ଆୟର୍ଲାଣ୍ଡ୍‌ ଆଣ୍ଠେଇଲା: ଭାରତ ୨-୦ରେ ଜିତିଲା

ଡବ୍‌ଲିନ୍‌: ଇଂଲଣ୍ଡ ଗସ୍ତର ଅବ୍ୟବହିତ ପୂର୍ବରୁ ଆୟୋଜିତ ଆୟର୍ଲାଣ୍ଡ୍‌ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଭାରତୀୟ ଦଳ ୨-୦ରେ ପୋଛି ନେଇଛି। ପ୍ରଥମ ମ୍ୟାଚ୍‌କୁ ୭୬ ରନ୍‌ରେ ଜିତିଥିବା ଭାରତ ଦ୍ୱିତୀୟକୁ ୧୪୩ ରନ୍‌ର ବଡ଼ ବ୍ୟବଧାନରେ ଜିତିଛି। ଶୁକ୍ରବାର ଭାରତ ୨୧୩ ରନ୍‌ କରିବା ପରେ ଘରୋଇ ଦଳ ମାତ୍ର ୭୦ ରନ୍‌ରେ ସୀମିତ ରହିଥିଲା। ଯାହାକି ଭାରତର ଜଣେ ମାତ୍ର ବ୍ୟାଟସମ୍ୟାନ୍‌ ଲୋକେଶ ରାହୁଲଙ୍କ ବ୍ୟକ୍ତିଗତ ସ୍କୋର୍‌ ସହ ସମାନ ଥିଲା। ଭାରତ ନିଜର ବୃହତ୍‌ ବ୍ୟବଧାନ ବିଜୟ ହାସଲ କରିଥିଲା। ଲୋକେଶ ରାହୁଲ ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ୟୁଜବେନ୍ଦ୍ର ଚହଲ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ପୁରସ୍କାର ମିଳିଥିଲା।

ଲଗାତାର ମ୍ୟାଚ୍‌ରେ ଦ୍ୱିଶତୀୟ ପାଳି ଗଢ଼ିଥିଲା ଭାରତ। ବୁଧବାର ୨୦୮ ରନ୍‌ କରିଥିବା ବିରାଟ କୋହଲି ସେନା ଶୁକ୍ରବାର ଦ୍ୱିତୀୟ ମ୍ୟାଚ୍‌ରେ ୨୧୩ ରନ୍‌ କରିଥିଲା ୪ ଓ୍ଵିକେଟ୍‌ ହରାଇ। ଶିଖର ଧାଓ୍ଵନଙ୍କୁ ବସାଇବା ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂ କ୍ରମକୁ ପଛକୁ ରଖି ଲୋକେଶ ରାହୁଲ ଓ ବିରାଟ କୋହଲି ପାଳି ଆରମ୍ଭ କରିଥିଲେ। କୋହଲି (୦,୯) କିନ୍ତୁ ଲଗାତାର ବିଫଳତା ପାଇଥିଲେ। ରାହୁଲ ୩୬ ବଲ୍‌ରୁ ୭୦ ରନ୍‌ (୩ ଚୌକା, ୬ ଛକା) କରିଥିବା ବେଳେ ସୁରେଶ ରାଇନାଙ୍କ ସହ ମିଶି ଦ୍ୱିତୀୟ ଓ୍ଵିକେଟ୍‌ ଭାଗୀଦାରିରେ ୧୦୬ ରନ୍‌ ଯୋଡ଼ିଥିଲେ। ଏହି ବାମ-ଡ଼ାହାଣ ଯୋଡ଼ି ୯.୩ ଓଭର ଖେଳି ଶତକୀୟ ଭାଗୀଦାରି ଗଢ଼ିଥିଲେ। ରାଇନା ୪୫ ବଲ୍‌ରୁ ୬୯ ରନ୍‌ କରିଥିଲେ। ଏହା ମଧ୍ୟରେ ୫ ଚୌକା ଓ ୩ ଛକା ସାମିଲ ଥିଲା। ପ୍ରଥମ ମ୍ୟାଚ୍‌ରେ ଚମତ୍କାର ଖେଳି ଶତକରୁ ବଞ୍ଚିତ ହୋଇଥିବା ରୋହିତ ଶର୍ମା କିନ୍ତୁ ୪ ନମ୍ବରରେ ଆସି ଖାତା ଖୋଲି ପାରିନଥିଲେ। ଶେଷ ଭାଗରେ ମନୀଷ ପାଣ୍ଡେ (୨୧*, ୨୦ ବଲ୍‌, ୧୨ ଚୌକା) ଏବଂ ହାର୍ଦିକ ପାଣ୍ଡ୍ୟା (୩୨*, ୯ ବଲ୍‌, ୧ ଚୌକା, ୪ ଛକା) ପାଲଟା ଆକ୍ରମଣ କରି ଭାରତର ସ୍କୋର୍‌କୁ ୨୧୩ରେ ପହଞ୍ଚାଇ ଦେଇଥିଲେ। ଆୟର୍ଲାଣ୍ଡ୍‌ ପକ୍ଷରୁ ଅଭିଜ୍ଞ ସ୍ପିନର୍‌ କେଭିନ୍‌ ଓ’ବ୍ରାଏନ୍‌ (୪-୦-୪୦-୩) ସଫଳ ବୋଲର ରହିଥିଲେ। ୪ ପରିବର୍ତନ କରି ଖେଳିଥିବା ଭାରତ ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, ଶିଖର ଧାଓ୍ଵନ, ମହେନ୍ଦ୍ର ସିଂହ ଧୋନିଙ୍କୁ ବିଶ୍ରାମ ଦେଇଥିଲା। ଦୀନେଶ କାର୍ତିକ, ଲୋକେଶ ରାହୁଲ, ଉମେଶ ଯାଦବ, ସିଦ୍ଧାର୍ଥ କଉଲ୍‌ ଖେଳିଥିଲେ। ଏଥି ସହ ଆଇପିଏଲ୍‌ ଚମତ୍କାରିତା ପରେ ପଞ୍ଜାବୀ ଦ୍ରୁତ ବୋଲର୍‌ ସିଦ୍ଧାର୍ଥଙ୍କ ଅର୍ନ୍ତଜାତୀୟ ଜୀବନ ଆରମ୍ଭ ହୋଇଥିଲା।

ଜବାବରେ ପ୍ରଥମ ଓଭରରେ ହିଁ ଉମେଶ ଯାଦବ ପଲ୍‌ ଷ୍ଟର୍ଲିଂଙ୍କୁ ଆଉଟ୍‌ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଅଭିଜ୍ଞ ପୋର୍ଟରଫିଲ୍‌ଡଙ୍କୁ ମଧ୍ୟ ଉମେଶ ଯାଦବ ବୋଲ୍‌ଡ କରି ପ୍ୟାଭିଲିଅନ୍‌ ରାସ୍ତା ଦେଖାଇ ଦେଇଥିଲେ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଜେମ୍ସ ସାନନ୍‌ଙ୍କୁ ସିଦ୍ଧାର୍ଥ କଉଲ୍‌ ନିଜର ପ୍ରଥମ ଅନ୍ତର୍ଜାତୀୟ ଓ୍ଵିକେଟ୍‌ ବନାଇଥିଲେ। କେଭିନ୍‌ ଓ’ବ୍ରାଏନଙ୍କୁ ହାର୍ଦିକ ପାଣ୍ଡ୍ୟା ଖାତା ଖୋଲିବାକୁ ଦେଇନଥିଲେ। ଅବଶିଷ୍ଟ କାର୍ଯ୍ୟ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ୍‌ (୪-୦-୨୧-୩) ଏବଂ କୁଲଦୀପ ଯାଦବ (୨.୩-୦-୧୬-୩) ସମାନ ଭାବେ ତୁଲାଇ ନେଇଥିଲେ। ମାତ୍ର ୪ ଜଣ ଆୟର୍ଲାଣ୍ଡ୍‌ ଖେଳାଳି ଦୁଇ ଅଙ୍କ ଛୁଇଁଥିବା ବେଳେ ୪ ଜଣ ଖାତା ଖୋଲି ପାରିନଥିଲେ। ଅଧିନାୟକ ଗ୍ୟାରି ଓ୍ଵିଲ୍‌ସନ୍‌ ସର୍ବାଧିକ ୧୫ ରନ୍‌ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୧୩/୪ (ଲୋକେଶ ରାହୁଲ-୭୦, ସୁରେଶ ରାଇନା-୬୯, ହାର୍ଦିକ ପାଣ୍ଡ୍ୟା-୩୨*, ମନୀଷ ପାଣ୍ଡେ-୨୧*, କେଭିନ୍‌ ଓ’ବ୍ରାଏନ୍‌-୩/୪୦, ପିଟର ଚେଜ୍‌-୧/୪୨)। ଆୟର୍ଲାଣ୍ଡ୍‌ ୧୨.୩ ଓଭରରେ ୭୦ (ଗ୍ୟାରି ଓ୍ଵିଲ୍‌ସନ୍‌-୧୫, ପୋର୍ଟରଫିଲଡ୍‌-୧୪, କୁଲଦୀପ ଯାଦବ-୩/୧୬, ୟୁଜବେନ୍ଦ୍ର ଚହଲ୍‌-୩/୨୧, ଉମେଶ ଯାଦବ-୨/୧୯, ସିଦ୍ଧାର୍ଥ କଉଲ୍‌-୧/୪, ହାର୍ଦିକ ପାଣ୍ଡ୍ୟା-୧/୧୦)।

ସମ୍ବନ୍ଧିତ ଖବର