ପର୍ଥ ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୭୭/୬, ଈଶାନ୍ତ-ହନୁମାଙ୍କୁ ୨-୨ ଓ୍ଵିକେଟ୍‌

ପର୍ଥ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଶୁକ୍ରବାର ୬ଟି ଓ୍ଵିକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଛି। ଚାରି ଟେଷ୍ଟ ମ୍ୟାଚ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଆରମ୍ଭରୁ ସତର୍କତାର ସହିତ ଖେଳିଛି। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ଓ ହନୁମା ବିହାରୀଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ ଯଶପ୍ରୀତ ବୁମରା ଏବଂ ଉମେଶ ଯାଦବଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି। ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ (୧୬) ଏବଂ ପେଟ କମିନସ (୧୧) ଅପରାଜିତ ରହି କ୍ରିଜ୍‌ରୁ ବିଦାୟ ନେଇଛନ୍ତି।

ଦିନର ଶେଷ ଓ୍ଵିକେଟ ଭାବରେ ଟ୍ରାଭିସ ହେଡ (୫୮ ରନ, ୮୦ ବଲ ଓ ୬ ଚୌକା) ଥିଲେ। ଈଶାନ୍ତ ଶର୍ମାଙ୍କ ବଲ ମହମ୍ମଦ ସାମିଙ୍କୁ କ୍ୟାଚ ଦେଇ ହେଡ୍‌ ପାଭଲିଅନ୍‌ ଫେରିଥିଲେ। ଚଳିତ ଶୃଙ୍ଖଳାରେ ହେଡଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ ଥିବା ବେଳେ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ। ଏହା ପୂର୍ବରୁ ହନୁମା ବିହାରୀଙ୍କ ବଲରେ ସନ୍‌ ମାର୍ଶ (୪୫) ପାଭଲିଅନ ଫେରିଥିଲେ। ସ୍ଲିପରେ ମାର୍ଶଙ୍କ କ୍ୟାଚ ନେଇଥିଲେ ଆଜିଙ୍କ୍ୟ ରାହାଣେ। ଅଷ୍ଟ୍ରେଲିଆର ସ୍କୋର ୨୩୨ ରନ୍‌ରେ ୫ଟି ଓ୍ଵିକେଟର ପତ୍ତନ ଘଟିଥିଲା। ମାର୍ଶ ଏବଂ ହେଡ ୫ମ ଓ୍ଵିକେଟ ପାଇଁ ୮୪ ରନ୍‌ ଯୋଡ଼ିଥିଲେ।

ଚା’ ବିରତି ପରେ ପିଟର ହ୍ୟୃାଣ୍ଡସକମ୍ବ (୭)ଙ୍କୁ ବିରାଟ କୋହଲି ୨ୟ ସ୍ଲିପରେ କ୍ୟାନ ନେଇଥିଲେ। ଈଶାନ୍ତ ଶର୍ମା ଭାରତକୁ ୪ର୍ଥ ଓ୍ଵିକେଟ ଦେଇଥିଲେ। ୧୪୮ ରନ୍‌ରେ କଙ୍ଗାରୁ ଦଳ ଏହି ଓ୍ଵିକେଟ୍‌ ହରାଇଥିଲା। ମାକର୍ସ ହ୍ୟାରିସ (୭୦ ରନ୍‌, ୧୪୧ ବଲ)ଙ୍କୁ ହନୁମା ବିହାରୀ ନିଜର ଯାଦୁକାରୀ ବୋଲିଂ ମାଧ୍ୟମରେ ରାହାଣେଙ୍କ ଦ୍ୱାରା ଆଉଟ୍‌ କରାଇଥିଲେ। ଅଷ୍ଟ୍ରେଲିଆ ୧୩୪ ରନ୍‌ରେ ନିଜର ୩ୟ ଓ୍ଵିକେଟ୍‌ ହରାଇଥିଲା। ପୂର୍ବରୁ ଉମେଶ ଯାଦବ ଉସ୍ମାନ ଖବଜା (୫)ଙ୍କୁ ପାଭଲିଅନ ପଠାଇଥିଲେ। ୧୩୦ ରନ୍‌ରେ ଅଷ୍ଟ୍ରେଲିଆ ୨ୟ ଓ୍ଵିକେଟ ହରାଇଥିଲା। ସେହିପରି ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଆରୋନ ଫିଂଚ (୫୦ ରନ, ୧୦୫ ବଲ, ୬ ଚୌକା)ଙ୍କ ଯଶପ୍ରୀତ ବୁମରା ଆଉଟ କରି ଭାରତକୁ ପ୍ରଥମ ଓ୍ଵିକେଟ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର