ଅଷ୍ଟମ ଦିନ ୭ ପଦକ

ଜାକର୍ତା/ପାଲେମବାଙ୍ଗ: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଅଷ୍ଟମ ଦିନରେ ଭାରତକୁ ୭ ପଦକ ମିଳିଛି। ସେଥିମଧ୍ୟରେ ରହିଛି ୫ ରୌପ୍ୟ ଏବଂ ୨ କାଂସ୍ୟ। ଭାରତକୁ ରବିବାରର ପ୍ରଥମ ପଦକ ଅଶ୍ୱାରୋହଣରୁ ମିଳିଥିଲା। ଏଥିରୁ ଭାରତୀୟ ପ୍ରତିଯୋଗୀମାନେ ଦୁଇଟି ରୌପ୍ୟ ଅମଳ କରି ନେଇଥିଲେ। ଫୁଆଦ ମିର୍ଜା ୧୯୮୨ ମସିହା ପରେ ପ୍ରଥମ ଭାରତୀୟ ଭାବେ ଅଶ୍ୱାରୋହଣରେ ବ୍ୟକ୍ତିଗତ ରୌପ୍ୟ ଜିତିଥିଲେ। ଏହି ଖେଳର ଦଳଗତରେ ଭାରତ ରୌପ୍ୟ ଜିତିବାରେ ସେ ମଧ୍ୟ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ସେହିଭଳି ରବିବାରର ଅନ୍ୟ ତିନିଟି ରୌପ୍ୟ ଦୌଡ଼କୁଦରୁ ଆସିଥିଲା। କିଛି ଦିନ ତଳେ ବିଶ୍ୱ କନିଷ୍ଠ ଦୌଡ଼କୁଦରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିବା ଆସାମ ଝିଅ ହିମା ଦାସ (୫୦.୭୯ ସେକେଣ୍ଡ) ୪୦୦ ମିଟର ଫାଇନାଲର ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। ପୁରୁଷ ୪୦୦ ମିଟରରେ ମହମ୍ମଦ ଆନସ (୪୫.୬୯) ଏହି ସଫଳତା ଦୋହରାଇଥିଲେ। ସେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ। ୧୦,୦୦୦ ମିଟରରେ ଲକ୍ଷ୍ମଣନ୍‌ ଗୋବିନ୍ଦନ୍‌ (୨୨:୪୪.୨୧) ତୃତୀୟ ସ୍ଥାନରେ ରହିବା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଫଳରେ ଭାରତ ଜିତିଥିବା ପ୍ରଥମ କାଂସ୍ୟ ହରାଇଥିଲା। ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ସାମିଲ ହୋଇଥିବା ବ୍ରିଜରୁ ଭାରତୀୟ ପ୍ରତିଯୋଗୀ ପୁରୁଷ ଦଳଗତ ଏବଂ ମିଶ୍ରିତ ବର୍ଗରେ ଦୁଇଟି କାଂସ୍ୟ ଜିତିଥିଲେ। ଦିନ ଶେଷରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଭାରତ ପାଇଁ ସପ୍ତମ ତଥା ଶେଷ ପଦକ ଜିତିଥିଲେ। ସେ ମହିଳା ୧୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର