ଆଡିଲେଡ ଦିନିକିଆରେ ହିରୋ ହେଲେ ଧୋନି, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୬ ଓ୍ଵିକେଟ୍‌ରେ ବିଜୟୀ, ୧-୧ରେ ଶୃଙ୍ଖଳା

ଆଡିଲେଡ଼: ଦର୍ଶକପୂର୍ଣ୍ଣ ଆଡିଲେଡ ଦିନିକିଆରେ ଏମ୍‌ଏସ୍‌ ଧୋନି ପୁଣି ଥରେ ହିରୋ ଭାବରେ ଉଭା ହୋଇଛନ୍ତି। ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆର ଶେଷ ଓଭରରେ  ଭାରତ ୬ ଓ୍ଵିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅନ୍ତିମ ଓଭରରେ ୭ ରନ୍‌ ଦରକାର ଥିବା ବେଳେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କୁଲ୍‌ ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି(ଅପରାଜିତ ୫୫ ରନ୍‌, ୫୪ ବଲ୍‌, ୨ଛକା)  ଓଭରର ପ୍ରଥମ ବଲକୁ ଛକା ମାରି ପ୍ରଶଂସକଙ୍କ ମନରେ ଆଶାର ସଂଚାର ଆଣିଥିଲେ।  ଧୋନି ୨ୟ ବଲ୍‌ରେ ଆଉ ଗୋଟିଏ ରନ୍‌ କରି ଭାରତକୁ ବିଜୟୀ କରିଥିଲେ।ଭାରତ ୪୯.୨ ଓଭରରେ ଆବଶ୍ୟକ ଲକ୍ଷ୍ୟ ୨୯୯ ରନ୍‌ ପୂରା କରିଛି।

ଆଡିଲେଡ ମୁକାବିଲାରେ ଭାରତ ବିଜୟୀ ହେବା ପରେ ୩ ମ୍ୟାଚ ଦିନିକିଆର ଶୃଙ୍ଖଳା ଏବେ ୧-୧ରେ ପହଂଚିଛି। ଫାଇନାଲ ମୁକାବିଲା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଜାନୁଆରି ୧୮ରେ ଖେଳାଯିବ। ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୯୮ ରନ କରିଥିଲା।

ଦ୍ୱିତୀୟ ଇନିଂସରେ ୨୯୯ ରନ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ କରିଥିଲା। ଇନିଂସ ଆରମ୍ଭରୁ ଭାରତ ଭଲ ବ୍ୟାଟିଂ କରିଥିଲା। ପ୍ରଥମ ଓ୍ଵିକେଟ ଭାବରେ ୪୪ ରନ୍‌ରେ ଶିଖର ଧାଓ୍ଵନ ଓ ଦ୍ୱିତୀୟ ଓ୍ଵିକେଟ୍‌ ଭାବରେ ୧୦୧ ରନ୍‌ରେ ରୋହିତ ଶର୍ମାଙ୍କୁ ହରାଇଥିଲା। ଅଷ୍ଟ୍ରେଲିଆର ୩ୟ ଶିକାର ୧୬୦ ରନରେ ଅମ୍ବାତି ରାୟଡୁ ହୋଇଥିଲେ। ଚତୁର୍ଥ ଓ୍ଵିକେଟରେ ଭାରତ ଏକ ବିଶାଳ ଭାଗିଦାରୀ ହୋଇଥିଲା। ବିରାଟ କୋହଲି ଆଉଟ୍‌ ହେବା ପୂର୍ବରୁ ଶତକ ହାସଲ କରିଥିଲେ।

ଭାରତର ଓପନର ରୋହିତ ଶର୍ମା ଷ୍ଟୋନିସ୍‌ଙ୍କ ବଲରେ ହେଣ୍ଡସ୍କମଙ୍କ ଦ୍ୱାରା କ୍ୟାଚ ହୋଇ ପଭଲିଅନ୍‌ ଫେଣିବା ପୂର୍ବରୁ ୫୨ଟି ବଲ ଖେଳି ୪୩ ରନ୍‌ ଯୋଡ଼ିଥିଲେ। ଏଥିରେ ୨ଟି ଚୌକା ଓ ୨ ଛକା ମାରିଥିଲେ। ଅନ୍ୟତମ ଓପନର ଶିଖର ଧାଓ୍ଵନ୍‌ ବେହେରାନ ଡ୍ରଫଙ୍କ ବଲ ଉସମାନ ଖଓ୍ଵାଜାଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ। ଧାଓ୍ଵନ୍‌ ୨୮ଟି ବଲ ଖେଳି ୩୨ ରନ ଯୋଡ଼ିଥିଲେ। ଏଥିରେ ୫ ଚୌକା ସାମିଲ ଥିଲା।

ଭାରତର ସ୍କୋରକୁ ଏକ ଉଚ୍ଚ ସ୍ତରରେ ପହଂଚାଇଥିଲେ ବିରାଟ କୋହଲି (୧୦୪ ରନ୍‌)। ୧୧୨ ବଲ ଖେଳି ସେ ୫ ଚୌକା ଏବଂ ୨ ଛକା ମାରିଥିଲେ। ରିଚାର୍ଡସନଙ୍କ ବଲ ମେକ୍ସେଓ୍ଵଲ୍‌ଙ୍କୁ କ୍ୟାଚ ଦେଇ କୋହଲି ପାଭଲିଅନ୍‌ ଫେରିଥିଲେ। ମେକ୍ସେଓ୍ଵଲଙ୍କ ବଲ ଷ୍ଟୋନିସଙ୍କୁ ଦେଇ ଅମ୍ବାତି ରାୟଡୁ (୨୪) ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର