ମାଞ୍ଚେଷ୍ଟର : କୋଟି କୋଟି କ୍ରିକେଟ୍ପ୍ରେମୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ବିଶ୍ବକପ୍ରେ ଭାରତ-ପାକିସ୍ତାନ ମହାମୁକାବିଲା ପାଇଁ ବିଗୁଲ ବାଜିଛି। ମଞ୍ଚ ଓ ଖେଳାଳି ବି ପ୍ରସ୍ତୁତ ଅଛନ୍ତି। ଆଉ ମାତ୍ର କିଛି ଘଣ୍ଟା ପରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍ରେ ଚାଲିବ ମହାଲଢ଼େଇ। ଚିର ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ। ସାରା ବିଶ୍ବର ନଜର ରହିଛି ଏହି ମ୍ୟାଚ୍ ଉପରେ। ଉଭୟ ଭାରତ ଓ ପାକିସ୍ତାନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ରଜ ମଉଜ ଭିତରେ ମାଞ୍ଚେଷ୍ଟର ମ୍ୟାଚ୍କୁ ନେଇ ଏବେ ପାନ ଦୋକାନଠାରୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ସବୁଠି ଚର୍ଚା। ଟିମ୍ ଇଣ୍ଡିଆ ବିଜୟକୁ ନେଇ ଭାରତରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପାକିସ୍ତାନରେ ମାହୋଲ ମଧ୍ୟ ବେଶ୍ ଉତ୍ସବମୁଖର ରହିଛି। ଭାରତ-ପାକିସ୍ତାନ ସଂପର୍କରେ ତିକ୍ତତା ସହ ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତାର ଲଢ଼େଇ ପାଇଁ ଏହି ମ୍ୟାଚ୍ର ମହତ୍ବ ଆହୁରି ବଢ଼ିଯାଇଛି। ଏହି ଦୁଇ ଦକ୍ଷୀଣ ଏସୀୟ ପଡ଼ୋଶୀ ଆସନ୍ତାକାଲି ବିଶ୍ବକପ୍ରେ ସପ୍ତମ ଥର ପାଇଁ ପରସ୍ପରକୁ ଭେଟିବେ। ତେବେ ବର୍ଷା ସବୁକିଛି ବିଗାଡ଼ି ଦେଇପାରେ। ସବୁ ଉତ୍ସାହ ଓ ଚର୍ଚାକୁ ଫିକା କରି ଦେଇପାରେ। ରବିବାର ମାଞ୍ଚେଷ୍ଟରରେ ବର୍ଷା ହେବାର ପୂର୍ବାନୁମାନ ଆଇସିସି, ଆୟୋଜକ ଏବଂ ପ୍ରଶଂସକଙ୍କୁ ଚିନ୍ତାରେ ରଖିବ।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ୍ରେ ଅପରାଜେୟ ରହିଛି। ୬ ମ୍ୟାଚ୍ରୁ ୬ ବିଜୟ ହାସଲ କରିଛି। ରବିବାର ମଧ୍ୟ ଏହି ଧାରା ବଜାୟ ରଖିବା ଲାଗି କୋହଲି ବାହିନୀ ମଇଦାନକୁ ଓହ୍ଲାଇବ। ସେପଟେ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ବିଜୟର ସ୍ମତିକୁ ପାଥେୟ କରି ପାକିସ୍ତାନ ବିଶ୍ବକପ୍ରେ ଭାରତ ବିପକ୍ଷରେ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ମୋଟ ମ୍ୟାଚ୍ରେ କିନ୍ତୁ ପାକିସ୍ତାନ ଆଗୁଆ ରହିଛି। ଭାରତ-ପାକିସ୍ତାନ ଆଜି ପର୍ଯ୍ୟନ୍ତ ୧୩୧ ଏକଦିବସୀୟ ମୁକାବିଲା ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୫୪ ଏବଂ ପାକିସ୍ତାନ ୭୩ ମ୍ୟାଚ୍ରେ ବିଜୟୀ ହୋଇଛି। ୪ଟିର ଫଳାଫଳ ମିଳିନାହିଁ।
ରବିବାର ଶିଖର ଧାୱନଙ୍କ ବଦଳରେ ପାଳି ଆରମ୍ଭ କରିବାକୁ ଯାଉଥିବା ଲୋକେଶ ରାହୁଲଙ୍କ କ୍ରିକେଟ୍ କଳା କୌଶଳ ମହମ୍ମଦ ଆମିର ଓ ୱାହାବ ରିଆଜଙ୍କ ସମ୍ମୁଖରେ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ରୋକିବାକୁ ପାକିସ୍ତାନ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ। ଯଶପ୍ରୀତ ବୁମରାଙ୍କ ଅଣପାରମ୍ପରିକ ବୋଲିଂ ଶୈଳୀ ସହ ଭୁବନେଶ୍ବର କୁମାରଙ୍କ ସୁଇଂ ଓ ୟୁଜବେନ୍ଦ୍ର ଚହଲଙ୍କ ଚତୁର ସ୍ପିନ୍ ମଧ୍ୟ ପାକିସ୍ତାନ ପାଇଁ ବଡ଼ ଚ୍ୟାଲେଞ୍ଜ।
ମାଞ୍ଚେଷ୍ଟରରେ ପଡ଼ିଆ ଭିତରେ ଖେଳାଳି ଖେଳାଳି ଭିତରେ ଲଢ଼େଇ ଚାଲୁଥିଲା ବେଳେ ପ୍ରଶଂସକ-ପ୍ରଶଂସକ ଭିତରେ ମଧ୍ୟ ନିଆରା ମୁକାବିଲା ଚାଲିବ। ସେଥିପାଇଁ ପୂର୍ବତନ ଖେଳାଳିଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଦଳକୁ କିଛି ନା କିଛି ପରାମର୍ଶ ଦେଉଛନ୍ତି।। ମାଞ୍ଚେଷ୍ଟର ମହାମୁକାବିଲାକୁ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଓ ୱାସିମ ଆକ୍ରମ ମଧ୍ୟ ନିଜ ନିଜ ଦଳକୁ ବଡ଼ ମ୍ୟାଚ୍ ପୂର୍ବରୁ ଗୁରୁମନ୍ତ୍ର ଦେଇଛନ୍ତି। ଭାରତୀୟ ଅଧିନାୟକ କୋହଲି ଏହି ଲଢ଼େଇକୁ ବିଶ୍ବକପର ଆଉ ଏକ ମ୍ୟାଚ୍ ଭାବେ ବର୍ଣ୍ଣନା କରିଛନ୍ତି। ଭଲ ଖେଳିଲେ ନିଶ୍ଚିତ ବିଜୟୀ ହେବାକୁ ବୋଲି ଦମ୍ଭ ଭରିଛନ୍ତି। ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ କ୍ଷେତ୍ରରକ୍ଷଣର ସ୍ତର ବଢ଼ାଇବାକୁ ନିଜ ଖେଳାଳିଙ୍କୁ ଆହ୍ବାନ କରିଛନ୍ତି। ସେପଟେ ପାକିସ୍ତାନକୁ ହାଲକା ଭାବେ ନେବାକୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବିରାଟ ବାହିନୀକୁ ଚେତାଇ ଦେଇଛନ୍ତି।