ଇଣ୍ଡିଆ ଟୁରିଜିମ୍‌ ମାର୍ଟରେ ବିଶ୍ୱକପ୍‌ର ପ୍ରଚାର

ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ‘ଇଣ୍ଡିଆ ଟୁରିଜିମ୍‌ ମାର୍ଟ’ରେ ଭୁବନେଶ୍ୱର ହକି ବିଶ୍ୱକପ୍‌ର ପ୍ରଚାର କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଏଥିଲାଗି ଖୋଲା ଯାଇଥିବା ସ୍ୱତନ୍ତ୍ର ଷ୍ଟଲ୍‌ରେ ‘ସକାଳେ ଓଡ଼ିଶା, ସଂଧ୍ୟାରେ ହକି’ ସ୍ଲୋଗାନ ଲେଖାଯାଇ ଦେଶ ବିଦେଶରୁ ଆସିଥିବା ଗ୍ରାହକଙ୍କୁ ହକି ବିଶ୍ୱକପ୍‌ ସହ ଓଡ଼ିଶାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବିଷୟରେ ଅବଗତ କରାଯାଇଥିଲା। ଏଥିରେ ଉତ୍ତର ଆମେରିକା, ପଶ୍ଚିମ ୟୁରୋପ, ପୂର୍ବ ଏସିଆ, ଲାଟିନ ଆମେରିକା ଏବଂ ବିଭିନ୍ନ ରାଜ୍ୟଗୋଷ୍ଠୀ ଦେଶର ୨୨୫ ଅନ୍ତର୍ଜାତୀୟ ଗ୍ରାହକ ଅଂଶ ଗ୍ରହଣ କରିଥିଲେ। ସେହିଭଳି ୬୦ ଦେଶର ଟ୍ରାଭେଲ ଆଣ୍ଡ ଟୁର ଅପରେଟର ମଧ୍ୟ ଏଥିରେ ଭାଗ ନେଇଥିଲେ। ଓଡ଼ିଶା ପର୍ଯ୍ୟଟନର ପ୍ରତିନିଧିମାନେ ସେମାନଙ୍କୁ ଓଡ଼ିଶାରେ ଥିବା ଦୁଃସାହସିକ ପର୍ଯ୍ୟଟନର ସମ୍ଭାବନା ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ବିଷୟରେ ବୁଝାଇବା ସହ ହକି ବିଶ୍ୱକପ୍‌ ବେଳେ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ। ଏଥିନେଇ କ୍ରୀଡ଼ା ସଚିବ ବିଶାଳ ଦେବ କହିଛନ୍ତି ଯେ କ୍ରୀଡ଼ା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ। ଭୁବନେଶ୍ୱର ହକି ବିଶ୍ୱକପ୍‌କୁ ଆଉ ମାତ୍ର ୭୩ ଦିନ ଥିବାରୁ ଆମେ ଅଂଶ ଗ୍ରହଣ କରୁଥିବା ସମସ୍ତ ପର୍ଯ୍ୟଟନ ମେଳାରେ ଏହାର ପ୍ରଚାର ଓ ପ୍ରସାର କରିବୁ। ଇଣ୍ଡିଆ ମାର୍ଟ ଭଳି ମଞ୍ଚ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପାଇଁ ନିଶ୍ଚିତ ଭାବେ ଏକ ବଳିଷ୍ଠ ମାଧ୍ୟମ। ସୂଚନାଯୋଗ୍ୟ ଯେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ପର୍ଯ୍ୟଟନ ବଜାର ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର