ଆଫ୍‌ଗାନିସ୍ତାନ ଟେଷ୍ଟ ପାଇଁ ଦଳ ଘୋଷଣା ୮ରେ

ଅଧିକାଂଶ ନୂଆ ମୁହଁ ସାମିଲ ହେବେ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଐତିହାସିକ ଆଫ୍‌ଗାନିସ୍ତାନ ଟେଷ୍ଟ ପାଇଁ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ସମ୍ଭବତଃ ଆସନ୍ତା ୮ ତାରିଖରେ ଘୋଷିତ ହେବ। ହେଲେ ଏହି ଟେଷ୍ଟରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅଧିକାଂଶ ପ୍ରମୁଖ ଖେଳାଳି ନଖେଳିବାର ଆଶଙ୍କା ରହିଛି। ବିଶେଷକରି ଆଗାମୀ ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍‌ ବୋର୍ଡ ଅଧିକାଂଶ ନୂଆ ମୁହଁକୁ ଏହି ଟେଷ୍ଟରେ ପରୀକ୍ଷାନିରୀକ୍ଷା କରିବାକୁ ଚାହୁଁଥିବାରୁ ଏକ ଦ୍ୱିତୀୟସ୍ତରର ଦଳ ଚୟନ କରାଯିବାର ସମ୍ଭାବନା ରହିଛି। ମୁଖ୍ୟତଃ ଅତି କମ୍‌ରେ ୮ ଜଣ ନୂଆ ମୁହଁ ତଥା ଯୁବ ପ୍ରତିଭାଙ୍କୁ ସାମିଲ କରି ଦଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଶ୍ରୀଲଙ୍କାରେ ଆୟୋଜିତ ହୋଇଯାଇଥିବା ନିଦାସ୍‌ ଟ୍ରଫି ପାଇଁ ଦଳର ସଦସ୍ୟ ଥିବା ଯୁବ ଖେଳାଳିମାନେ ଆଫ୍‌ଗାନିସ୍ତାନ ବିପକ୍ଷ ଟେଷ୍ଟ ଖେଳିବାର ସୁଯୋଗ ପାଇବେ ବୋଲି ପ୍ରଶାସକ ସମିତି (ସିଓଏ) ସୂତ୍ରରୁ ଜଣାପଡ଼ିଛି। ତେଣୁ କୋହଲିଙ୍କ ବ୍ୟତୀତ ଆଜିଙ୍କ୍ୟ ରହାଣେ, ଚେତେଶ୍ୱର ପୂଜାରା, ମୁରଲୀ ବିଜୟ, ଶିଖର ଧାଓ୍ଵନ୍‌, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ଈଶାନ୍ତ ଶର୍ମା, ଭୁବନେଶ୍ୱର କୁମାର ଏବଂ ଯଶ୍‌ପ୍ରିତ୍‌ ବୁମ୍‌ରାଙ୍କ ଭଳି ପ୍ରମୁଖ ଖେଳାଳି ଆଫ୍‌ଗାନିସ୍ତାନ ଟେଷ୍ଟ ଖେଳିବାରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇଛି। ଟେଷ୍ଟ ବିଶେଷଜ୍ଞମାନେ ଆଗୁଆ ଇଂଲଣ୍ଡ ଗସ୍ତ କରି ସେଠାର ପରିବେଶ ସହ ଖାପଖୁଆଇବାର ଯୋଜନା ରହିଥିବାରୁ ଏହି ପ୍ରମୁଖ ଖେଳାଳିମାନେ ଗୁରୁତ୍ୱହୀନ ଆଫ୍‌ଗାନିସ୍ତାନ ଟେଷ୍ଟରୁ ବଞ୍ଚିତ ହେବେ। କୋହଲି ଓ ଅଶ୍ୱିନ୍‌ ଆଇପିଏଲ୍‌ ପରେ କାଉଣ୍ଟି ଖେଳିବାକୁ ଚୁକ୍ତି କରିଥିଲା ବେଳେ ଆଇପିଏଲ୍‌ ସୁଯୋଗ ପାଇନଥିବା ପୂଜାରା ଓ ଈଶାନ୍ତ ଇଂଲଣ୍ଡରେ କାଉଣ୍ଟି ଚାମ୍ପିଅନ୍‌ସିପ୍‌ ଖେଳୁଛନ୍ତି। କାଉଣ୍ଟି ଖେଳୁଥିବା ଖେଳାଳିମାନେ ଇଂଲଣ୍ଡରେ ରହିବାକୁ ପରାମର୍ଶ ଦିଆଯାଇଥିଲା ବେଳେ ଅନ୍ୟ ପ୍ରମୁଖ ତିନି ଚାରି ଟେଷ୍ଟ ଖେଳାଳି ରାହୁଲ୍‌ ଦ୍ରାବିଡ୍‌ଙ୍କ ଅଧୀନରେ ଭାରତ-ଏ ଦଳ ସହ ଆଗୁଆ ଇଂଲଣ୍ଡ ଯାଇ ପରିବେଶ ସହ ପରିଚିତ ହେବେ। ଆଉ ଯଦି ଅତି ଆବଶ୍ୟକ ପଡେ, ତେବେ କିଛି ଖେଳାଳି ଇଂଲଣ୍ଡରୁ ଫେରି ଆଫ୍‌ଗାନିସ୍ତାନ ଟେଷ୍ଟ ଖେଳିପାରନ୍ତି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର