ପ୍ରଥମ ଟି-୨୦: ୱେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ, କୋହଲି-ରାହୁଲଙ୍କ ଅର୍ଦ୍ଧଶତକ

ହାଇଦ୍ରାବାଦ: ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଶୁକ୍ରବାର ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨୦୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ କରିଥିଲା। ଟିମ୍‌ ୧୮.୪ ଓଭରରେ ୪ଟି ଓ୍ଵିକେଟ ହରାଇ ୨୦୯ ରନ୍‌ କରିଥିଲା। ପ୍ରଥମ ଟି-୨୦ରେ ବିଜୟ ହାସଲ କରିବା ପରେ ଭାରତ ଚଳିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି।

ଅଧିନାୟକ କୋହଲିଙ୍କୁ ଆଜି ପୁଣି ଥରେ ଉଗ୍ର ରୂପରେ ଦେଖିବାକୁ ମିଳିଛି। ସେ ୫୦ଟି ବଲ ଖେଳି ଅପରାଜିତ ୯୪ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୬ଟି ଚୌକା ଓ ୬ଟି ଛକା ସାମିଲ ଅଛି। ଓ୍ଵିକେଟକିପର ବ୍ୟାଟସ୍‌ମ୍ୟାନ୍‌ ଋଷଭ ପନ୍ତ ୧୮ ରନ୍‌ କରିଥିବା ବେଳେ ଶିବମ ଦୁବେ ଅପରାଜିତ ୪ ରନ୍‌ କରିଛନ୍ତି।

Hindustan Times

ଭାରତ ନିଜର ସ୍କୋର ୩୦ ରନ୍‌ ଥିବା ବେଳେ ପ୍ରଥମ ଓ୍ଵିକେଟ୍‌ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ୧୦ଟି ବଲର ସମ୍ମୁଖୀନ ହୋଇ ୮ ରନ୍‌ କରିଥିଲେ। ଭାରତ ଦ୍ୱିତୀୟ ଓ୍ଵିକେଟ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଲୋକେଶ ପାଭଲିଅନକୁ ଫେରିଯିବା ପୂର୍ବରୁ ୬୨ ରନ୍‌ କରିଥିଲେ। ଏଥିରେ ୫ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ଭାରତ ଦ୍ୱିତୀୟ ଓ୍ଵିକେଟରେ ୧୦୦ ରନ୍‌ ଯୋଡ଼ିଥିବା ବେଳେ ତୃତୀୟ ଓ୍ଵିକେଟରେ ୪୮ ରନ ଓ ୪ର୍ଥ ଓ୍ଵିକେଟରେ ୧୫ ରନ୍‌ ସଂଗ୍ରହ କରିଥିଲା।

ଭାରତୀୟ କ୍ରିକେଟ୍‌ ଟିମ୍‌ ଶୁକ୍ରବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ସିମ୍‌ରନ୍‌ ହେଟମେୟାରଙ୍କ ଅର୍ଦ୍ଧଶତକ (୫୬ ରନ୍‌, ୪୧ ବଲ, ୨ ଚୌକା, ୪ ଛକା) ବଳରେ  ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୨୦୭ ରନ୍‌ କରିଥିଲା।

ଭାରତୀୟ ବୋଲର ଦୀପକ ଚହରଙ୍କ ବଲରେ ଓପନର ଲେଣ୍ଡସି ସିମ୍‌ମୋନ ଆଉଟ ହୋଇ ପାଭଲିଅନ ଫେରିଯିବା ବେଳକୁ ୱେଷ୍ଟଇଣ୍ଡିଜ ୧୩ ରନ୍‌ ସଂଗ୍ରହ କରିଥିଲା। ଏହା ପରେ କ୍ରିଜକୁ ବ୍ରାଣ୍ଡନ କିଙ୍ଗ ଆସିଥିଲେ। ସେ ୨୩ଟି ବଲ ଖେଳି ୩୧ ରନ୍‌ ସଂଗ୍ରହ କରିବା ପରେ ଟିମ୍‌ର ୩ୟ ଓ୍ଵିକେଟ ଭାବେ ଆଉଟ୍‌ ହୋଇ ପଡ଼ିଆରୁ ବିଦାୟ ନେଇଥିଲେ। ଟିମ୍‌ ୬୪ ରନ୍‌ରେ ଦ୍ୱିତୀୟ ଓ୍ଵିକେଟ ଭାବେ ଇଭିନ ଲୁଇସ (୪୦ ରନ୍‌, ୧୭ ବଲ, ୩ ଚୌକା, ୩ ଛକା)ଙ୍କୁ ହରାଇଥିଲା। ଜସନ ହୋଲଡର (୨୪ରନ୍‌) ଓ ଦିନେଶ ରାମଦିନ (୧୧ ରନ୍‌) ଅପରାଜିତ ପଡ଼ିଆରୁ ଫେରିଥିଲେ। ଚତୁର୍ଥ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ ୭୦ ରନ୍‌ ସଂଗ୍ରହ କରିଥିବା ବେଳେ ସ୍କୋର ୧୭୩ ରନ୍‌ରେ ଅଧିନାୟକ କିରଣ ପୋଲାର୍ଡ ଆଉଟ୍‌ ହୋଇଥିଲେ।

ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ୨ଟି ଓ୍ଵିକେଟ ମିଳିଥିବା ବେଳେ ଓ୍ଵାସିଂଟନ ସୁନ୍ଦର, ଦୀପକ ଚହର ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର