ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବବୃହତ୍‌ ଟେ୍ଵଣ୍ଟି-୨୦ ବିଜୟ

ରାଞ୍ଚି: ରାଞ୍ଚି ଟେ୍ଵଣ୍ଟି-୨୦ର ବୃହତ୍‌ ବିଜୟ ପରେ ଭାରତୀୟ କ୍ରିକେଟ୍‌ ଦଳ ଏକାଧିକ ନୂତନ କୀର୍ତ୍ତିମାନ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ଵିକେଟ୍‌ ବ୍ୟବଧାନରେ ସର୍ବବୃହତ୍‌ ବିଜୟ ହାସଲ କରିବା ସହ କଙ୍ଗାରୁ ଦଳ ବିପକ୍ଷରେ ଲଗାତାର ସପ୍ତମ ଟେ୍ଵଣ୍ଟି-୨୦ ବିଜୟ ମଧ୍ୟ ହାସଲ କରିଛି। ରାଞ୍ଚିରେ ଟିମ୍‌ ଇଣ୍ଡିଆର ବର୍ଷା ଭିଜା ବିଜୟର ବିଭିନ୍ନ ସଂଖ୍ୟାର ଖେଳ ଥିଲା ଏମିତି।
୯: ରାଞ୍ଚିରେ ଭାରତ ୯ ଓ୍ଵିକେଟ୍‌ ବିଜୟ ହାସଲ କଲା। ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ କଙ୍ଗାରୁ ଦଳ ବିପକ୍ଷରେ ଓ୍ଵିକେଟ୍‌ ବ୍ୟବଧାନରେ ଭାରତର ଏହା ସର୍ବବୃହତ୍‌ ବିଜୟ ଥିଲା। ଏହି କ୍ରମରେ ଭାରତୀୟ କ୍ରିକେଟ୍‌ ଦଳ ୨୦୧୨ ମସିହା ଫେବ୍ରୁଆରି ୩ ତାରିଖରେ ମେଲବର୍ନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିବା ୮ ଓ୍ଵିକେଟ୍‌ ବିଜୟକୁ ଟପିଲା।
୭: ଅକ୍ଟୋବର ୧୦, ୨୦୧୩ ଏବଂ ଅକ୍ଟୋବର ୭, ୨୦୧୭ ମଧ୍ୟରେ ଭାରତ ଟେ୍ଵଣ୍ଟି-୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ସପ୍ତମ ବିଜୟ ହାସଲ କଲା। ଟେ୍ଵଣ୍ଟି-୨୦ରେ ଏହା ଭାରତୀୟ କ୍ରିକେଟ୍‌ ଦଳର କୌଣସି ଦଳ ବିପକ୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ।
୧୦: ଟେ୍ଵଣ୍ଟି-୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୪ ମ୍ୟାଚ୍‌ ଖେଳି ୧୦ଟିରେ ବିଜୟ ହୋଇଛି। ଅନ୍ୟ ପକ୍ଷରେ ମାତ୍ର ୪ଟିରେ ପରାଜିତ ହୋଇଛି। କଙ୍ଗାରୁ ଦଳ ବିପକ୍ଷରେ ଭାରତର ବିଜୟ ପ୍ରତିଶତ ହେଉଛି ୭୧.୪୨। ଏହା କୌଣସି ଦଳ ବିପକ୍ଷରେ ଭାରତର ଟେ୍ଵଣ୍ଟି-୨୦ ଶ୍ରେଷ୍ଠ ବିଜୟ ହାର।
୫୦: ଟେ୍ଵଣ୍ଟି-୨୦ରେ ଭାରତ ମୋଟ ୮୪ ମ୍ୟାଚ୍‌ ଖେଳି ରାଞ୍ଚିରେ ଅର୍ଧଶତକ ବିଜୟ ହାସଲ କରିଛି। ଭାରତ ଆଜି ପର୍ଯ୍ୟନ୍ତ ୩୧ ଟେ୍ଵଣ୍ଟି-୨୦ରେ ପରାଜିତ ହୋଇଥିଲା ବେଳେ ଦୁଇଟିର ଫଳାଫଳ ମିଳିନି। ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ଟେ୍ଵଣ୍ଟି-୨୦ରେ ୫୦ତମ ବିଜୟ ହାସଲ କରିବାରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ (୬୯), ଦକ୍ଷିଣ ଆଫ୍ରିକା (୫୭) ଏବଂ ଶ୍ରୀଲଙ୍କା (୫୧) ପରେ ଚତୁର୍ଥ ଦଳ ହୋଇଛି।
୨: ଟେ୍ଵଣ୍ଟି-୨୦ରେ କୁଲଦୀପ ଯାଦବ (୨/୧୬) ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଲେ। ଏହି କ୍ରମରେ ସେ ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ କଲମ୍ବୋଠାରେ ଶ୍ରୀଲଙ୍କା ବିପକ୍ଷରେ ୨୦ ରନ୍‌ ଦେଇ ୨ ଓ୍ଵିକେଟ୍‌ ନେବାର ସଫଳତାକୁ ଟପିଲେ।
୧: ଟେ୍ଵଣ୍ଟି-୨୦ରେ କୁଲଦୀପ ପ୍ରଥମ ଥର ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କଲେ।
୪୭: ଆରୋନ ଫିଞ୍ଚ୍‌ ଭାରତ ବିପକ୍ଷରେ ସର୍ବାଧିକ ଟେ୍ଵଣ୍ଟି-୨୦ ରନ୍‌ କରିବାର ଅଷ୍ଟ୍ରେଲୀୟ କୀର୍ତ୍ତିମାନ ହାସଲ କଲେ। ଭାରତ ବିପକ୍ଷରେ ୭ ପାଳି ଖେଳି ସେ ୪୭.୭୧ ହାରରେ ୩୩୪ ରନ୍‌ କରିଛନ୍ତି। ଏହା କରି ସେ ସେନ୍‌ ଓ୍ଵାଟସନ୍‌ (୩୦୨)ଙ୍କୁ ଟପିଲେ।
୩୮: ଫିଞ୍ଚ୍‌ ୩୨ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ପାଳିରୁ ୧୧୨୪ ରନ୍‌ କଲେ। ଏଥିରେ ତାଙ୍କ ବ୍ୟାଟିଂ ହାର ହେଉଛି ୩୮.୭୫। ଟେ୍ଵଣ୍ଟି-୨୦ରେ ଅନ୍ୟୁନ ୫୦୦ ରନ୍‌ କରିଥିବା ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ତାଙ୍କ ବ୍ୟାଟିଂ ହାର ହେଉଛି ସବୁଠୁ ଭଲ।
୪: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୟୁଜବେନ୍ଦ୍ର ଚହଲ ଚତୁର୍ଥ ଥର ପାଇଁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲଙ୍କୁ ଆଉଟ୍‌ କଲେ। ରାଞ୍ଚି ପୂର୍ବରୁ ଚେନ୍ନାଇ, କୋଲକାତା ଓ ଇନ୍ଦୋର ଦିନିକିଆରେ ମଧ୍ୟ ସେ ମ୍ୟାକ୍ସେଓ୍ଵଲଙ୍କୁ ଆଉଟ୍‌ କରିଥିଲେ।

ସମ୍ବନ୍ଧିତ ଖବର