ରାଜକୋଟ ଟେଷ୍ଟ: ପୃଥ୍ଵୀଙ୍କ ଶତକ, ପ୍ରଥମ ଦିନରେ ଭାରତର ସ୍କୋର ୩୬୪/୪

ପୂଜାରା-କୋହଲି ଯୋଡିଲେ ଅର୍ଦ୍ଧଶତକ

ରାଜକୋଟ: ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିବା ବ୍ୟାଟସ୍‌ମ୍ୟାନ ପୃଥ୍ଵୀ ସ’ଙ୍କ ବିସ୍ଫୋରକ ଶତକ, ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନ କ୍ରିଜ୍‌ରୁ ବିଦାୟ ନେବା ପୂର୍ବରୁ ୪ ଓ୍ଵିକେଟ ହରାଇ ୩୬୪ ରନ୍‌ ସଂଗ୍ରହ କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟ ମୁକାବିଲାରେ ଗୁରୁବାର ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲି(୭୨) ଓ ଋଷଭ ପନ୍ତ(୧୭) ଅପରାଜିତ ଅଛନ୍ତି।

ଗୁଜୁରାଟର ରାଜକୋଟ ଷ୍ଟାଡିୟମରେ ଓପନର ଲୋକେଶ ରାହୁଲ ୪ଟି ବଲ ଖେଳି କୌଣସି ରନ ନକରି ପାଭଲିଅନ୍‌ ଫେରିବା ପରେ ପଡ଼ିଆକୁ ଚେତେଶ୍ୱର ପୂଜାରା (୮୬) ପ୍ରବେଶ କରିଥିଲେ। ପୂଜାରା ୧୩୦ ବଲରୁ ୧୪ଟି ଚୌକା ହାସଲ କରିଥିଲେ। ସେରମନ ଲେଓ୍ଵିସଙ୍କ ବଲ ସେନ୍‌ ଡୋରିଚଙ୍କୁ କ୍ୟାଚ ଦେଇଥିଲେ। ଭାରତ ପ୍ରଥମ ଓ୍ଵକେଟ ଭାବରେ ମାତ୍ର ୩ ରନ୍‌ରେ ଲୋକେଶ ରାହୁଲଙ୍କୁ ହରାଇବା ପରେ ପୂଜାରା ଓ ପୃଥ୍ଵୀଙ୍କ ଜୋଡି ୨ୟ ଓ୍ଵିକେଟ ପାଇଁ ୨୦୩ ରନ୍‌ ଭାଗିଦାରୀ ହୋଇ ପାରିଥିଲେ।

ସ୍କୋର ୨୩୨ ରନ୍‌ରେ ଭାରତ ୩ୟ ଓ୍ଵିକେଟରେ ପୃଥ୍ଵୀଙ୍କୁ ହରାଇଥିଲା। ଭାରତର ଅନ୍ୟତମ ଓପନ୍‌ର ପୃଥ୍ଵୀ ସ(୧୩୪) ୧୫୪ ବଲ ଖେଳି ୧୯ଟି ଚୌକା ହାସଲ କରିଥିଲେ। ସେ ଦେବେନ୍ଦ୍ର ବିଶୋଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସ୍କୋର ୩୩୭ ରନ୍‌ରେ ୱେଷ୍ଟଇଣ୍ଡିଜର ୪ର୍ଥ ଶିକାର ହୋଇଥିଲେ ଆଜିଙ୍କ୍ୟ ରାହାଣେ(୪୧)। ରୋଷ୍ଟନ ଚାସେଙ୍କ ବଲ ଡୋରିଚଙ୍କୁ କ୍ୟାଚ ଦେଇଥିଲେ ରାହାଣେ।

ସମ୍ବନ୍ଧିତ ଖବର