ନର୍ଥ ସାଉଣ୍ଡ : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ଟିକିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାରଠାରୁ ଆଣ୍ଟିଗାର ନର୍ଥ ସାଉଣ୍ଡ ପଡ଼ିଆରେ ଆରମ୍ଭ ହେଉଛି। ଏହି ମ୍ୟାଚ୍ ବହୁ ପ୍ରତୀକ୍ଷିତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଅନ୍ତର୍ଗତ ଖେଳାଯିବ। ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ଭାରତର ଏହା ପ୍ରଥମ ମୁକାବିଲା ହେବ। ସୀମିତ ଓଭର ଶୃଙ୍ଖଳା (ଉଭୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦)କୁ ସହଜରେ ଜିତିବା ପରେ କୋହଲି ବାହିନୀ ଟେଷ୍ଟ କ୍ରିକେଟ୍ରେ ୱେଷ୍ଟଇଣ୍ଡିଜକୁ ପୁଣି ଥରେ ଧୂଳି ଚଟାଇବା ଲକ୍ଷ୍ୟରେ ରହିବ। ବିଜୟରୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଆରମ୍ଭ କରିବା ସହ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ଆଗୁଆ ହେବାର ଯୁଗଳ ଲକ୍ଷ୍ୟ ନେଇ ମଧ୍ୟ ଭାରତ ପଡ଼ିଆକୁ ଓହ୍ଲାଇବ। ଭାରତ ଓ ୱେଷ୍ଟଇଣ୍ଡିଜ୍ ପରସ୍ପର ବିପକ୍ଷରେ ଆଜି ପର୍ଯ୍ୟନ୍ତ ୯୬ ଟେଷ୍ଟ୍ ଖେଳିଛନ୍ତି। ସେଥିମଧ୍ୟରୁ ୱେଷ୍ଟଇଣ୍ଡିଜ୍ ୩୦ ଏବଂ ଭାରତ ୨୦ ଟେଷ୍ଟ୍ରେ ବିଜୟୀ ହୋଇଛି। ୪୬ ଟେଷ୍ଟ୍ ଅମୀମାଂସିତ ରହିଛି। ଫଳାଫଳ ଦୃଷ୍ଟିରୁ ଭାରତଠାରୁ ଇଣ୍ଡିଜ୍ ଢେର ଆଗରେ ରହିଛି। ତେବେ ୨୦୦୦ ମସିହା ପରେ ଭାରତର ବିଜୟ ହାର ଏହି ଦେଶ ତୁଳନାରେ ଯଥେଷ୍ଟ ଅଧିକ ରହିଛି।
ସବୁଜ ପିଚ୍, ଶୁଖିଲା ଆଉଟ୍ ଫିଲ୍ଡ ରୋହିତ, ହନୁମାଙ୍କ ଭିତରୁ ଜଣେ
ବିରାଟ କୋହଲି, ଚେତେଶ୍ବର ପୂଜାରା, ଲୋକେଶ ରାହୁଲ ଏବଂ ଅଜିଙ୍କ୍ୟ ରାହାଣେଙ୍କ ଉପସ୍ଥିତି ପାଇଁ ଭାରତୀୟ ବ୍ୟାଟିଂକ୍ରମ ବେଶ୍ ଶକ୍ତିଶାଳୀ ମନେ ହୁଏ। ହେଲେ ଜାସନ ହୋଲ୍ଡରଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜକୁ ହେୟ ମନେ କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଚଳିତ ବର୍ଷ ଇଂଲଣ୍ଡକୁ ୨-୧ରେ ହରାଇ ହୋଲ୍ଡରଙ୍କ ଦଳ ଏହାର ପ୍ରମାଣ ଦେଇ ସାରିଛି। ସେଥିପାଇଁ ଭାରତକୁ ଏକ ସନ୍ତୁଳିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ହାର୍ଦିକ ପାଣ୍ଡ୍ୟା ଦଳରେ ନଥିବାରୁ ଅଜିଙ୍କ୍ୟ ରାହାଣେ ପାଞ୍ଚ ନମ୍ବରରେ ଖେଳିପାରନ୍ତି। ରୋହିତ ଶର୍ମା, ହନୁମା ବିହାରୀ ଓ ରବୀନ୍ଦ୍ର ଜାେଦେଜାଙ୍କ ମଧ୍ୟରେ ଜଣକୁ କୋହଲି ଚୂଡ଼ାନ୍ତ ଏକାଦଶରେ ରଖିବାକୁ ଚାହିଁବେ। ମୟଙ୍କ ଅଗ୍ରୱାଲଙ୍କ ସହ ଲୋକେଶ ରାହୁଲଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ମିଳିପାରେ। ସବୁଜ ପିଚ୍ ଥିବାରୁ କୋହଲି ପାଞ୍ଚଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି। ସେଥିପାଇଁ କୁଲ୍ଦୀପ ଯାଦବ ଓ ଆର୍ ଅଶ୍ବିନ୍ଙ୍କ ମଧ୍ୟରୁ ଜଣେ ସ୍ପିନର ବାହାରେ ବସିପାରନ୍ତି। ୱେଷ୍ଟଇଣ୍ଡିଜ୍ ପାଖରେ ସାଇ ହୋପ୍, ଜନ୍ କ୍ୟାମ୍ପବେଲ୍ ଓ ସିମରନ୍ ହେଟମେରଙ୍କ ଭଳି ଖେଳାଳି ଅଛନ୍ତି। ୨୦୧୬ରେ ରଷ୍ଟନ ଚେଜଙ୍କ ଭଳି ଖେଳାଳି ଅଶ୍ବିନଙ୍କୁ ପୂରା ଦିନ ଘଣେଇ ଥିଲେ। ୫୨ ଟେଷ୍ଟରୁ ୩୫୦୦ ରନ୍ କରିଥିବା ଡାରେନ୍ ବ୍ରା ଭୋ ମଧ୍ୟ କିଛି କମ୍ ନୁହନ୍ତି।
ଦଳରେ ରହିପାରନ୍ତି ୩ ପେସର
ନର୍ଥ ସାଉଣ୍ଡ ପିଚ୍ରେ ଗତି ଏବଂ ଉଚ୍ଛାଳ ରହିବାର ପୂର୍ବାନୁମାନ ଥିବାରୁ କୋହଲି ତିନି ଜଣ ପେସରଙ୍କୁ ସୁଯୋଗ ଦେଇ ପାରନ୍ତି। ଏଭଳି ସ୍ଥିତିରେ ଆର ଅଶ୍ବିନ ଏବଂ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ଭାରତୀୟ ବୋଲିଂ ବାହିନୀର ମୁଖ୍ୟ ଅସ୍ତ୍ର ହେବେ। ଏଠାରେ ଖେଳାଯାଇଥିବା ଗତ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମ ପାଳିରେ ୧୮୭ ଏବଂ ଦ୍ବିତୀୟରେ ମାତ୍ର ୧୩୨ ରନ୍ କରି ପାରିଥିଲା। ଏଣୁ କେମାର ରୋଚ୍ ଏବଂ ସାନନ ଗାବ୍ରିଏଲଙ୍କୁ ନୂଆ ବଲରେ ସମ୍ମୁଖୀନ ହେବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ଼ ଆହ୍ବାନ ହେବ।
କୋହଲିଙ୍କ ପାଖରେ ଧୋନିଙ୍କ ସମକକ୍ଷ ସୁଯୋଗ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହେବାର ସୁଯୋଗ ରହିବ। ଧୋନି ଅଧିନାୟକ ଭାବେ ଭାରତକୁ ୨୭ ଟେଷ୍ଟ୍ରେ ବିଜୟୀ କରାଇଛନ୍ତି। କୋହଲି ଏବେ ୪୬ ମ୍ୟାଚ୍ରୁ ୨୬ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଣୁ ଏହି ମ୍ୟାଚ୍ ଜିତିପାରିଲେ କୋହଲି ଭାରତକୁ ୨୭ ଟେଷ୍ଟ ଜିତାଇବାର ଗୌରବ ବହନ କରିବେ। ଶୃଙ୍ଖଳାରେ ତାଙ୍କ ପାଖରେ ଭାରତର ସଫଳତମ ଟେଷ୍ଟ ଅଧିନାୟକ ହେବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ରହିବ। ଶୃଙ୍ଖଳାକୁ ୨-୦ରେ ଜିତିଲେ ସେ ଏହି ଅନନ୍ୟ କୀର୍ତ୍ତିମାନ କରିବେ। ଅଧିନାୟକ ଭାବେ ୧୮ ଶତକ ଅର୍ଜନ କରିଥିବା କୋହଲି ଆଉ ଗୋଟିଏ ଶତକ ହାସଲ କଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୧୯)ଙ୍କ ସମକକ୍ଷ ହେବେ। ସେହିଭଳି ୨୦୧୫ ମସିହା ପରେ ସର୍ବାଧିକ ଟେଷ୍ଟ୍ ଶତକ ଅର୍ଜନରେ ମଧ୍ୟ କୋହଲି ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ୍ଙ୍କୁ ଟପି ପାରିବେ। ୨୦୧୫ ପରଠାରୁ ସ୍ମିଥ୍ ୪୧ ଟେଷ୍ଟ୍ର ୭୨ ପାଳିରୁ ୧୮ ଶତକ ଅର୍ଜନ କରିଛନ୍ତି। କୋହଲି ୪୫ ଟେଷ୍ଟ୍ର ୭୪ ପାଳିରୁ ୧୬ ଶତକ କରିଛନ୍ତି। ଏହି ସମୟ ମଧ୍ୟରେ ଇଂଲଣ୍ଡର ଜୋ ରୁଟ୍ ୬୧ ଟେଷ୍ଟ୍ର ୧୧୩ ପାଳିରୁ ୧୧ ଶତକ ହାସଲ କରିଛନ୍ତି। ମୋଟ ରନ୍ରେ କୋହଲି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ରୁଟ୍ ଓ ସ୍ମିଥ୍ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/india-2.jpg)