ଭାରତ ବନାମ ନ୍ୟୁଜିଲାଣ୍ଡ, ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରବିବାର ଅପରା‌ହ୍‌ଣରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭରତୀୟ କ୍ରିକେଟ୍ ଦଳ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ପ୍ରଥମ ମୁକାବିଲାକୁ ୬ ୱିକେଟ୍‌ରେ ହାରିଥିବା ନ୍ୟୁଜିଲାଣ୍ଡ ରବିବାରର ଦ୍ବିତୀୟ ଲଢ଼େଇକୁ ଜିତି ସ୍ଥିତି ୧-୧ କରିବା ଆଶାରେ ଥିବ। ଭାରତ ପ୍ରଥମ ମ୍ୟାଚ୍‌ରେ ଚମକପ୍ରଦ ବିଜୟ ହାସଲ କରିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ଅପରିବର୍ତିତ ଦଳ ଦେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ହେଲେ ଘରୋଇ ନ୍ୟୁଜିଲାଣ୍ଡ ତା’ର ଚୂଡ଼ାନ୍ତ ଦଳରେ କିଛିଟା ଅଦଳ ବଦଳ କରିପାରେ।

ପ୍ରଥମ ମୁକାବିଲାରେ ଯଶ୍‌ପ୍ରୀତ ବୁମରାଙ୍କୁ ଛାଡ଼ି ଅନ୍ୟ ସମସ୍ତ ଭାରତୀୟ ବୋଲର ଓଭର ପିଛା ୮ରୁ ଅଧିକ ରନ୍ ବ୍ୟୟ କରିଥିଲେ। ମହମ୍ମଦ ସାମି ୪ ଓଭରରେ ୫୩ ଏବଂ ଶାର୍ଦୁଲ ଠାକୁର ୩ ଓଭରରେ ୪୪ ରନ୍ ଦେଇଥିଲେ। ସାମି ଦଳରେ ରହିବା ଏକପ୍ରକାର ନିଶ୍ଚିତ ଥିବାରୁ ଶାର୍ଦୁଲଙ୍କ ସ୍ଥାନରେ ଅଧିନାୟକ ବିରାଟ କୋହଲି ନଭଦୀପ ସୈନିଙ୍କୁ ସୁଯୋଗ ଦେଇପାରନ୍ତି। ଅକ୍‌ଲାଣ୍ଡର ଛୋଟ ପଡ଼ିଆରେ କିନ୍ତୁ ସୈନିଙ୍କ ଗତି ତାଙ୍କ ବିପକ୍ଷରେ ଯାଇପାରେ। ଭାରତ ପାଖରେ ଜଣେ ଅତିରିକ୍ତ ସ୍ପିନର ଖେଳାଇବାର ମଧ୍ୟ ବିକଳ୍ପ ରହିବ। ଜଣେ ଅଧିକ ସ୍ପିନର ଖେଳିଲେ ଅଲରାଉଣ୍ଡର ଶିଭମ ଦୁବେ ତୃତୀୟ ଦ୍ରୁତ ବୋଲର ଦାୟିତ୍ବ ତୁଲାଇବେ। ପ୍ରଥମ ମୁକାବିଲାରେ ମଧ୍ୟକ୍ରମ ବହୁତ ଭଲ କରିଥିବାରୁ ଭାରତୀୟ ବ୍ୟାଟିଂ ବାହିନୀରେ ଅଦଳ ବଦଳ ହେବା ସମ୍ଭାବନା କମ୍। ନ୍ୟୁଜିଲାଣ୍ଡ ପାଖରେ ମଧ୍ୟ ଅଲ୍‌ରାଉଣ୍ଡର ସ୍କଟ୍ କୁଗେଲିନ୍ ଓ ଡାରିଲ ମିଚେଲଙ୍କୁ ଦଳରେ ନେବାର ବିକଳ୍ପ ରହିବ। ପ୍ରଥମ ଟ୍ବେଣ୍ଟି-୨୦ରେ କାକରର ପ୍ରଭାବ ଦେଖିବାକୁ ମିଳିଥିଲା। ଟସ୍ ବେଳେ ଉଭୟ ଅଧିନାୟକ ଏହାକୁ ଧ୍ୟାନରେ ରଖିବେ। ତେବେ ବ୍ୟାଟିଂ ପିଚ୍ ହୋଇଥିବାରୁ ଶୁକ୍ରବାର ଭଳି ରବିବାର ମଧ୍ୟ ଦର୍ଶକ ରନ୍ ବର୍ଷା ଦେଖିବେ। ‌ନ୍ୟୁଜିଲାଣ୍ଡ ସ୍ପିନର ଈଶ୍ ସୋଢ଼ି ଆଉ ଗୋଟିଏ ୱିକେଟ୍ ନେଲେ ଟ୍ବେଣ୍ଟି-୨-୦ରେ ୫୦ ୱିକେଟ୍ ପୂରଣ କରିବେ। ଅକଲାଣ୍ଡର ଇଡେନ୍ ପାର୍କରେ ଖେଳା ଯାଇଥିବା ଗତ ୬ ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିବା ଦଳ ମାତ୍ର ଥରେ ବିଜୟୀ ହୋଇଛି। ସେଥିପାଇଁ ରବିବାର ଟସ୍ ଜିତିବା ଦଳ ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବ।

 

ସମ୍ବନ୍ଧିତ ଖବର