ନ ଭୋଜନ ବେଳକୁ ଇଂଲଣ୍ଡ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୬୮ ରନ୍‌ କରି ନେଇଥିଲା। ଅଲ୍‌ରାଉଣ୍ଡର ମୋଇନ ଅଲ୍ଲୀ (୫୦) ପୁଣି ତୃତୀୟ ସ୍ଥାନକୁ ପଦୋନ୍ନତି ପାଇଥିଲେ। ସେ ମଧ୍ୟ ଏହାର ଭରପୁର ଫାଇଦା ଉଠାଇଥିଲେ। କୁକ୍‌ ଓ ମୋଇନ ଧିରେଧିରେ ଇଂଲଣ୍ଡ ପାଳିକୁ ଆଗେଇ ନେଇଥିଲେ। କୁକ୍‌ ଅଭେଦ୍ୟ ମନେ ହେଉଥିଲା ବେଳେ ବୁମ୍‌ରା ଏକ ସୁନ୍ଦର ବଲ୍‌ରେ ତାଙ୍କୁ ବୋଲ୍ଟ କରି ଭାରତକୁ ଦ୍ୱିତୀୟ ସଫଳତା ଉପହାର ଦେଇଥିଲେ। ସେହି ଓଭରରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ବି ବୁମରା ପାଭିଲିୟନ ଫେରାଇ ଦେଇଥିଲେ। ୬୪ତମ ଓଭରର ଚାରିଟି ବଲ୍‌ ଭିତରେ ଦୁଇଟି ଝଟ୍‌କା ଲାଗିବା ପରେ ଇଂଲଣ୍ଡର ସମସ୍ୟା କମି ନଥିଲା। ପରବର୍ତୀ ଓଭରରେ ଜନି ବେୟାରଷ୍ଟୋଙ୍କୁ ଈଶାନ୍ତ ଶିକାର କରି ନେଇ ଭାରତକୁ ଖେଳକୁ ଫେରାଇ ଆଣିଥିଲେ। ଉଭୟ ରୁଟ୍‌ ଏବଂ ବେୟାରଷ୍ଟୋ ଖାତା ଖୋଲି ପାରି ନଥିଲେ। ସେହିଭଳି ବିପଜ୍ଜନକ ବେନ୍‌ ଷ୍ଟୋକ୍ସ (୧୧) ଜମିବା ପୂର୍ବରୁ ଜାଦେଜା ତାଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରି ନେଇଥିଲେ। ଈଶାନ୍ତ ୮୩ତମ ଓଭରରେ ଦୁଇଟି ଝଟ୍‌କା ଦେବା କିନ୍ତୁ ଇଂଲଣ୍ଡକୁ ସଂପୂର୍ଣ୍ଣ ଦୋହଲାଇ ଦେଇଥିଲା। ମୋଇନଙ୍କୁ ଅର୍ଧଶତକର ଠିକ୍‌ ପରେ ପରେ ଋଷବ ପନ୍ତଙ୍କ ହାତରେ କ୍ୟାଚ୍‌ କରାଇବା ପରେ ସାମ୍‌ କରନଙ୍କୁ ଖାତା ଖୋଲିବାର ସୁଯୋଗ ଦେଇ ନଥିଲେ ଈଶାନ୍ତ। ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଜୋସ୍‌ ବଟଲର ୧୧ ଏବଂ ଆଦିଲ ରସିଦ ୪ ରନ୍‌ କରି ଅପରାଜିତ ରହିଛନ୍ତି।

ସମ୍ବନ୍ଧିତ ଖବର