ବ୍ରିସ୍‌ବନ୍‌ରୁ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ କରିବ ଭାରତ

ଡିସେମ୍ବର ୩ରୁ ପ୍ରଥମ ଟେଷ୍ଟ୍‌, କ୍ବାରେଣ୍ଟାଇନ୍‌ ‌ବ୍ୟବସ୍ଥା ନାହିଁ

ମେଲ୍‌ବର୍ନ : କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଅର୍ଥାଭାବ ଯୋଗୁଁ ୪ଟି ଷ୍ଟାଡିୟମରେ ତାଲା ପକାଇ ଦେଇଛି। ହେଲେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୩ ତାରିଖରୁ ବ୍ରିସବେନ୍‌ରେ ଆୟୋଜିତ ହେବାକୁ ସ୍ଥିର ହୋଇଛି। ଅଷ୍ଟ୍ରେଲିଆର ଦୁଇଟି ଗଣମାଧ୍ୟମ ‌୭ନ୍ୟୁଜ୍‌.କମ୍‌.ଏୟୁ ଏବଂ ସିଡନି ମର୍ନିଂ ହେରାଲ୍ଡ (ଏସ୍‌ଏମ୍‌ଏଚ୍‌)ରେ ପ୍ରକାଶ ପାଇଛି ଯେ ୪ ‌ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଲାଗି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଶୁକବ୍ରାର ‘ସିଏ’ର ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍ ରୋବର୍ଟ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିବେ। ପରିଦର୍ଶକମାନଙ୍କ ପାଇଁ କୌଣସି ସଂଗରୋଧ ବ୍ୟବସ୍ଥା କିମ୍ବା “ବାୟୋ ବବୁଲ୍” କରାଯିବ ନାହିଁ।

ମହାମାରୀ କରୋନା ଯୋଗୁଁ ଏହି ଗସ୍ତର ଭାଗ୍ୟ ଏବେ ବି କଳ୍ପନାଜଳ୍ପନାରେ ରହିଛି। ତଥାପି ଡିସେମ୍ବର ୩ରୁ ବ୍ରିସ୍‌ବନ୍‌ରେ ପ୍ରଥମ ଏବଂ ଦ୍ବିତୀୟ ଟେଷ୍ଟ୍‌ ୧୧ ତାରିଖରେ ଆଡିଲେଡ୍‌ରେ ଖେଳାଯିବ। ସେହିପରି ମେଲ୍‌ବର୍ନ ଓ ସିଡ୍‌ନିରେ ପାରମ୍ପରିକ ବକ୍ସିଂ ଡେ (ଡିସେମ୍ବର ୨୬) ଏବଂ ନୂତନ ବର୍ଷ ଟେଷ୍ଟ୍‌ (ଜାନୁଆରି ୩) ପାଇଁ ‘ସିଏ’ ବୁଧବାର ଯୋଜନା କରିଛି ବୋଲି ୭ନ୍ୟୁଜ୍‌.କମ୍‌.ଏୟୁରେ ପ୍ରକାଶ ପାଇଛି। ଆଡିଲେଡରେ ଦିବାରାତ୍ର ଟେଷ୍ଟ୍‌ ହେବାର ଆଶା ରହିଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏଥିଲାଗି ସମ୍ମତି ଦେଇସାରିଥିବା କୁହାଯାଉଛି।

ଆଫଗାନିସ୍ତାନ ବିପକ୍ଷରେ ପର୍ଥରେ ଗୋଲାପି ବଲ୍‌ ମ୍ୟାଚ୍ ସହ ଅଷ୍ଟ୍ରେଲୀୟ ସମର୍‌ ଟେଷ୍ଟ୍‌ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ବ୍ରିସବନ୍‌ ଭାରତ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ଆୟୋଜନ ଅଧିକାର ହାସଲ କରିଛି ବୋଲି ନିକଟରେ ଏସ୍‌ଏମ୍‌ଏଚ୍‌ରେ ପ୍ରକାଶ ପାଇଥିଲା। ଶୁକ୍ରବାର ‘ସିଏ’ ୨୦୨୦-୨୧ ଋତୁ ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟସୂଚୀ ଘୋଷଣା କରିବ। ଏଥିରେ ପୁରୁଷ ଦଳ ଅଂଶଗ୍ରହଣ କରିବାକୁ ଥିବା ୫ ଅନ୍ତର୍ଜାତୀୟ ରହିବ। କିନ୍ତୁ ବିଶ୍ବ ସ୍ୱାସ୍ଥ୍ୟ ସଙ୍କଟ କାରଣରୁ ଏଥିରେ ପରିବର୍ତ୍ତନ ହେବ ବୋଲି ଏସ୍‌ଏମ୍‌ଏଚ୍‌ରେ ପ୍ରକାଶ ପାଇଛି। ୭ନ୍ୟୁଜ୍‌.କମ୍‌.ଏୟୁରେ କୁହାଯାଇଛି ଯେ ଅଷ୍ଟ୍ରେଲିଆର କରୋନା ଭୂତାଣୁ ସ୍ଥିତି ହ୍ରାସ ପାଇଥିବାରୁ ସଂଗରୋଧ ବ୍ୟବସ୍ଥା ବିନା ଶୃଙ୍ଖଳା ଆୟୋଜିତ ହେବାର ସମ୍ଭାବନା ରହିଛି। ଗୋଟିଏ ସହରରେ ଆୟୋଜିତ ହୋଇଥିଲେ ଏଭଳି ସମ୍ଭାବନା ଥିଲା। ହେଲେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମ୍ୟାଚ୍‌ ଦେଖିବାକୁ ପ୍ରଶଂସକଙ୍କୁ ଅନୁମତି ଦିଆଯିବ କି ନାହିଁ? ବୋଲି ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର